ରାଜଧାନୀରେ ପୁଣି ଫୁଟିଲା ଗୁଳି, ଅବସରପ୍ରାପ୍ତ ଯବାନ ଅଟକ, ବନ୍ଧୁକ ଜବତ

ଧଉଳି: ସଂରକ୍ଷିତ ଐତିହ୍ୟସ୍ଥଳ ଶିଶୁପାଳଗଡ଼ ଅଞ୍ଚଳରେ ଅବାଧ ମାଟି ଉଠାଣକୁ କେନ୍ଦ୍ର କରି ଆଜି ଗୁଳି ଫୁଟିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଧଉଳି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡ ଘଟାଇଥିବା ଅବସରପ୍ରାପ୍ତ ଯବାନ ଶ୍ରୀକାନ୍ତ ଚମ୍ପତ୍ତିଙ୍କୁ କାବୁ କରିଛି। ପୁଲିସ୍‌ ତାଙ୍କ ନିକଟରୁ ଗୋଟିଏ ରିଭଲଭର୍‌, ଗୁଳି ଓ ଖୋକା ଜବତ କରିଛି। ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, କିଛି ଦିନ ହେବ ରବୀନ୍ଦ୍ର ପାତ୍ର ନାମକ ଜଣେ ବିଲ୍ଡର୍‌ ଐତିହ୍ୟ ଶିଶୁପାଳଗଡ଼ କାନ୍ଥକୁ ଡୋଜର୍‌ରେ ତାଡ଼ି ନିଜର ଏକ ପ୍ଲଟିଂ ସ୍କିମ୍‌କୁ ମାଟି ପଠାଉଥିଲେ। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ତ୍ବେ ରବୀନ୍ଦ୍ର ମାଟି ଉଠାଇ ଚାଲିଥିଲେ। ତେବେ ଆଜି ଅପରାହ୍‌ଣ ପାଖାପାଖି ୧ଟା‌ରେ ସେ ପୁଣି ମାଟି ଉଠାଉଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଶ୍ରୀକାନ୍ତ ମଧ୍ୟ ସେଠାକୁ ଯାଇ ତୀବ୍ର ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଗିଯାଇ ଶ୍ରୀକାନ୍ତ ସା‌ଙ୍ଗରେ ନେଇଥିବା ଏକ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସର ଟିମ୍‌ ‌ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି କେତେକ ଯୁବକ ଛତ୍ରଭଙ୍ଗ ଦେଇଥିବା ବେଳେ ଶ୍ରୀକାନ୍ତକୁ ପୁଲିସ କାବୁ କରିଥିଲା। ଏନେଇ ରବୀନ୍ଦ୍ର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଶ୍ରୀକାନ୍ତକୁ ଅଟକ ରଖିଛି। ଆଜିର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି।

ସମ୍ବନ୍ଧିତ ଖବର