ଭୁବନେଶ୍ବର: ଲୁଟ୍.. ଲୁଟ୍.. ଆଉ ଲୁଟ୍। ଯେତେବେଳେ ବିଧାନସଭା ଅଧିବେଶନ ପାଇଁ ରାଜଧାନୀରେ ମାଳମାଳ ପୁଲିସ, ସେତିକିବେଳେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବନ୍ଧୁକଧାରୀ ଲୁଟେରା। ପୂରା ସହରରେ ଆତଙ୍କ ଖେଳାଇଛନ୍ତି। ପ୍ରଥମେ ନାଇଟ୍ ରାଇଡର୍ ଗ୍ୟାଙ୍ଗ୍, ତା’ ପରେ ଜାତୀୟ ରାଜପଥ ଲୁଟେରା, ନଟ୍ ଗ୍ୟାଙ୍ଗ୍ ଆଉ ଏବେ ବନ୍ଧୁକଧାରୀ ଗ୍ୟାଙ୍ଗ୍ ମାତିଛନ୍ତି। ଲୁଟ୍ କରି ଫେରାର୍ ହେବା ବେଳେ ଗୁଳି ଫୁଟାଇଛନ୍ତି। ଲୁଟେରାଙ୍କ ଆତଙ୍କରେ ଲୋକ ଭୟଭୀତ ହୋଇ ପଡ଼ିଥିବା ବେଳେ ପୁଲିସର ନିଦ ହଜାଇ ଦେଇଛନ୍ତି। ଲୁଟେରାଙ୍କ ଅପରେସନ୍ ଏଭଳି ରହିଛି ଯେମିତି ସହରରେ ପୁଲିସର ଉପସ୍ଥିତି ନ ଥିବା ଭଳି ମନେ ହେଉଛି। କମିସନରେଟ ପୁଲିସକୁ ଅପରାଧୀଙ୍କର ସାମାନ୍ୟତମ ଭୟ ନ ଥିବା ଜଣାପଡ଼ୁଛି। ଗତ ୨୪ ଘଣ୍ଟା ଭିତରେ ରାଜଧାନୀରେ ୬ଟି ଲୁଟ୍ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ରାଜଧାନୀରେ ୪ଦିନ ଭିତରେ ୧୨ରୁ ଅଧିକ ଲୁଟ୍ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏମିତିକି ଜଣେ ପୁଲିସ କର୍ମଚାରୀଙ୍କ ସୁନାଚେନ୍ ଲୁଟ୍ ହୋଇଛି। ଲୁଟେରାଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍ ଓ ପିଓପିଡି ଟିମ୍ ତନାଘନା ଆରମ୍ଭ କରିଛି।
ଗୋଠପାଟଣାରୁ ଆରମ୍ଭ ସତ୍ସଙ୍ଗବିହାରରେ ଶେଷ
ଗୋଟିଏ ଦିନରେ ରାଜଧାନୀର ୫ ଭିନ୍ନ ଭିନ୍ନ ଜାଗାରୁ ଲୋକଙ୍କୁ ଲୁଟ୍ କରିଛନ୍ତି ଲୁଟେରା। ବନ୍ଧୁକ ଦେଖାଇ ଭୟଭୀତ କରି ଲୋକଙ୍କୁ ଲୁଟିଥିବା ଲୁଟେରାମାନେ ଗୋଟିଏ ଗ୍ୟାଙ୍ଗ୍ର ବୋଲି ଜଣାପଡ଼ିଛି। ସେମାନେ ସକାଳ ପ୍ରାୟ ୬ଟା ବେଳେ ଗୋଠପାଟଣାରେ ପ୍ରଥମ ଲୁଟ୍ କରିଥିବା ବେଳେ ୭ଟା ୩୦ରେ ସତ୍ସଙ୍ଗବିହାରରେ ଲୁଟ୍ କରି ଫେରାର୍ ହୋଇଯାଇଥିଲେ। କଳିଙ୍ଗବିହାର, ରାଜମହଲ, ଗ୍ୟାରେଜ୍ ଛକର ସିସିଟିଭି ଫୁଟେଜ୍ ଯାଞ୍ଚ୍ ଓ ଲୁଟ୍ର ଶିକାର ହୋଇଥିବା ଲୋକଙ୍କ ବୟାନ ଆଧାରରେ ଏହି ଗ୍ୟାଙ୍ଗ୍ର ପ୍ରାୟ ୯ଜଣ ଦୁର୍ବୃତ୍ତ ସାମିଲ ଥିବା ଜଣାପଡ଼ିଛି। ଲୁଟେରାମାନେ ପେସାଦାର ଏବଂ ସମସ୍ତଙ୍କୁ ଚକ୍ମା ଦେଇ ଭୟଭୀତ କରି ଲୁଟୁଥିବା ଲୋକେ ସୂଚନା ଦେଇଛନ୍ତି।
ଟାର୍ଗେଟ୍ରେ ମର୍ଣ୍ଣିଂଵାକ୍ରେ ଆସୁଥିବା ଲୋକ
୩ଟି ବାଇକ୍ରେ ୩ଜଣ ଲେଖାଁଏ ଆସିଥିବା ଏହି ଗ୍ୟାଙ୍ଗ୍ ଆଜି ସକାଳୁ ଲୁଟ୍ ପାଇଁ ଲୋକଙ୍କୁ ଟାର୍ଗେଟ କରିଥିଲେ। ମର୍ଣ୍ଣିଂଵାକ୍ରେ ଆସିଥିବା ଲୋକଙ୍କୁ ଟାର୍ଗେଟ୍ କରିଥିଲେ। ଯିଏ ସାମ୍ନାରେ ପଡ଼ିଥିଲା ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ଏପରିକି ଲୋକେ ତାଙ୍କୁ ଧରିବା ପାଇଁ ଗୋଡ଼ାଇ ଥିବା ବେଳେ ଫାଙ୍କା ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଥିଲେ।
ଗୋଠପାଟଣା, ସମୟ-ସକାଳ ୬.୦୫
ଗତ କିଛିଦିନ ଧରି ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗର ଆଜି ସକାଳୁ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଥିଲା। ସକାଳ ୬ଟା ୫ରେ ଗୋଠପାଟଣାରେ ୩ ଜଣ ବନ୍ଧୁକଧାରୀ ଲୁଟେରା ବାଇକ୍ରେ ଯାଇ ମର୍ଣ୍ଣିଂୱାକ୍ରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟି ନେଇଥିଲେ। ଗ୍ୟାଙ୍ଗରେ ୯ ଜଣ ଲୁଟେରା ୩ଟି ବାଇକରେ ଆସିଥିଲେ। ଦୁଇଟି ବାଇକ୍ରେ ୬ ଲୁଟେରା କିଛି ଦୂରରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ବାଇକ୍ ଷ୍ଟାର୍ଟରେ ରଖିଥିଲେ। ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ୍ ଲୁଟିବା ପରେ ଫେରାର୍ ହୋଇଯାଇଥିଲେ। ଏ ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।
କଳିଙ୍ଗବିହାର କେ-୨, ସମୟ- ସକାଳ ୬ଟା ୧୫
ଭରତପୁର ଥାନା ଅନ୍ତର୍ଗତ ପାଇକରାପୁର ବିଡିଏ ଆପାର୍ଟମେଣ୍ଟ ରହୁଥିବା ପ୍ରଫେସର ଅରୁଣେନ୍ଦ୍ର ନନ୍ଦ ଓ ପତ୍ନୀ ଅନିମା ଆଜି ସକାଳ ୫ଟା ୪୫ରେ ମର୍ଣ୍ଣିଂୱାକ୍ରେ ବାହାରିଥିଲେ। କେ-୨ସ୍ଥିତ ଓମଫେଡ୍ ଛକ ନିକଟୁ ଯାଉଥିବା ବେଳେ ପଛପଟୁ ୩ଟି ବାଇକ ସେମାନଙ୍କୁ ଅତିକ୍ରମ କରିଥିଲା। ଗୋଟିଏ ବାଇକ୍ରେ ଥିବା ୩ ଲୁଟେରା ଦମ୍ପତିଙ୍କୁ ଅଟକାଇଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ୍ ଛିଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକ ପାଟି କରି ପିଛା କରିବାରୁ ଗୁଳି ଫୁଟାଇ ଫେରାର୍ ହୋଇଯାଇଥିଲେ।
ଗ୍ୟାରେଜ୍ ଛକ, ସମୟ-ସକାଳ ୭ଟା
ଥମି ନ ଥିଲା ଲୁଟେରାଙ୍କ ଆତଙ୍କ। ଆଜି ସକାଳ ପ୍ରାୟ ୭ଟାରେ ଭୁବନେଶ୍ବର-ପୁରୀ ରାସ୍ତାର ଗ୍ୟାରେଜ ଛକ ନିକଟରେ ତିନି ଜଣ ଲୁଟେରା ଏକ କଳା ରଙ୍ଗର ପଲ୍ସର ବାଇକ୍ରେ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଫେରାର ହୋଇ ଯାଇଥିଲେ। ଲୁଟେରାଙ୍କ କାରନାମା ସେଠାରେ ଲାଗିଥିବା ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।
ରାଜମହଲ ଛକ, ସମୟ-ସକାଳ ୭ଟା ୧୫
ଲୁଟେରାଙ୍କ ଆତଙ୍କ ଏମିତି ଥିଲା ଯିଏ ବାଟରେ ପଡ଼ିଲା ତାକୁ ଲୁଟିଥିଲେ। ଆଜି ସକାଳ ପ୍ରାୟ ୭ଟା ୧୫ରେ ରାଜମହଲ ଛକରେ ତିନି ଜଣ ଲୁଟେରା ଏକ ବାଇକ୍ରେ ଆସି ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟ୍ କରି ଫେରାର ହୋଇ ଯାଇଥିଲେ।
ସତ୍ସଙ୍ଗ ବିହାର, ସମୟ-ସକାଳ ୭ଟା ୩୦
ଗୋଟିଏ ପରେ ଗୋଟିଏ ଜାଗାରେ ଲୁଟୁଥିବା ଲୁଟେରା ସକାଳ ସାଢ଼େ ୭ଟାରେ ସତ୍ସଙ୍ଗ ବିହାର ନିକଟରେ ସେମାନଙ୍କ ଅପରେସନ୍ କରିଥିଲେ। ତିନି ଲୁଟେରା ଏକ ପଲ୍ସର ବାଇକ୍ରେ ଯାଇ ମର୍ଣ୍ଣିଂୱାକ୍ରୁ ଫେରୁଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ଫେରାର୍ ହୋଇଯାଇଥିଲେ। ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି।
ବିପୁଲ୍ ଗାର୍ଡେନ୍ ସାମ୍ନା, ସମୟ-ସକାଳ ସାଢ଼େ ୬ଟା
ଗତକାଲି ସକାଳ ସାଢ଼େ ୬ଟା ବେଳେ ଜଣେ ମହିଳା ମର୍ଣ୍ଣିଂୱାକ୍ କରି ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କୁ ବନ୍ଧୁକ ଦେଖାଇ ସୁନାଚେନ୍ ଝାମ୍ପି ନେଇଛନ୍ତି। ସେ ଚିତ୍କାର କରିବା ବେଳେ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଫେରାର୍ ହୋଇଯାଇଛନ୍ତି।