ବିହାର, ଝାଡ଼ଖଣ୍ଡରୁ ଟ୍ରକ୍‌ରେ ଆସୁଛି ଚୋରା ବନ୍ଧୁକ, ହେଲ୍‌ପର ବେଶରେ ଆସୁଛନ୍ତି ଏଜେଣ୍ଟ

ମଞ୍ଚେଶ୍ବର, ଜଗତପୁର, ପାରାଦୀପ, ରାଉରକେଲା, କେନ୍ଦୁଝରରେ ହେଉଛି ବଡ଼ ଡିଲ୍‌
ଲକ୍‌ଡାଉନ୍‌ରେ ବଢ଼ିଛି କାରବାର

ଭୁବନେଶ୍ବର : କଟକ, ଜଗତସିଂହପୁର, ଖୋର୍ଦ୍ଧା, ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳରୁ ଚୋରା ବନ୍ଧୁକ ଧରୁଛି ପୁଲିସ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏଥିରେ ବେଶ୍ ଆଗୁଆ ରହିଛି। ବନ୍ଧୁକ କାରବାରରେ ସମ୍ପୃକ୍ତ ମାଫିଆ, ଅପରାଧୀ, ବେପାରୀଙ୍କୁ ଗିରଫ କରୁଛି ଏସଟିଏଫ୍। ଗତ କିଛି ମାସ ମଧ୍ୟରେ ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ଓ ତାଙ୍କ ସହଯୋଗୀଙ୍କ ପାଖରୁ ପୁଳାପୁଳା ବନ୍ଧୁକ ଜବତ ହୋଇଛି। ଜେଲ୍‌ରେ ଥାଇ ବି ସେମାନେ ଚୋରା ବନ୍ଧୁକ କାରବାର ଚଲାଉଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଏହି ବନ୍ଧୁକ କେଉଁଠୁ ଆସୁଛି? କେମିତି ଅପରାଧୀ ଓ ମାଫିଆଙ୍କ ପାଖରେ ପହଞ୍ଚୁଛି? କେମିତି ଡିଲ୍ ହେଉଛି? ଚେର କେଉଁଠିକି ଲମ୍ବିଛି? ତାହାର କାଣିଚାଏ ବି ସୁରାକ୍ ପାଉନି ପୁଲିସ କି ଏସଟିଏଫ୍। ଚେର ଖୋଜିବାରେ ବିଫଳ ହେବାରୁ ଚୋରା ବନ୍ଧୁକ କାରାବାର ମଧ୍ୟ ଦ୍ରୁତ ଗତିରେ ମାଡ଼ି ଚାଲିଛି।

ବନ୍ଧୁକ ଡିଲ୍, ରୁଟ୍ ଓ କାରବାର ସମ୍ପର୍କରେ ଆମର ଅନୁସନ୍ଧାନ ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ନେଇ ପୁଲିସର ସୁରକ୍ଷା ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଏହି କାରବାର କୌଣସି ହାଇଟେକ୍ ଉପାୟରେ ନୁହେଁ, ବରଂ ସହଜ ଭାବରେ ଚାଲିଛି। ଟ୍ରେନ୍ କି କାର୍‌ ନୁହେଁ, ବିହାର ଓ ଝାଡ଼ଖଣ୍ଡରୁ ଆସୁଥିବା ମାଲବାହୀ ଟ୍ରକ୍‌ରେ ଆସୁଛି ବନ୍ଧୁକ। ହେଲ୍‌ପର ବେଶରେ ଆସୁଛନ୍ତି ଏଜେଣ୍ଟ। କେତେକ ଇଞ୍ଜିନିୟରିଂ ଛାତ୍ର ମଧ୍ୟ ସାମିଲ୍‌ ରହୁଛନ୍ତି। ଓଡ଼ିଶାରେ ବନ୍ଧୁକ ବେପାରୀ, ମାଫିଆଙ୍କ ସହ ଡିଲ୍ କରି ବେପାର କରୁଛନ୍ତି। ଯେଉଁଭଳି ବନ୍ଧୁକ ଦରକାର, ସେହିଭଳି ମନ ମୁତାବକ ଯୋଗାଇ ଦେଉଛନ୍ତି। ଲକ୍‌ଡାଉନ୍‌ରେ ବସ୍ ପରିବହନ ସେବା ବନ୍ଦ ରହିଥିବା ବେଳେ ଅନ୍ୟ କଟକଣା ଲାଗିଥିଲା। ତେଣୁ ମାଲବାହୀ ଟ୍ରକରେ ଚୋରା ବନ୍ଧୁକ କାରବାର ଆହୁରି ବଢ଼ି ଯାଇଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଞ୍ଚେଶ୍ବର, ଜଗତପୁର, ପାରଦୀପ, କେନ୍ଦୁଝର, ରାଉରକେଲା ଭଳି ଶିଳ୍ପାଞ୍ଚଳରେ ଏଭଳି ଡିଲ୍ ଚାଲିଛି। ଆଉ କେତେକ ସ୍ଥଳରେ ରାଜରାସ୍ତାରେ ମଧ୍ୟ ଡିଲ୍ ହୋଇ ଯାଉଛି। ଖଣିଜ ପଦାର୍ଥ, ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିହାର, ଝାଡ଼ଖଣ୍ଡରୁ ଆସୁଥିବା କେତେକ ନିର୍ଦ୍ଦିଷ୍ଟ ମାଲବାହୀ ଟ୍ରକରେ ଚୋରା ବନ୍ଧୁକ ଆସୁଛି। ସନ୍ଦେହ ଘେରକୁ ନ ଆସିବା ପାଇଁ ବନ୍ଧୁକ ବେପାରୀମାନେ ମାଲବାହୀ ଟ୍ରକ୍‌କୁ ମାଧ୍ୟମ କରୁଛନ୍ତି। ଡ୍ରାଇଭର ଓ ହେଲ୍‌ପରଙ୍କୁ ହାତ କରି ଏହି କାରବାର ଚଳାଇଛନ୍ତି। ଏଜେଣ୍ଟ ଅଧା ବାଟରୁ ଚୋରା ବନ୍ଧୁକ ଧରି ନିର୍ଦ୍ଦିଷ୍ଟ ଟ୍ରକରେ ଚଢ଼ିଥାଏ। ଛୋଟ ସାମଗ୍ରୀ ହୋଇଥିବାରୁ ଏହାକୁ ଲୁଚାଇବା ସହଜ ହୋଇଥାଏ। ଟ୍ରକ୍ ମଞ୍ଚେଶ୍ବର ହେଉ କି ଜଗତପୁର ଭଳି ଶିଳ୍ପାଞ୍ଚଳରେ ପହଞ୍ଚିଲା ପରେ, ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ଗୋଟିଏ ସ୍ଥାନରେ ଅଟକିଥାଏ। ପୂର୍ବ ଯୋଜନା ଅନୁଯାୟୀ ସେଇଠି ଗ୍ରାହକ ପହଞ୍ଚି ଥାଏ। ଗ୍ରାହକକୁ ଚିହ୍ନିବା ପାଇଁ ପୋଷାକ ଓ ଗାଡ଼ି ସମ୍ପର୍କରେ ପୂର୍ବରୁ ଖବର ଥାଏ। ଏଜେଣ୍ଟ ଟ୍ରକରୁ ଓହ୍ଲାଇ କିଛି ଦୂରରେ ବୁଲୁଥାଏ। ସାମାନ୍ୟତମ ସନ୍ଦେହ ନ ହେଲେ, ଆରମ୍ଭ ହୁଏ ଡିଲ୍। ବନ୍ଧୁକ ଦେଖିବା ପରେ ଗ୍ରାହକ ଟଙ୍କା ଦେଇ କିଣିଥାଏ। କାରବାର ପରେ ଉଭୟ ଉଭୟଙ୍କ ରାସ୍ତାରେ ଚାଲିଯାନ୍ତି। ସନ୍ଦେହ ଉପୁଜିଲେ ଡିଲ୍ ବାତିଲ କରେ ଏଜେଣ୍ଟ। କିନ୍ତୁ ଆଜି ପର୍ଯ୍ୟନ୍ତ ଟ୍ରକରେ ବନ୍ଧୁକ ଆସୁଥିବା ଓ ବନ୍ଧୁକ ଡିଲ୍ ବେଳେ କେବେ ବି ଧରାପଡ଼ି ନ ଥିବା ଜଣାପଡ଼ିଛି।

ସେହି ସୂତ୍ର ଅନୁଯାୟୀ, ୬ ରାଉଣ୍ଡ ରିଭଲଭର ମୂଲ୍ୟ ୧୫ରୁ ୨୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ସେହିପରି ମାଉଜର ୨୦ରୁ ୩୦ ହଜାର ଟଙ୍କା ଏବଂ ଅତ୍ୟାଧୁନିକ ବିଦେଶୀ ବନ୍ଧୁକର ଦାମ୍ ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଡିଲ୍ ହୋଇଥାଏ। ସବୁ କାରବାର ପରେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପରଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳେ। ବନ୍ଧୁକ କିଣିବା ପାଇଁ ନିର୍ଦ୍ଦିଷ୍ଟ ବେପାରୀ ରହିଛନ୍ତି। ସେମାନେ କିଣିବା ପରେ ଏହାକୁ ଅଧିକ ଦାମରେ ଅପରାଧୀ, ନିଶା ବେପାରୀ, ଗୋରୁ ବେପାରୀ, ବାଲି ମାଫିଆ, ଠିକାଦାର, ବିଲ୍ଡରଙ୍କୁ ବିକ୍ରି କରିଥାନ୍ତି। ଏହାକୁ ବ୍ୟବହାର କରି ଏମାନେ ବ୍ୟବସାୟିକ ଫାଇଦା, ଦାଦାବଟି ଆଦାୟ କରନ୍ତି। ଚୋରା ବନ୍ଧୁକ ଆସୁଥିବା ରୁଟ୍‌କୁ କେବେ ଭେଦ କରିବ ପୁଲିସ? ବନ୍ଧୁକ ଯୋଗାଉଥିବା ବେପାରୀଙ୍କ ପାଖରେ ପହଞ୍ଚି ପାରିବ ତ ପୁଲିସ? ନା କେବଳ ଚୋରା ବନ୍ଧୁକ ଜବତରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ଦକ୍ଷତା ସୀମିତ ହୋଇ ରହିବ, ଏହା ଭବିଷ୍ୟତ ହିଁ କହିବ।

ସମ୍ବନ୍ଧିତ ଖବର