ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ଚନ୍ଦକା ଓ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳର ଅପରାଧୀମାନଙ୍କ ପାଖରେ ମାଳମାଳ ବନ୍ଧୁକ। ୩ମାସ ଭିତରେ ଏହି ଦୁଇ ଥାନା ଅଞ୍ଚଳରେ ଅପରାଧୀଙ୍କ ବନ୍ଧୁକ ୪ଥର ଗର୍ଜିଲାଣି। ଗୁଳିମାଡ଼ରେ କାହାର ମୃତ୍ୟୁ ହୋଇନଥିଲେ ହେଁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି। ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଅପରାଧୀମାନେ ଗୁଳି ଚଳାଇବା ଏକ ସାଧାରଣ ଘଟଣା ହୋଇଗଲାଣି। ଭୟଙ୍କର ଆଗ୍ନେୟାସ୍ତ୍ର ବନ୍ଧୁକଗୁଡ଼ା ଯେମିତି ଅପରାଧୀଙ୍କ ପାଇଁ ଖେଳଣା ପାଲଟିଗଲାଣି। କଥା କଥାକେ ଗୁଳିକାଣ୍ଡ ଘଟୁଥିବାରୁ ସାଧାରଣରେ ଲୋକେ ଆତଙ୍କିତ ହୋଇପଡ଼ିଲେଣି। ପୁଲିସ ମାମଲା ରୁଜୁ କରୁଛି, ଅପରାଧୀଙ୍କୁ ବାନ୍ଧୁଛି ଓ କିଛି ମାମଲାରେ ବନ୍ଧୁକ ଜବତ କରୁଛି। କିନ୍ତୁ ସେମାନଙ୍କ ପାଖକୁ ଚୋରା ବନ୍ଧୁକ କେଉଁଠୁ ଆସୁଛି, ତାହାର ଟେର୍ ପାଇପାରୁନାହିଁ। ଏବେ ଚନ୍ଦକା ଥାନା ପାଣିଓଳା ଗାଁ ରହିଛି ଚର୍ଚ୍ଚାରେ। ଏହି ଗାଁର ଅପରାଧୀମାନେ ଦୁଇ ଦୁଇଥର ଗୁଳିକାଣ୍ଡ ଘଟାଇଲେଣି। ଗୋଟିଏ ମାମଲାରେ ପୁଲିସ ବନ୍ଧୁକ ଜବତ କରିଛି, କିନ୍ତୁ ଅନ୍ୟ ମାମଲାରେ ଅଭିଯୁକ୍ତ ବନ୍ଧା ହୋଇଥିଲେ ମଧ୍ୟ ବନ୍ଧୁକ ଜବତ ହୋଇପାରିନାହିଁ। ଗତ ମାସ ୯ ତାରିଖ ରାତିର ଘଟଣା। ଜମି ବ୍ୟବସାୟକୁ ନେଇ ବିଶ୍ବଜିତ ସାହୁ ଓ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ମଧ୍ୟରେ ବଚସା ହେଲା। କଥା କଟାକଟି ଚାଲିଥିବା ବେଳେ ହଠାତ୍ ବିଶ୍ବଜିତ୍ ଅଣ୍ଟାରୁ ବନ୍ଧୁକ ବାହାର କରି ଗୁଳିକଲା। ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇ ଦାଣ୍ଡରେ ପଡ଼ିଯାଇଥିଲେ। ଗୁଳିଟି ଛାତିରେ ନ ବାଜି କାଖ ପାଖଦେଇ ଫୁଟି ବାହାରି ଯାଇଥିଲା। ବିଶ୍ବଜିତ୍ ଓ ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ସେମିତି କିଛି ବଡ଼ଧରଣର ଶତ୍ରୁତା ନଥିଲା। କିନ୍ତୁ ବିଶ୍ବଜିତ୍ ଗୁଳି କରି ଗାଁରେ ପତିଆରା ପ୍ରଦର୍ଶନ କରିଥିଲା।
ଚନ୍ଦକା ଥାନା ପୁଲିସ ତାକୁ ଜେଲ୍ ପଠାଇବା ସହ ତା’ଠାରୁ ବନ୍ଧୁକ ଜବତ କରିଛି। ଦ୍ବିତୀୟ ମାମଲାଟି ଗତ ମାସ ୨୪ ତାରିଖ ରାତିର। ପେସାଦାର ଅପରାଧୀ ପାଣିଓଳା ଗାଁର ବାସୁଦେବ ପରିଡ଼ା ପିତାପଲ୍ଲୀ ଗାଁର ପ୍ରତାପ ସ୍ବାଇଁଙ୍କୁ ଗୁଳି କରି ଘାଇଲା କରିଥିଲା। ଗଣ୍ଡଗୋଳ ପଛର କାରଣ ଥିଲା ପୂର୍ବ ଶତ୍ରୁତା ଓ ଦବଦବା ପ୍ରଦର୍ଶନ। ପାଣିଓଳାର ବାସୁଦେବ ଓ ପିତାପଲ୍ଲୀ ପ୍ରତାପଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଝା ଲାଗିରହିଥିଲା। ଘଟଣା ଦିନ ବାସୁଦେବର ହାଇୱା ଚାଳକକୁ ପ୍ରତାପ ମାଡ଼ ମାରିଥିଲେ। ଗାଡ଼ି ସାଇଡ୍ ମାରିବାକୁ ନେଇ ପ୍ରତାପ ହାଇୱା ଚାଳକଙ୍କୁ ପିଟିଥିଲେ। ଖବର ପାଇ ବାସୁଦେବ ଫୋନ୍ କରି ପ୍ରତାପଙ୍କୁ ଗାଳି କରିଥିଲେ। ପ୍ରତାପ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏମିତି ଫୋନ୍ରେ ଧମକଚମକ ଦିଆନିଆ ଚାଲିବା ଭିତରେ ଟକ୍କର ଆଡ଼କୁ କଥା ଆଗେଇଗଲା। ଦେଖାଦେଖି ହେବା ତୁରନ୍ତ ଫଇସଲା ହୋଇଯାଉ ବୋଲି ସେମାନେ ପରସ୍ପରକୁ ଆହ୍ବାନ କରିଥିଲେ ଏବଂ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଓଭର୍ବ୍ରିଜ୍ ତଳକୁ ଡକାଡକି ହୋଇଯାଇଥିଲେ। ୨ ପକ୍ଷ ମଧ୍ୟରେ ହାତାହାତି ଆରମ୍ଭ ହୋଇଥିଲା। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ଯୁଦ୍ଧ କ୍ଷେତ୍ରକୁ ଯାଇଥିବା ବାସୁଦେବର ଗୁଳି ମାଡ଼ରେ ପ୍ରତାପଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା। ସେହିଭଳି ବାସୁଦେବର ଭାଇ ଖଣ୍ଡାରେ ହାଣି ପ୍ରତାପଙ୍କ ଭାଇକୁ ଗୁରୁତର କରିଥିଲା। ଏହି ମାମଲାରେ ଇନ୍ଫୋଭ୍ୟାଲି ଥାନା ପୁଲିସ ବାସୁଦେବକୁ ବାନ୍ଧିଥିଲେ ହେଁ ତା’ଠାରୁ ବନ୍ଧୁକ ଜବତ କରିପାରିନାହିଁ। ଚଳିତ ବର୍ଷ ମାର୍ଚ୍ଚ ୯ତାରିଖରେ ଚନ୍ଦକା ଥାନା ମଳିପଡ଼ା ସଂଘର୍ଷବିହାର ଛକରେ ଘଟିଥିଲା ଅନ୍ୟ ଏକ ମାମଲା। ସରକାରୀ ଜମି ଜବରଦଖଲ କରି କିଣାବିକା କରୁଥିବା ଏକ ଗୋଷ୍ଠୀ ବିରୋଧ କରୁଥିବା ଗୋଷ୍ଠୀର ସଦସ୍ୟ ସୌମ୍ୟରଞ୍ଜନ ସାହୁଙ୍କୁ ଗୁଳି କରିଥିଲେ। ଏହି ମାମଲାରେ ସମ୍ପୃକ୍ତ କୁଖ୍ୟାତ ଅପରାଧୀ ବୁଲେଟ୍ ରାଜା, ଚିଙ୍ଗିଡ଼ା ଓ ନାଗ ସମେତ ୫ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ବନ୍ଧୁକ ଜବତ ହୋଇଥିଲା। ସୂଚନାଯୋଗ୍ୟ ଯେ ଶୁକ୍ରବାର ରାତିରେ ପିତାପଲ୍ଲୀ-କୁମାରବସ୍ତ ଛକ ପେଟ୍ରୋଲ୍ ପମ୍ପ ନିକଟରେ ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନାଙ୍କୁ ନୂଆପଲ୍ଲୀର ରାଜେଶ ଗୁଳି କରିଥିବା ଅଭିଯୋଗ ହୋଇଥିଲା। ୪ ରାଉଣ୍ଡ ଗୁଳି ଫୁଟିଥିଲେ ହେଁ ଚିନ୍ମୟ ବର୍ତ୍ତି ଯାଇଥିଲେ।
ଚନ୍ଦକାରେ ଗୁଳିକାଣ୍ଡ ଓ ବୋମାମାଡ଼ ମାମଲା: ବନ୍ଧାହେଲା ନାଗା
ଖଣ୍ଡଗିରି: ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖ ଦିନ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ସଂଘର୍ଷନଗର ଛକ ନିକଟରେ ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଥିଲା। ଏହି ମାମଲାରେ ଚନ୍ଦକା ଥାନା ପୁଲିସ ପୂର୍ବରୁ ୪ଜଣଙ୍କୁ ଗିରଫ କରିଥିଲା। ଆଜି ଆଉ ଜଣେ ଅଭିଯୁକ୍ତ ଭରତପୁର ଅଞ୍ଚଳର ସହଦେବ ବାରିକ ଓରଫ ନାଗା(୪୬)କୁ ଗିରଫ କରାଯାଇଛି। ତା’ ନିକଟରୁ ଗୋଟିଏ ୭.୬୫ ଏମ୍ଏମ୍ ପିସ୍ତଲ, ମୋବାଇଲ ଓ ବାଇକ୍ ଜବତ କରାଯାଇଛି। ପୂର୍ବରୁ ନାଗ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୧୨ରୁ ଅଧିକ ସଂଗିନ୍ ମାମଲା ରହିଛି। ସେ ଜଣେ ପେସାଦାର ଅପରାଧୀ ବୋଲି ପୁଲିସ କହିଛି।
ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ ଓ ଚନ୍ଦକା ଥାନା ମଳିପଡ଼ା ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ ଜବରଦଖଲ କରି ମାଫିଆମାନେ କିଣାବିକା କରୁଛନ୍ତି। ଏହାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଘଟଣା ଦିନ ଅପରାହ୍ଣ ପାଖାପାଖି ୩ଟା ସମୟରେ ମଳିପଡ଼ା ସଂଘର୍ଷବିହାର ଅଞ୍ଚଳରେ ଥିବା ପବିତ୍ର ଜେନାଙ୍କ ସିମେଣ୍ଟ ଗୋଦାମକୁ ସୌମ୍ୟରଞ୍ଜନ ସାହୁ ଯାଇଥିଲେ। ଏହି ସମୟରେ ଜମି ମାଫିଆମାନେ ସେଠାରେ ପହଞ୍ଚି ସୌମ୍ୟଙ୍କ ଉପରକୁ ଗୁଳିମାଡ଼ କରିବା ସହ ପବିତ୍ରଙ୍କ ଦୋକାନକୁ ବୋମାମାଡ଼ କରିଥିଲେ। ସୌମ୍ୟଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ବୋମାମାଡ଼ରେ ପବିତ୍ରଙ୍କ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ଚନ୍ଦକା ଥାନା ପୁଲିସ ଏହି ମାମଲାରେ ବୁଲେଟ୍ ରାଜା, ଚିଙ୍ଗିଡ଼ା, ପାପୁନ, ଆଶିଷକୁ ଗିରଫ କରିଥିଲା। କିନ୍ତୁ ଗୁଳିମାଡ଼ କରିଥିବା ନାଗା ଫେରାର ହୋଇଯାଇଥିଲା। ୩ମାସ ପରେ ପୁଲିସ ତାକୁ ଗିରଫ କରିଛି।