ଭୁବନେଶ୍ବର: ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶା ବେପାରୀ, ଖଣି ମାଫିଆ, ଗୋ-ଚାଲାଣକାରୀ ଓ ଜମି ମାଫିଆଙ୍କ ପାଖରେ ବନ୍ଧୁକ ଏକ ସାଧାରଣ ଅସ୍ତ୍ର ହୋଇଯାଇଛି। ଗତ ୭ମାସ ଭିତରେ ପୁଲିସ ଅପରାଧୀମାନଙ୍କଠାରୁ ୨୫ରୁ ଅଧିକ ବନ୍ଧୁକ ଜବତ କଲାଣି ଏବଂ ଏହି ଆଗ୍ନେୟାସ୍ତ୍ର ବ୍ୟବହାର କରୁଥିବା ୩୦ ଅପରାଧୀଙ୍କୁ ବାନ୍ଧି ଜେଲ୍ ପଠାଇଛି। ଏତେ ପରିମାଣର ପିସ୍ତଲ ଜବତ ହେବା କଥା କମିସନରେଟ୍ ପୁଲିସ ପାଇଁ ସଫଳତା ବୋଲି କୁହାଯାଉଥିଲେ ହେଁ ଅପରାଧୀଙ୍କ ଅଣ୍ଟାରେ ପିସ୍ତଲ ସାଧାରଣରେ ଚିନ୍ତା ବଢ଼ାଇଛି। ଶାନ୍ତିପ୍ରିୟ ଓଡ଼ିଶା ଖୁବ୍ଶୀଘ୍ର ବିହାର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। କଟକ ବୟାଳିଶ ମୌଜାରେ ବିହାରୀ ମାଫିଆ ପିସ୍ତଲ କାରଖାନା ବସାଇବା ଭଳି ଘଟଣା ପଦାକୁ ଆସିବା ପରେ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ପେସାଦାର ଅପରାଧୀଙ୍କଠାରୁ ଆରମ୍ଭ କରି ଅପରାଧ ଦୁନିଆରେ ପାଦ ଥାପିଥିବା ନୂଆ ଅପରାଧୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ବନ୍ଧୁକ ଦେଖାଗଲାଣି। ମାଉଜର୍, ପିସ୍ତଲ୍, ରିଭଲ୍ଭର୍ ଓ ସିଙ୍ଗଲ୍ ସଟ୍ ଦେଶୀ ବନ୍ଧୁକ ଦେଖିବାକୁ ମିଳୁଛି। ଅପରାଧୀମାନେ ଏଭଳି ରକ୍ତାମୁଖା ହୋଇଛନ୍ତି ଯେ କଥା କଥାକେ ବନ୍ଧୁକ ଉଠୁଛି। ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତା, ବନ୍ଧୁକ ଗର୍ଜନ ସାଧାରଣ ହୋଇଗଲାଣି। ସମ୍ପ୍ରତି ରାଜଧାନୀରେ ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ ହେଉଛି। ବଡ଼ କଥା ହେଉଛି, ଅପରାଧୀମାନେ ବନ୍ଧୁକ ଭଡ଼ାରେ ଲଗାଉଛନ୍ତି। ଅପରାଧୀମାନେ ଦିନକୁ ୫ ହଜାର ଟଙ୍କା ବନ୍ଧୁକ ଭଡ଼ାରେ ଲଗାଉଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଏବେ ବନ୍ଧୁକ ମାଫିଆମାନେ ପ୍ରଥମେ ବିହାର ବାଦ୍ ଉତ୍ତରପ୍ରଦେଶ ଓ ଗୁଜରାଟରୁ ବି ବନ୍ଧୁକ ଚାଲାଣ କରୁଛନ୍ତି। ସେଠାରୁ ବନ୍ଧୁକ ଆଣୁଥିବା ବନ୍ଧୁକକୁ ୩୦-୪୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଉଦ୍ବେଗର ବିଷୟ ପୁଲିସ ଅପରାଧୀଙ୍କୁ ବାନ୍ଧୁଥିଲେ ହେଁ ଯେଉଁମାନେ ରାଜଧାନୀକୁ ବନ୍ଧୁକ ଚାଲାଣ କରୁଛନ୍ତି, ସେମାନଙ୍କ ଟେର୍ ପାଉନାହିଁ।
ଖୋରାଠାରୁ ଧର୍ ଗ୍ୟାଙ୍ଗ୍
କିଛିଦିନ ତଳେ କମିସନରେଟ୍ ପୁଲିସ ୪ରୁ ଊର୍ଧ୍ବ ଗ୍ୟାଙ୍ଗ୍ଠାରୁ ବନ୍ଧୁକ ଜବତ କରିଥିଲା। ଗୋଲ୍ଡେନ୍ ଗ୍ୟାଙ୍ଗ୍ର ୫ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ସେହିପରି ଖୋରା ଗ୍ୟାଙ୍ଗ୍ର ୨ଜଣଙ୍କୁ ପୁଲିସ ଗିରଫ କରିବା ସହ ୨ଟି ବନ୍ଧୁକ ଜବତ କରିଥିଲା। ବିହାରୀ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ଓ ଧର୍ ଗ୍ୟାଙ୍ଗଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିଲା। ସେମାନେ ଖସିବା ପାଇଁ ପୁଲିସକୁ ଗୁଳି କରିବା ବେଳେ ଏନ୍କାଉଣ୍ଟର୍ର ଶିକାର ହୋଇଥିଲେ।
ମାଫିଆଙ୍କ ହାତରେ ବିହାର, ୟୁପି ଆଗ୍ନେୟାସ୍ତ୍ର
ରାଜଧାନୀରେ ସକ୍ରିୟ ଥିବା ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ଠାରୁ ଜବତ ହୋଇଛି ପୁଳାପୁଳା ବନ୍ଧୁକ ଓ ଗୁଳି। କିଛିଦିନ ତଳେ ଗୁଜରାଟ ଓ ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍ର ୩ ବନ୍ଧୁକ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରିଥିଲା। ସେହପରି ୟୁପିର ଏକ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍କୁ ଠାବ କରି ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ଜବତ କରିଥିଲା।
ନିଶା ବ୍ୟବସାୟୀଙ୍କ ପ୍ରମୁଖ ଅସ୍ତ୍ର ସାଜିଛି ବନ୍ଧୁକ
ନିଶା ବ୍ୟବସାୟୀ ନିଜକୁ ସୁରକ୍ଷା ଦେବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି। କିଛିଦିନ ତଳେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ କୁଖ୍ୟାତ ନିଶା ମାଫିଆ ସେକ୍ ଜାମ୍ସେଦ୍କୁ ଏନ୍କାଉଣ୍ଟର କଲାବେଳେ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ରାଜଧାନୀରେ ସକ୍ରିୟ ଥିବା ବହୁ ନିଶା ବ୍ୟବସାୟୀଙ୍କ ନିକଟରେ ବନ୍ଧୁକ ରହିଛି। ନିକଟରେ ବରମୁଣ୍ଡା ଖେଳପଡ଼ିଆରୁ ଗିରଫ ହୋଇଥିବା ଜଟଣୀ ଖୁଦୁପୁରର କାହ୍ନା ନିକଟରୁ ବନ୍ଧୁକ ଜବତ କରାଯାଇଛି। କାହ୍ନା ଜଣେ ନିଶାମାଫିଆ ଏବଂ ଖୋର୍ଦ୍ଧାରୁ ବ୍ରାଉନ୍ସୁଗାର ଆଣି ରାଜଧାନୀରେ ବେପାର କରୁଥିଲା। ଗୋଲ୍ଡେନ୍ ଗ୍ୟାଙ୍ଗ୍ ସହ ମିଶି ଡକାୟତି କରିବା ସହ ନିଶା କାରବାର କରୁଥିଲା।