ଭୁବନେଶ୍ବର: ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶାବେପାରୀ, ଖଣିମାଫିଆ, ଗୋ-ଚାଲାଣକାରୀ ଓ ଜମିମାଫିଆଙ୍କ ପାଖରେ ବନ୍ଧୁକ ଏକ ସାଧାରଣ ଅସ୍ତ୍ର ହୋଇଯାଇଛି। ଗତ ୧୦ମାସ ଭିତରେ ପୁଲିସ ଅପରାଧୀମାନଙ୍କଠାରୁ ୪୦ରୁ ଅଧିକ ବନ୍ଧୁକ ଜବତ କଲାଣି ଏବଂ ଏହି ଆଗ୍ନେୟାସ୍ତ୍ର ବ୍ୟବହାର କରୁଥିବା ୩୯ ଅପରାଧୀଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏତେ ପରିମାଣର ପିସ୍ତଲ ଜବତ ହେବା କଥା କମିସନରେଟ୍‌ ପୁଲିସ ପାଇଁ ସଫଳତା ବୋଲି କୁହାଯାଉଥିଲେ ହେଁ ଅପରାଧୀଙ୍କ ଅଣ୍ଟାରେ ପିସ୍ତଲ ସାଧାରଣରେ ଚିନ୍ତା ବଢ଼ାଇଛି। ଶାନ୍ତିପ୍ରିୟ ଓଡ଼ିଶା ଖୁବ୍‌ଶୀଘ୍ର ବିହାର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କଟକ ବୟାଳିଶ ମୌଜାରେ ବିହାରୀ ମାଫିଆ ପିସ୍ତଲ କାରଖାନା ବସାଇବା ଭଳି ଘଟଣା ପଦାକୁ ଆସିବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। 

Advertisment

ପେସାଦାର ଅପରାଧୀଙ୍କଠାରୁ ଆରମ୍ଭ କରି ଅପରାଧ ଦୁନିଆରେ ପାଦ ଥାପିଥିବା ନୂଆ ଅପରାଧୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏବେ ବନ୍ଧୁକ। ମାଉଜର୍‌, ପିସ୍ତଲ୍‌, ରିଭଲ୍‌ଭର୍‌ ଓ ସିଙ୍ଗଲ୍‌ ସଟ୍‌ ଦେଶୀ ବନ୍ଧୁକ ଦେଖିବାକୁ ମିଳୁଛି। ଅପରାଧୀମାନେ ଏଭଳି ରକ୍ତାମୁଖା ହୋଇଛନ୍ତି ଯେ କଥା କଥାକେ ବନ୍ଧୁକ ଉଠୁଛି। ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତା, ବନ୍ଧୁକ ଗର୍ଜନ ସାଧାରଣ ହୋଇଗଲାଣି। ରାଜଧାନୀରେ ଜମିବାଡ଼ି ବିବାଦକୁ ନେଇ ମଧ୍ୟ ଗୁଳିମାଡ଼ ହେଉଛି ଓ ଜୀବନ ଯାଉଛି। କେହି କେହି ପଙ୍ଗୁ‌ ହୋଇଯାଉଛନ୍ତି। ବଡ଼ କଥା ହେଉଛି, ଅପରାଧୀମାନେ ବନ୍ଧୁକ ଭଡ଼ାରେ ଲଗାଉଛନ୍ତି। ଅପରାଧୀମାନେ ଦିନକୁ ୫ ହଜାର ଟଙ୍କାରେ ବନ୍ଧୁକ ଭଡ଼ାରେ ‌ଲଗାଉଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଏବେ ବନ୍ଧୁକ ମାଫିଆମାନେ ପ୍ରଥମେ ବିହାରରୁ ବନ୍ଧୁକ ଆଣୁଥିଲେ। ଏବେ ଉତ୍ତରପ୍ରଦେଶ ଓ ଗୁଜରାଟରୁ ବି ବନ୍ଧୁକ ଆଣୁଛନ୍ତି। ସେଠାରୁ ବନ୍ଧୁକ ଆଣୁଥିବା ବନ୍ଧୁକକୁ ୩୦-୪୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଉଦ୍‌ବେଗର ବିଷୟ ପୁଲିସ ଅପରାଧୀଙ୍କୁ ବାନ୍ଧୁଥିଲେ ହେଁ ଯେଉଁମାନେ ରାଜଧାନୀକୁ ବନ୍ଧୁକ ଚାଲାଣ କରୁଛନ୍ତି,  ରୢକେଟ୍‌ ପଛର ମାଷ୍ଟରମାଇଣ୍ଡ ତାଙ୍କ ନିକଟରେ ପୁଲିସ ପହଞ୍ଚିପାରୁ ନାହିଁ। ଫଳରେ ବନ୍ଧୁକ ଚାଲାଣ ଉପରେ ରୋକ୍‌ ଲଗାଇବା କାଠିକରପାଠ ହୋଇଛି। 

ଗ୍ୟାଙ୍ଗ ଅପରାଧୀଙ୍କ ମୁଖ୍ୟ ଅସ୍ତ୍ର ମାଉଜର୍‌

କିଛିଦିନ ତଳେ କମିସନରେଟ୍‌ ପୁଲିସ ୫ରୁ ଅଧିକ ଗ୍ୟାଙ୍ଗ୍‌ଠାରୁ ବନ୍ଧୁକ ଜବତ କରିଥିଲା। ଗୋଲ୍ଡେନ୍‌ ଗ୍ୟାଙ୍ଗ୍‌ର ୫ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ  ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ସେହିପରି ଖୋରା ଗ୍ୟାଙ୍ଗ୍‌ର ୨ଜଣଙ୍କୁ ପୁଲିସ ଗିରଫ କରିବା ସହ ୨ଟି ବନ୍ଧୁକ ଜବତ କରିଥିଲା। ବିହାରୀ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ଓ ଧର୍‌ ଗ୍ୟାଙ୍ଗଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିଲା। ସେମାନେ ଖସିବା ପାଇଁ ପୁଲିସକୁ ଗୁଳି କରିବା ବେଳେ ଏନ୍‌କାଉଣ୍ଟର୍‌ର ଶିକାର ହୋଇଥିଲେ।  ବିହାରୀ ମାଫିଆ ଗ୍ୟାଙ୍ଗର ୩ଜଣଙ୍କୁ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଗିରଫ କରି ୮ଟି ବନ୍ଧୁକ, ୩୪ ରାଉଣ୍ଡ ଗୁଳି ଜବତ କରିଥିଲା।

ବିହାର ଓ ୟୁପି ବନ୍ଧୁକ ହବ୍‌

କିଛିଦିନ ତଳେ ଗୁଜରାଟ ଓ ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‌ର ୩ ବନ୍ଧୁକ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା।  ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରିଥିଲା। ସେହିପରି ୟୁପିର ଏକ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍‌କୁ ଠାବ କରି ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ଜବତ କରିଥିଲା। ଏପର୍ଯ୍ୟନ୍ତ ଜବତ ହୋଇଥିବା ଅଧିକାଂଶ ବନ୍ଧୁକ ଓ ଗୁଳି ବିହାର ଓ ୟୁପିରୁ ଆସୁଥିବା ମାଫିଆଙ୍କୁ ଜେରା ବେଳେ ଜଣାପଡ଼ିଛି। 

ନିଶା ବ୍ୟବସାୟୀଙ୍କ ପ୍ରମୁଖ ଅସ୍ତ୍ର 

ନିଶା ବ୍ୟବସାୟୀ ନିଜକୁ ସୁରକ୍ଷା ଦେବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି। କିଛିଦିନ ତଳେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ କୁଖ୍ୟାତ ନିଶା ମାଫିଆ ସେକ୍‌ ଜାମ୍‌ସେଦ୍‌କୁ ଏନ୍‌କାଉଣ୍ଟର କଲାବେଳେ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ରାଜଧାନୀରେ ସକ୍ରିୟ ଥିବା ବହୁ ନିଶା ବ୍ୟବସାୟୀଙ୍କ ନିକଟରେ ବନ୍ଧୁକ ରହିଛି। ନିକଟରେ ବରମୁଣ୍ଡା ‌ଖେଳପଡ଼ିଆରୁ ଗିରଫ ହୋଇଥିବା ଜଟଣୀ ଖୁଦୁପୁରର କାହ୍ନା ନିକଟରୁ ବନ୍ଧୁକ ଜବତ କରାଯାଇଛି। କାହ୍ନା ଜଣେ ନିଶାମାଫିଆ ଏବଂ ଖୋର୍ଦ୍ଧାରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀରେ ବେପାର କରୁଥିଲା। ଗୋଲ୍‌ଡେନ୍‌ ଗ୍ୟାଙ୍ଗ୍‌ ସହ ମିଶି ଡକାୟତି କରିବା ସହ ନିଶା କାରବାର କରୁଥିଲା।