ସରିଲା ‘ଗୁରୁ ଦକ୍ଷିଣା ଉତ୍ସବ’ : ରଘୁନାଥ ମହାପାତ୍ରଙ୍କୁ ‘ଗୁରୁ ଦକ୍ଷିଣା ସମ୍ମାନ’

ଧବଲ କ୍ଷତ୍ରୀଙ୍କୁ ‘ସୃଜନଶୀଳ ପ୍ରତିଭା ସମ୍ମାନ’

ଭୁବନେଶ୍ବର : ନୃତ୍ୟାନୁଷ୍ଠାନ ‘କଳାଶ୍ରମ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ତିନିଦିନିଆ ‘ଗୁରୁ ଦକ୍ଷିଣା ଉତ୍ସବ’ ଶେଷ ହୋଇଛି। ଉଦ୍‌ଯାପନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଜାଗ୍ରତ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ପରିବେଷିତ ‘ଫ୍ୟୁଜନ୍‌ ନୃତ୍ୟ’। ଏହାପରେ ଚିନ୍ମୟୀ କ୍ଲାସିକ୍‌ ଅନୁଷ୍ଠାନ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ‘ଜୟ ଜଗଦୀଶ ହରେ’ ନୃତ୍ୟାଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଖ୍ୟାତନାମା ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ଧବଲ କ୍ଷତ୍ରୀଙ୍କ ଦ୍ବାରା ମଞ୍ଚରେ ପ୍ରସ୍ତୁତ ‘କ୍ରିଏଟିଭ୍‌ ପେଣ୍ଟିଂ’ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପରେ ‘ନୃତ୍ୟାୟନା’ର ଶିଳ୍ପୀମାନଙ୍କ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଥିଲା ମଞ୍ଚ। ଗୁରୁ ଚିତ୍ରସେନ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଆରାଧନା ଡ୍ୟାନ୍‌ସ ଏକାଡେମିର ଶିଳ୍ପୀମାନେ ଗୋଟିପୁଅ ଓ ଓଡ଼ିଶୀର ଏକ ମିଳିତ ନୃତ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ‘ଗୁରୁ ଦକ୍ଷିଣା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଚିତ୍ରଶିଳ୍ପୀ ଧବଲ କ୍ଷତ୍ରୀଙ୍କୁ ‘ସୃଜନଶୀଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜକିଶୋର ଦାସ, ଗୁରୁ ଗୋପାଳଚନ୍ଦ୍ର ପଣ୍ଡା, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ମୁମ୍ବାଇର ବରିଷ୍ଠ ଅଧିକାରୀ ପ୍ରକାଶ ପାତ୍ର, ଗୁରୁ ଧନେଶ୍ବର ସ୍ବାଇଁ, ଗୁରୁ ବିମ୍ବାଧର ଦାସ ପ୍ରମୁଖ ଯୋଗ ଦେଇଥିଲେ। ‘କଳାଶ୍ରମ’ର ଉପଦେଷ୍ଟା ମନୋଜ ଦାସ ସ୍ବାଗତ ଭାଷଣ ଦେଇଥିଲେ ଓ ବିଶ୍ବଜିତ ବଳିଆରସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର