୧୩ରୁ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ, ୭ ଶିଳ୍ପୀଙ୍କୁ ‘ଗୁରୁ ଦେବପ୍ରସାଦ ପ୍ରତିଭା ସମ୍ମାନ’

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଚତୁର୍ଦ୍ଦଶ ‘ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ’ ଆସନ୍ତା ୧୩ ତାରିଖରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସଂଧ୍ୟାରେ ‘ତ୍ରିଧାରା’ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟନାଟିକା ‘ସଂକ୍ଷିପ୍ତ ରାମାୟଣ’ ପରିବେଷିତ ହେବ। ପରେ ଭଜନ ସମ୍ରାଟ ଅନୁପ ଜଲୋଟା ଭଜନ ପରିବେଷଣ କରିବେ। ସଂଗୀତ କ୍ଷେତ୍ରରେ ଆଜୀବନ ସାଧନା ଲାଗି ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଦ୍ବିତୀୟ ସଂଧ୍ୟାରେ କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ‘ବିଘ୍ନ ବିନାଶନ’ ପରିବେଷିତ ହେବ।

ପ୍ରତିଭା ପଣ୍ଡା ଓ ତାଙ୍କ କନ୍ୟା ଅଦିତି ପଣ୍ଡା ଯୁଗ୍ମ ଛଉନୃତ୍ୟ ‘ରସଲତା’ ପରିବେଷଣ କରିବେ। ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ବିଦୁଷୀ ଶ୍ୟାମାମଣି ପଟ୍ଟନାୟକ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, କନ୍ୟା ସଙ୍ଗୀତା ପଣ୍ଡା ଓ ଗୁରୁ ଦାମୋଦର ହୋତା ପ୍ରମୁଖ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିବେ। ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପାଇଁ ପଦ୍ମଶ୍ରୀ ଅରୁଣା ମହାନ୍ତି, ସାତ୍ରିୟା ନୃତ୍ୟ ପାଇଁ ପଦ୍ମଶ୍ରୀ ଘନକାନ୍ତ ବୋରା, ମୋହିନୀଆଟ୍ଟମ ପାଇଁ ଗୁରୁ ଗୋପିକା ବର୍ମାଙ୍କ ସମେତ ୪ ପ୍ରତିଭାବାନ୍‌ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ‘ଗୁରୁ ଦେବପ୍ରସାଦ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର