ସରିଲା ‘ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ’ : ବିମୋହିତ କଲା ଓଡ଼ିଶୀ, ମୋହିନୀଆଟ୍ଟମ୍

ଭୁବନେଶ୍ୱର : ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୩ ଦିନ ଧରି ଚାଲିଥିବା ‘ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିନରେ ଓଡ଼ିଶୀ, ମୋହିନୀଆଟ୍ଟମ୍‌ ଓ ସାତ୍ରୀୟ ନୃତ୍ୟ ଦର୍ଶକଙ୍କୁ ବିଭୋର୍‌ କରିଥିଲା। ଏହି ଅବସରରେ ଚଳିତ ବର୍ଷ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ପ୍ରଫେସର୍‌ ମନୋଜ କୁମାର ବେହେରା, ଗୁରୁ ପ୍ରତିଭା ପଣ୍ଡା, ଗୁରୁ ବିନୋଦ ଚନ୍ଦ୍ର ସାହୁ ଓ ଗୁରୁ ପାଲୋମି ମଣ୍ଡଳଙ୍କୁ ସମ୍ମାନଜନକ ‘ଗୁରୁ ଦେବପ୍ରସାଦ ପ୍ରତୀକ ପୁରସ୍କାର ୨୦୨୦’ ପ୍ରଦାନ କରାଯାଇଥିଲା।

ପରେ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ନୃତ୍ୟର ମନୋରମ ଆସର। ସନ୍ଥ କବି ଭୀମ ଭୋଇଙ୍କ କବିତା ‘ବିଶ୍ବ ପ୍ରକାଶ- ବ୍ରହ୍ମାଣ୍ଡକୁ ଆଲୋକିତ କରିବା… କୁ ନୃତ୍ୟରେ ସୁସଜ୍ଜିତ କରି ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଅରୁଣା ମହାନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା କେନ୍ଦ୍ରୀୟ ସଂଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ବିଦୁଷୀ ଗୋପିକା ବର୍ମାଙ୍କ ଦ୍ୱାରା ମୋହିନୀଆଟ୍ଟମ୍‌ ନୃତ୍ୟ। ତାଙ୍କ ପ୍ରସ୍ତୁତିରେ ଥିଲା ମହାରାଜା ସ୍ୱାମୀ ତିରୁନାଲ୍ଲାକ ରଚିତ ଭଜନ ‘ବିଶ୍ଳେଷର ଦର୍ଶନ କର ଚଲ ମନ୍‍ ତୁ କାଶୀ’। ଅନ୍ତିମ ଉପସ୍ଥାପନା ଥିଲା ଗୁରୁ ଘନକାନ୍ତ ବୋରା ଓ ଅନ୍ବେଷା ମହନ୍ତଙ୍କ ଦ୍ୱାରା ସାତ୍ରୀୟ ନୃତ୍ୟ ପରିବେଷଣ। ବିଷ୍ଣୁଙ୍କ ନରସିଂହ ଅବତାର ଉପରେ ଆଧାରିତ ‘ନୃସିଂହ ଲୀଳା’ ସାତ୍ରୀୟ ନୃତ୍ୟ ଦର୍ଶକଙ୍କୁ ଭିନ୍ନ ଏକ ଅନୁଭୂତି ଦେଇଥିଲା। ଏହା ଶ୍ରୀମନ୍ତ ଶଙ୍କର ଦେବଙ୍କ ‘ପ୍ରହଲ୍ଲାଦ ଚରିତ୍ର ଅଧ୍ୟାୟ’ରୁ ଉଦ୍ଧୃତ ହୋଇଥିଲା।

ଉଦ୍‍ଯାପନୀ ସଂଧ୍ୟାରେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଧାୟକ ଦେବୀପ୍ରସାଦ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ତ୍ରିଧାରା’ର କାର୍ଯ୍ୟରତ ସମ୍ପାଦକ ସୀମାଞ୍ଚଳ ପଣ୍ଡା ଓ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର