ଗୁରୁ ହିଁ ସାକ୍ଷାତ ଈଶ୍ବର

ଭୁବନେଶ୍ବର: ଗୁରୁଙ୍କ ବିନା ଜୀବନ ଅଚିନ୍ତନୀୟ, ଅକଳ୍ପନୀୟ। ଜଣେ ଭଲ ଗୁରୁ ନ ମିଳିଲେ, ମଣିଷ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରେ ନାହିଁ। ଗୁରୁଙ୍କ ହାତ ଧରି ବାଟ ଚାଲିଲେ, ଜୀବନରେ ବିଫଳତା ପାଖ ମାଡ଼େନା। ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତା ପଛରେ ତା’ ଗୁରୁଙ୍କ ହାତ ରହିଥାଏ; ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ପବିତ୍ର ଗୁରୁଦିବସ ଅବସରରେ ଛାତ୍ର ସମାଜକୁ ଉଚିତ ଦିଗ୍‌ଦର୍ଶନ ଦେଇ ଆସୁଥିବା ସେମିତି କିଛି ଗୁରୁଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଛାତ୍ରଛାତ୍ରୀ କେବେ ଶିଖିବା ଛାଡ଼ନ୍ତୁ ନାହିଁ

ପୁରାତନ ଛାତ୍ରଛାତ୍ରୀମାନେ ଆମ ପାଖକୁ ଆସି ଖୁସି ଓ ଶ୍ରଦ୍ଧାରେ ଗୁରୁ ଦିବସ ପାଳିଲେ, ଶିକ୍ଷକ ଜୀବନର ସାର୍ଥକତା ଅନୁଭବ ହୁଏ। ଜଣେ ଗୁରୁ ପାଇଁ ଏହା ହିଁ ବୋଧେ ଜୀବନର ସବୁଠୁ ବଡ଼ ପୁରସ୍କାର। ଆଜିର ଏ ପବିତ୍ର ଦିବସରେ ଛାତ୍ରଛାତ୍ରୀମାନଙ୍କୁ କହିବି ଯେ ସେମାନେ ଗୁରୁଜନ ଓ ଶିକ୍ଷକମାନଙ୍କ ପାଖରେ ସର୍ବଦା ନମ୍ର ରୁହନ୍ତୁ ଏବଂ ସବୁ ସମୟରେ ଶିଖିବାକୁ ଚେଷ୍ଟା କରନ୍ତୁ। ଏମିତି କଲେ, ଜୀବନରେ ସଫଳତାର ଶୀର୍ଷ ଛୁଇଁବା ସେମାନଙ୍କ ପାଇଁ ସହଜ ହେବ।
ପଲ୍ଲୀ ପଟ୍ଟନାୟକ, ଅଧ୍ୟକ୍ଷା, ମଦର୍ସ ପବ୍ଲିକ୍‌ ସ୍କୁଲ

ଗୁରୁ-ଶିଷ୍ୟ ସଂପର୍କ ବନ୍ଧୁ ଭଳି ହେଉ

ଗୁରୁ-ଶିଷ୍ୟର ପ୍ରାଚୀନ ପରମ୍ପରାକୁ ମନେ ପକାଇବା ପାଇଁ ଆମେ ପ୍ରତିବର୍ଷ ଗୁରୁ ଦିବସ ପାଳୁଛେ। ତେବେ ଆଜିର ଦିନରେ ଛାତ୍ରଛାତ୍ରୀମାନଙ୍କୁ ଏତିକି ପରାମର୍ଶ ‌ଦେବି ଯେ ସେମାନେ ପରୀକ୍ଷାରେ ନମ୍ବର ପ୍ରତି ଅଧିକ ଲୋଭଗ୍ରସ୍ତ ନ ହୋଇ ଭଲ ମଣିଷଟିଏ ହେବାକୁ ଅବିରତ ଉଦ୍ୟମ କରନ୍ତୁ। ଶିକ୍ଷକଙ୍କୁ ବନ୍ଧୁଟିଏ ଭାବି ନିଜର ସମସ୍ତ ସନ୍ଦେହ ଦୂର କରାନ୍ତୁ। ଏହାସହ ପାଠ ବ୍ୟତୀତ ଯେଉଁ ସୃଜନଶୀଳ କାର୍ଯ୍ୟରେ ରୁଚି ରହିଛି, ସେଥିପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ। ଶିକ୍ଷକମାନେ ମଧ୍ୟ ଦୁର୍ବଳ ପିଲାଙ୍କୁ ଗାଳିଦେବା କିମ୍ବା ହତୋତ୍ସାହିତ କରିବା ବଦଳରେ ବନ୍ଧୁଟିଏ ହୋଇ ତାଙ୍କର ଉତ୍ଥାନ ପାଇଁ ଚେଷ୍ଟା କରନ୍ତୁ।
କେଶବ ଚନ୍ଦ୍ର ଶତପଥୀ, ଆଞ୍ଚଳିକ ନିର୍ଦ୍ଦେଶକ, ଡିଏଭି ଶିକ୍ଷା ସମୂହ, ଓଡ଼ିଶା

ପିଲାମାନଙ୍କ ସଫଳତା‌ରେ ଶିକ୍ଷକର ଅସଲ ଖୁସି

ଛାତ୍ରଛାତ୍ରୀଙ୍କ ସଫଳତା ଓ ଉନ୍ନତି‌ରେ ହିଁ ଶିକ୍ଷକର ଅସଲ ଖୁସି। ଜଣେ ଶିକ୍ଷକ ସବୁବେଳେ ତା’ ଛାତ୍ରଛାତ୍ରୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରେ। ପିଲାମାନେ ଯେଉଁଠି ଥିଲେ ବି ଗୁରୁଙ୍କୁ ମନେ ପକାଉଛନ୍ତି। ତାହା ପିଲାଙ୍କ ମହାନତାକୁ ଦର୍ଶାଉଛି। ଏହି ଦୃଷ୍ଟିରୁ ଶିକ୍ଷକମାନେ ପିଲାଙ୍କୁ ଭଲ ପାଇବା ଏବଂ ତାଙ୍କର ବ୍ୟକ୍ତିତ୍ବ ବିକାଶରେ ଗୁରୁତ୍ବ ଦେବା ଆବଶ୍ୟକ। ଏହାସହ ବାପା, ମା’ଙ୍କୁ ମଧ୍ୟ ପିଲାମା‌ନେ ସେହିଭଳି ସମ୍ମାନ ଏବଂ ଭଲ ପାଇବା ଦିଅନ୍ତୁ। ତେବେ ଯାଇ ଜୀବନର ସର୍ବୋତ୍ତମ ଶିଖର ଛୁଇଁବାରେ କୌଣସି ବାଧା ଉପୁଜିବ ନାହିଁ।
ସତ୍ୟବ୍ରତ ମୀନକେତନ, ଅଧ୍ୟକ୍ଷ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ

ଶିଷ୍ୟ ବିନା ଗୁରୁ ଅସଂପୂର୍ଣ୍ଣ

ଗୁରୁ-ଶିଷ୍ୟ ପରମ୍ପରାରେ ଉଭୟଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଉଭୟ ପରସ୍ପର ବିନା ଅସଂପୂର୍ଣ୍ଣ। ଛାତ୍ରଛାତ୍ରୀମାନଙ୍କୁ ଏତିକି କହିବି ଯେ ସେମାନେ ପିତାମାତାଙ୍କ ସ୍ବପ୍ନ ଏବଂ ପରିଶ୍ରମକୁ ସାର୍ଥକ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ। ଯାହା ବି ପଢ଼ୁଛନ୍ତି, ସେଥିରେ ନିୟମିତତା, ଏକାଗ୍ରତା ଓ କଠିନ ପରିଶ୍ରମ ଜାରି ରଖନ୍ତୁ। ତେବେ ଯାଇ ପିତା, ମାତା ଓ ଗୁରୁଜନ ସମସ୍ତଙ୍କ ଶ୍ରମ ସାର୍ଥକ ହେବ।
ସନ୍ନି କୁମାର ଶୁକ୍ଲା, ନିର୍ଦ୍ଦେଶକ, କୌଟିଲ୍ୟ ସ୍କୁଲ

ଶିକ୍ଷା ସହ ଉତ୍ତମ ଚରିତ୍ର ଗଠନ କରନ୍ତୁ ଗୁରୁ

ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଆସୁଛେ। ଏହାସହ ତାଙ୍କୁ ଅନୁସରଣ କରି ଆମେ ଶିକ୍ଷାଦାନ ଦେବାରେ ସଫଳ ହୋଇପାରୁଛୁ। ଏହି ଅବସରରେ ମୁଁ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିବି ଯେ ସେମାନେ ପାଠ୍ୟପୁସ୍ତକ ପଢ଼ିବା ବ୍ୟତୀତ ଆଧ୍ୟାତ୍ମିକତା, ନିଜ ରୁଚି ଓ ସୃଜନଶୀଳତା ଉପରେ ବିଶେଷ ଗୁରୁତ୍ବ ଦିଅନ୍ତୁ। ତେବେ ଯାଇ ଜଣେ ସଫଳ ମଣିଷ ହୋଇପାରିବେ। ଏହାସହ ଗୁରୁମାନେ ଶିକ୍ଷା‌ଦାନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଚରିତ୍ର ଗଠନ ଉପରେ ମଧ୍ୟ ଦୃଷ୍ଟି ଦିଅନ୍ତୁ।
ପ୍ରଦୀପ କୁମାର ପଢ଼ିହାରୀ, ପ୍ରତିଷ୍ଠାତା, କନ୍‌ସେପ୍ଟ ଟ୍ୟୁଟୋରିଆଲ୍‌

ଗୁରୁ-ଶିଷ୍ୟ ସମ୍ପର୍କ ଅତୁଟ

ଗୋଟେ ପିଲାର ସୁନ୍ଦର ଭବିଷ୍ୟତ ଗଢ଼ି ତୋଳିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କରୋନା‌ର ପ୍ରତିକୂଳ ପରିସ୍ଥିତିରେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ କରି ଗୁରୁମାନେ ଏହାର ପ୍ରମାଣ ଦେଇ ସାରିଛନ୍ତି। ଏ ଦୃଷ୍ଟିରୁ ଗୁରୁଙ୍କୁ ମଧ୍ୟ ସମ୍ମୁଖ ଯୋଦ୍ଧା ବୋଲି ଖୋଦ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଗୁରୁମାନଙ୍କୁ ଉତ୍ତମ ମାର୍ଗଦର୍ଶନ କରି ଯାଇଛନ୍ତି। ତାହାକୁ କେବଳ ଆମେ ଅନୁସରଣ କରୁଛୁ। ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଏକ ଅତୁଟ ବନ୍ଧନ। ଏ ଦୃଷ୍ଟିରୁ ଗୁରୁମାନେ ନିଜକୁ ସଠିକ ମାର୍ଗରେ ନିଅନ୍ତୁ ଏବଂ ପିଲାଙ୍କୁ ସଠିକ୍‌ ରାସ୍ତା ଦେଖାନ୍ତୁ। ଏହାସହ ପିଲାମାନେ ମଧ୍ୟ ଗୁରୁଙ୍କୁ ସମ୍ମାନ ଜଣାଇ ସଫଳତାର ଶିଖର ଛୁଇଁ ଗୌରାବାନ୍ବିତ କରାନ୍ତୁ।
ସୁଶ୍ରୀ ସନ୍ଧ୍ୟା ଜେନା, ଅଧ୍ୟକ୍ଷ, ବିଜିଏମ୍‌ ସ୍କୁଲ

ସମ୍ବନ୍ଧିତ ଖବର