ଗୁରୁ ମୋ ଦେବତା…. ଗୁରୁଙ୍କ ସ୍ମୃତିଚାରଣ କଲେ ସଂଗୀତଜ୍ଞ ଶ୍ୟମାମଣି ଦେବୀ ଓ ନୃତ୍ୟଗୁରୁ ଅରୁଣା ମହାନ୍ତି

ଭୁବନେଶ୍ବର : ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କରୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଗୁରୁ। ଯିଏ ଶିଷ୍ୟର ସାମର୍ଥ୍ୟକୁ ପଢ଼ି ପାରନ୍ତି ଏବଂ ତାକୁ ଘଷି ମାଜି ଚକ୍‌ଚକ୍‌ ବି କରିପାରନ୍ତି। ଗୁରୁଙ୍କ ଶିକ୍ଷାଦାନର ପ୍ରଭାବ ତାଙ୍କ ଶିଷ୍ୟଶିଷ୍ୟାଙ୍କ ପ୍ରସିଦ୍ଧି ହିଁ ବ୍ୟକ୍ତ କରିଦିଏ। ଗୁରୁ ଦିବସରେ ଦୁଇ ଦିବଂଗତ ଗୁରୁଙ୍କୁ ଉଦାହରଣ ଭାବେ ନେଇ ଗୁରୁଙ୍କ ମହତ୍ତ୍ବକୁ ଉପଲବ୍ଧି କରାଇବା ପାଇଁ ଦୁଇ ଶିଷ୍ୟାଙ୍କଠାରୁ ସାଉଁଟିଥିଲୁ ଗୁରୁଙ୍କ ସହ ଅଭିଜ୍ଞତାର ଅନ୍ତର କଥା।

ଅଭିଜ୍ଞତାର ଗନ୍ତାଘରରେ ମୋ ଗୁରୁଙ୍କ ପଦଚିହ୍ନ
ଭଗବାନଙ୍କୁ ସ୍ବଚକ୍ଷୁରେ କେବେ ଦେଖିନାହିଁ, କିନ୍ତୁ ଭଗବାନରୂପୀ ଗୁରୁଙ୍କ ସଂସ୍ପର୍ଶରେ ଆସି ଅନେକ କିଛି ଆହରଣ କରିଛି। ଗୁରୁ ଗଙ୍ଗାଧର ପ୍ରଧାନ କେବଳ ‌ମୋତେ ନୃତ୍ୟ ଶିକ୍ଷା ଦେଇନାହାନ୍ତି ବରଂ ଅଭିଜ୍ଞତାର ଗନ୍ତାଘରରେ ମୋ ଗୁରୁଙ୍କ ପଦଚିହ୍ନ ରହିଛି ବୋଲି କହିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି। ସେ ଏମିତି ଜଣେ ଗୁରୁ ଥିଲେ, ଯିଏ ୨୫ବର୍ଷ ତଳେ ମହାନଦୀରେ ନୌକାରେ ନୌକା ଯୋଡ଼ି ତା’ ଉପରେ ମଞ୍ଚ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ପରିକଳ୍ପନା କରିପାରୁଥିଲେ। ଭିନ୍ନ କିଛି ଚିନ୍ତା କରିବା ତାଙ୍କଠାରୁ ଶିଖିଛି। ନୃତ୍ୟ ପରିବେଷଣ ବେଳେ ନିଜର ପୋଷାକ, ଅଳଙ୍କାର, ସଂଗୀତ ପ୍ରତିଟି କ୍ଷେତ୍ରରେ ସେ ଆମମାନଙ୍କୁ ସମ୍ପୃକ୍ତ କରାଉଥିଲେ। ସଂସ୍କୃତର ଓଡ଼ିଆ ବ୍ୟାଖ୍ୟା କରେଇ ଆଣିବା ପାଇଁ ମୋତେ ପଠାଉଥିଲେ। ସେତେ‌ବେଳେ ଯଦିଓ ପିଲାମନରେ ଏସବୁ ଚିଡି ଲାଗୁଥିଲା, କିନ୍ତୁ ଆଜି ଯଦି ମୁଁ ଓଡ଼ିଶୀ ନୃତ୍ୟ ଜଗତରେ କିଛି ବି ହୋଇପାରିଛି, ତେବେ ସେ ସବୁ ମୋ ଗୁରୁଙ୍କ ପାଇଁ ସମ୍ଭବ ହୋଇଛି। ନୃତ୍ୟ ଛଡ଼ା ସେ ନିଜ ପାଇଁ କିମ୍ବା ପରିବାର ପାଇଁ କିଛି ବି କରିନାହାନ୍ତି। ଓଡ଼ିଶୀ ନୃତ୍ୟ ପାଇଁ ସମର୍ପିତ ଏଭଳି ଦୃଷ୍ଟାନ୍ତ ବିରଳ।

ପ୍ରତିଟି ଶବ୍ଦରେ ଭାବ ଭରିବା ଶିଖେଇ ଦେଇଥିଲେ
ଓଡ଼ିଆ ସଂଗୀତ ଜଗତରେ ଯେଉଁ କେତେଜଣ ଗୁରୁଙ୍କ ସ୍ମୃତି ଆଜି ବି ଅପା‌ସୋରା ହୋଇ ରହିଛି, ସେମିତି ଜଣେ ଗୁରୁ ଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ସଂଗୀତ ଜଗତକୁ ହୀରାମାନଙ୍କୁ ଭେଟି ଦେଇଥିବା ଖଣି ଥିଲେ ସଂଗୀତ ସୁଧାକର। ସ୍ବର ସାମ୍ରାଜ୍ୟରେ ନିଜର ପତିଆରା ସୃଷ୍ଟି କରିଥିବା ଶ୍ୟାମାମଣି ଦେବୀ ଏବେ ବି ସ୍ବୀକାର କରନ୍ତି, ଯଦି ଆଜି ସେ ନାଁ କମେଇଛନ୍ତି, ତାହା ଥିଲା ତାଙ୍କ ଗୁରୁ ସଂଗୀତ ସୁଧାକରଙ୍କ ପ୍ରଭାବ। ଶ୍ୟାମାମଣି କୁହନ୍ତି, କୌଣସି ଶିଷ୍ୟ ଶିଷ୍ୟାଙ୍କୁ ଗୀତ ଶିଖାଇବା ପୂର୍ବରୁ ସେ ତା’ର ଗ୍ରହଣ କରିବାର କ୍ଷମତା ପରଖି ନେଉଥିଲେ। ଗଳାର ସ୍ବର ଓ ଗାଇବାର ଭଙ୍ଗୀ ଦେଖି ସାର୍‌ ନିର୍ଦ୍ଦିଷ୍ଟ ଗୀତ ବାଛି ଦେଉଥିଲେ। ନିଜର ଏକ ଅଭିଜ୍ଞତାକୁ ଆଧାର କରି ସେ କୁହନ୍ତି, ସଂଗୀତ ଶିକ୍ଷାଦାନ ବେଳେ ସେ ପ୍ରତିଟି ଶବ୍ଦରେ କେମିତି ଭାବ ଭରି ହେବ ଶିଖାଇ ଦେଇଥିଲେ। ସାର୍‌ ଗାୟନ ଶୈଳୀ, ଭାବ ଓ ଲାଳିତ୍ୟକୁ ବିଚରଣ କରିବାରେ କୁଣ୍ଠିତ ହେଉନଥିଲେ। ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରି ଦେବାରେ ସେ ଥିଲେ ଜଣେ ଅନନ୍ୟ ପ୍ରେରଣାଦାତା। ‘ଶ୍ୟାମକୁ ଜୁହାର’ ସଂଗୀତ କ୍ୟାସେଟ୍‌ରେ ନିଜେ ଗାଇବାର ଥିଲେ ହେଁ ମୋ ଉପରେ ଭରସା କରି ଏଥିରେ ସମସ୍ତ ଗୀତ ଗାଇବାକୁ କହିଲେ। ଗୀତ ରେକର୍ଡିଂ ପୂର୍ବରୁ ଯେବେ ଗୁରୁଙ୍କୁ ଆଶୀର୍ବାଦ ପାଇଁ ଘରେ ପହଞ୍ଚିଲି, ରୋଗଶଯ୍ୟାରେ ପଡ଼ିଥିବା ମୋ ଗୁରୁ ନିଜ ଗଳାକୁ ଆଉଁସି ମୋ ଗଳାରେ ହାତ ରଖିଦେଲେ। ଶେଷରେ ଗୀତ ରେକର୍ଡିଂ ପରେ ତାହା କାଳଜୟୀ ହୋଇଗଲା। ଗୁରୁ ଶିଷ୍ୟ ମଧ୍ୟରେ ଏହି ବିଶ୍ବାସ ହିଁ ମତେ ଆଜି ପର୍ଯ୍ୟନ୍ତ ବାହି ଆଣିଛି। ଆଜି ବି ମୁଁ ମୋ ଗୁରୁ ଦେଖାଇଥିବା ବାଟରେ ଚାଲୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.