‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ‘୨୮ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’। ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ହିନ୍ଦୁସ୍ଥାନୀ ବାଦ୍ୟଯନ୍ତ୍ରର ଯୁଗଳବନ୍ଦୀ ମନ ମୋହିଥିଲା। ବଂଶୀ ବାଦନରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେସି ଓ ତବଲାରେ ସହଯୋଗ କରିଥିଲେ ଇଶାନ୍‌ ଘୋଷ। କଥକ ସଙ୍ଗୀତାଚାର୍ଯ୍ୟ ପଣ୍ଡିତ ବିରଜୁ ମହାରାଜଙ୍କ ଉଦ୍ଦେଶ୍ୟରେ ଆଜିର ଉତ୍ସବକୁ ଉତ୍ସର୍ଗ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।‌

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି ଆର୍‌ ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଏମ୍‍ଜିଏମ୍‍ ମିନେରାଲ୍ସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଣୀପ୍ରସାଦ ମିଶ୍ର, ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଉତ୍ସବ ଆସନ୍ତା ୯ ତାରିଖରେ ଉଦ୍‌ଯାପିତ ହେବ। ଦର୍ଶକମାନେ କାର୍ଯ୍ୟକ୍ରମକୁ ଅନ୍‌ଲାଇନ୍‌ରେ ‘ସୃଜନ’ର ଫେସବୁକ୍ ପେଜ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ ଦେଖିପାରିବେ।

ସମ୍ବନ୍ଧିତ ଖବର