ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ମାଧବୀ ମୁଦଗଲ ଓ ଅଲେଖ ଚନ୍ଦ୍ର ସାମଲଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି। ମାନପତ୍ର, ଉପଢୌକନ ସହିତ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିପରି ୪୦ ବର୍ଷରୁ କମ୍ ବୟସର ଶିଳ୍ପୀଙ୍କ ଭିତରୁ ଶତାବ୍ଦୀ ମଲ୍ଲିକଙ୍କୁ ଓଡ଼ିଶୀ ନୃତ୍ୟ ଓ ମୁରଲୀଧର ସ୍ୱାଇଁଙ୍କୁ ଓଡ଼ିଶୀ ସଙ୍ଗୀତ ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ନୃତ୍ୟ, ସଙ୍ଗୀତ, ନାଟ୍ୟ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ରଘୁନାଥ ଦାସ ଓ ଅର୍ଣ୍ଣବ ବନ୍ଦୋପାଧ୍ୟାୟଙ୍କୁ ଗୁରୁ କେଳୁଚରଣ ମହାପାତ୍ର କଳା ସମ୍ମାନ-୨୦୨୫ ପ୍ରଦାନ କରାଯିବା ସହିତ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

Advertisment

ଆଜି ପଞ୍ଚମ ସଂଧ୍ୟାରେ ସମ୍ମାନ ବିତରଣ ସମାରୋହ ଅବସରରେ ‘ସୃଜନ’ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ଦୁର୍ଯ୍ୟୋଧନ’ ପରିବେଷିତ ହୋଇଥିଲା। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନାକୁ ଶ୍ରୀନିବାସ ଘଟୁଆରୀ ନୃତ୍ୟରେ ପରିକଳ୍ପନା କରିଥିଲେ। ରୂପକ କୁମାର ପରିଡ଼ାଙ୍କ ସଙ୍ଗୀତ ସଂଯୋଜନା, ତାରାକାନ୍ତ ପଣ୍ଡାଙ୍କ ବାଦ୍ୟ, ଆଦିତ୍ୟ ମହାପାତ୍ରଙ୍କ ବର୍ଣ୍ଣନା ଓ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନାରେ ପ୍ରସ୍ତୁତ ଏହି ନୃତ୍ୟାଭିନୟ ବେଶ୍‌ ମନୋମୁଗ୍‌ଧକର ହୋଇପାରିଥିଲା। ଉଦ୍‍ଯାପନୀ ଉତ୍ସବର ଅତିଥି ଭାବେ ଓଡ଼ିଆ ସି‌ନେମା ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଓ ରାଜନେତା ପ୍ରଶାନ୍ତ ନନ୍ଦ, ଏମ୍‌ଜିଏମ୍ ମିନେରାଲ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ଓ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ୍‌ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।