ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‌ଘାଟିତ: ମନ ମୋହିଲା ଓଡ଼ିଶୀ

ଭୁବନେଶ୍ବର: ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁମରଣାରୁ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ସାଂସ୍କୃତିକ ଆସର। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଶର୍ମିଳା ମୁଖ‌ାର୍ଜୀଙ୍କ ନୃତ୍ୟ ନୈବେଦ୍ୟରେ ଉପସ୍ଥିତ ଦର୍ଶକମଣ୍ଡଳୀ ଅଭିଭୂତ ହୋଇଥିଲେ। ପ୍ରଥମେ ମଙ୍ଗଳାଚରଣରେ ଜଗନ୍ନାଥଙ୍କ ସୁମରଣା ପରେ ସେ ସ୍ବରସ୍ବତୀ ବନ୍ଦନା ଓ ପରେ ନୃତ୍ୟାଭିନୟ ‘ଭିସାରିଣୀ’ ପରିବେଷଣ କରିଥିଲେ। ଅବସର ଥିଲା ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଆୟୋଜିତ ‘୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ’ର ଉଦ୍‌ଘାଟନୀ ସଭା। ୫ ଦିନିଆ ଏହି କାର୍ଯ୍ୟକ୍ରମର ଆଜି ଥିଲା ପ୍ରଥମ ସନ୍ଧ୍ୟା। ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଶିଷ୍ଟ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ବୈଜୟନ୍ତୀମାଳା ବାଲି, ହେମାମାଳିନୀ ଓ ଓଏମ୍‌ସି ଏମ୍‌ଡି ବଲବନ୍ତ ସିଂହ ପ୍ରମୁଖ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର। ପ୍ରାରମ୍ଭିକ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟଶିଳ୍ପୀ ଶର୍ମିଲା ମୁଖାର୍ଜୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ପ୍ରତିଷ୍ଠିତ ହିନ୍ଦୁସ୍ଥାନୀ ବେହେଲା ବାଦକ ସଂଗୀତା ଶଙ୍କର ‘ଗାୟକି ଅଙ୍ଗ’ରେ ବେହେଲା ବାଦନ କରି ଶ୍ରୋତାଙ୍କ ମନ ମୋହିଥିଲେ। ଏହାପରେ ବନାରସୀ ଠୁମୁରୀ ପରିବେଷଣ କରି ସେ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ଏହି ଉତ୍ସବକୁ ଚଳିତ ବର୍ଷ ପ୍ରଥମ ଓଡ଼ିଶୀ ଶିଳ୍ପୀ ଗୁରୁ ମା’ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି।

ସମ୍ବନ୍ଧିତ ଖବର