ଗୁରୁ କେଳୁଚରଣ ମହୋତ୍ସବର ‌ପଞ୍ଚମ ସନ୍ଧ୍ୟା, ଓଡ଼ିଶୀରେ ‘ଅକ୍ଷର’

ଭୁବନେଶ୍ବର: ସରୋଦ ବାଦନର ସର୍ଜନାତ୍ମକ ଧୁନ୍‌ ସାଙ୍ଗକୁ ଓଡ଼ିଆ ଭାଷାର ପ୍ରାଚୀନତାର କାହାଣୀକୁ ଓଡ଼ିଶୀ ନୃତ୍ୟରେ ଦେଖିବାର ଅବକାଶ ଆଣି ଦେଇଥିଲା ଗୁରୁ କେଳୁଚରଣ ମହୋତ୍ସବର ‌ପଞ୍ଚମ ସନ୍ଧ୍ୟା। ‘ସୃଜନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସନ୍ଧ୍ୟାରେ ପ୍ରଖ୍ୟାତ ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ ବନ୍ଦିଶରେ ‘ଜୟ ମା ଦୁର୍ଗା’ ପରିବେଷଣ କରି ଶ୍ରୋତାଙ୍କ ମନୋରଂଜନ କରିଥିଲେ। ଏଥିସହ ସେ ରାଗ ଦୁର୍ଗା, ଆଳାପ ଓ ଏକତାଳରେ ସରୋଦ ଧୁନ୍‌ ପରିବେଷଣ କରିଥିଲେ। ସନ୍ଦୀପ ଘୋଷ ତାଙ୍କୁ ତବଲାରେ ସହଯୋଗ କରିଥିଲେ। ତାଙ୍କ ପରେ ନୁପୂର ଅନୁଷ୍ଠାନର ଶିଳ୍ପୀମାନେ ଗୁରୁ ନିରଂଜନ ରାଉତଙ୍କ ନୃତ୍ୟ ନିର୍ଦେଶନାରେ ଶିବ ତାଣ୍ଡବ ପରିବେଷଣ କରିଥିଲେ। ଶେଷରେ ଆର୍ଟ ଭିଜନ ପକ୍ଷରୁ ଡ. ଇଲିଆନା ସିତାରିଷ୍ଟିଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଆ ବର୍ଣ୍ଣମାଳାକୁ ନେଇ ପରିବେଷିତ ହୋଇଥିଲା ନୃତ୍ୟାଭିନୟ ‘ଅକ୍ଷର’। ସିଲଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ବରରୁ ଓଡ଼ିଆଙ୍କ ଅକ୍ଷର ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଆ ଭାଷାର କଥାବସ୍ତୁକୁ ନେଇ ଆୟୋଜିତ ନୃତ୍ୟାଭିନୟ ଦର୍ଶକଙ୍କୁ ନିଆରା ଅନୁଭବ ଦେଇଥିଲା। ଏହାର ସଂଳାପ ଦେବଦାସ ଛୋଟରାୟ ଲେଖିଥିବା ବେଳେ ସଂଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‌। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିବା ବେଳେ ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଲୋକ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।

ସମ୍ବନ୍ଧିତ ଖବର