ଭୁବନେଶ୍ବର: ନୃତ୍ୟରେ ନୃତ୍ୟର ଆଦିଗୁରୁ ପଙ୍କଜ ଚରଣ ଦାସଙ୍କୁ ବନ୍ଦିଥିଲେ ଶିଳ୍ପୀଗଣ। ଗୁରୁବନ୍ଦନାକୁ ନୃତ୍ୟରେ ପରଷି ଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର। ଆଦିଗୁରୁ ପଙ୍କଜ ଉତ୍ସବର ତୃତୀୟ ଦିବସରେ ଦେଖିବାକୁ ମିଳିଥିଲା ଏହିପରି ଏକ ଭାବାତ୍ମକ ପରିବେଷଣ। ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ ଫାଉଣ୍ଡେସନ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ସୁଜାତାଙ୍କ ପରବର୍ତୀ ପ୍ରସ୍ତୁତିରେ ଥିଲା ଗୀତଗୋବିନ୍ଦର ଅଷ୍ଟପଦୀ। ପରେ ଶର୍ମିଲା ବିଶ୍ବାସ କୃଷ୍ଣଙ୍କ ପ୍ରତି ଯଶୋଦାଙ୍କ ବାତ୍ସଲ୍ୟ ରସକୁ ନୃତ୍ୟରେ ଭେଟି ଦେଇଥିଲେ। ରାଧାଙ୍କ ଅଭିମାନକୁ ନୃତ୍ୟରେ ବ୍ୟକ୍ତ କରିଥିଲେ ଶିଳ୍ପୀ ଲୀନା ମହାନ୍ତି। ପୁଷ୍ପିତା ମିଶ୍ର ଆଦିଗୁରୁଙ୍କ ସଂଯୋଜିତ ‘ଅହଲ୍ୟା’ର ଉପସ୍ଥାପନା କରିଥିଲେ। ଦଳଗତ ପରିବେଷଣରେ ‘ସ୍ବକୀୟା’ ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା ‘ମାତୃ ବନ୍ଦନା’ ଦେଖିବାକୁ ମିଳିଥିଲା। ଏହାର ନିର୍ଦେଶନା ଦେଇଥିଲେ ଯୁଧିଷ୍ଠିର ନାୟକ। ଅପରାହ୍‌ଣରେ ଶ୍ରୁତି ସ୍ବୟଂସିଦ୍ଧା, ଦୀପ୍ତିମୟୀ ସାହୁ, ସୌମ୍ୟ ବୋଷ, ପ୍ରାଚୀ ହୋତା, କବିତା ମିଶ୍ର, ଇନ୍ଦୁ କାନନ ଏବଂ ସ୍ବୟଂପ୍ରଜ୍ଞା ସାହୁ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଏଜିଏମ୍‌ ପି.କେ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ନିର୍ଦେଶକ ଶରତ ଦାସ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଲ୍ୟାଣୀ ସାହୁ ସହାୟତା କରିଥିଲେ।