ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଗୁରୁ ଦେବପ୍ରସାଦ ଦାସଙ୍କ ଜୟନ୍ତୀ ଅବସରରେ ‘ଦେବସ୍ମୃତି-୨୦୧୮’ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଏକମାସ ଧରି ଚାଲିଥିବା ଗ୍ରୀଷ୍ମବକାଶକାଳୀନ ନୃତ୍ୟ କର୍ମଶାଳାର ଏହା ଥିଲା ଅନ୍ତିମ ଦିବସ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାଚରଣରେ ‘ଲକ୍ଷ୍ମୀନୃସିଂହ ଧ୍ୟାନ’ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଏହା ରାଗ ଗୁରୁଜରି ଓ ଲଳିତା ଏବଂ ତାଳ ଏକତାଳ ଓ ଯତି ଉପରେ ଆଧାରିତ ଥିଲା। ଏହାପରେ ରାଗ ଶଙ୍କରାଭରଣ ଓ ତାଳ ଏକତାଳ ଉପରେ ଆଧାରିତ ‘ସ୍ଥାୟୀ’ ନୃତ୍ୟ ପରିବେଷିତ ହୋଇଥିଲା। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସଂଯୋଜନାରେ ଦୀପ୍ତିମୟୀ ସାହୁ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା ‘କୃଷ୍ଣ ବନ୍ଦନା’ କରିଥିଲେ। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଭାବେ ପରିବେଷିତ ‘ଅର୍ଦ୍ଧନାରୀଶ୍ୱର’ ନୃତ୍ୟ। ଏହା ରାଗ ମାଲବ କୌଶିକ ଓ ତାଳ ତ୍ରିପୁଟ ଓ ଏକତାଳି ଉପରେ ଆଧାରିତ ଥିଲା। ଏହିସବୁ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦେବପ୍ରସାଦ ଦାଶ ଓ ଗୁରୁ ଗଜେନ୍ଦ୍ର ପଣ୍ଡା। ସେହିପରି ସଙ୍ଗୀତରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ଲକ୍ଷ୍ମୀକାନ୍ତ ପାଲିତ୍‌ ଏବଂ ବାଦ୍ୟରେ ଗୁରୁ ବନମାଳି ମହାରଣା ଓ ଗୁରୁ ଧନେଶ୍ୱର ସ୍ୱାଇଁ ଥିଲେ। ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅବସରପ୍ରାପ୍ତ ଆଇପିଏସ୍‌ ଅନାଦି ସାହୁ, ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଏସ୍‌କେ ତାମୋଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ଏବଂ ଗଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

Advertisment