ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନାଚକ୍ରର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ନିଜ ବକ୍ତବ୍ୟରେ ସେ କବି ଗୁରୁପ୍ରସାଦଙ୍କ ଅଧ୍ୟାପନା କାଳର କଥା କହିଥିଲେ। ଗୁରୁପ୍ରସାଦଙ୍କ କବିତାର ବୈଶିଷ୍ଟ୍ୟ ଓ ଅନ୍ତର୍ଜାତୀୟ କବିତା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ନିବନ୍ଧ ଉପସ୍ଥାପନ ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ବିଷୟରେ ବର୍ଣ୍ଣନା କରିଥିଲେ ବିଶିଷ୍ଟ କଥାକାର ଅଜୟ ସ୍ୱାଇଁ। 

Advertisment

ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର। ଏହାପରେ ଆୟୋଜିତ ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଦେବଦାସ ଛୋଟରାୟ ଯୋଗ ଦେଇଥିଲେ। ଗୁରୁପ୍ରସାଦଙ୍କ ପଛରେ ରହିଥିବା ତାଙ୍କ ପତ୍ନୀ ଆଶାମଞ୍ଜରୀ ଦେବୀଙ୍କ ପ୍ରେରଣା ଏବଂ ଉଭୟଙ୍କ ମଧ୍ୟରେ ଚିଠି ଦିଆନିଆ ସମ୍ପର୍କରେ ସେ କହିଥିଲେ। ଅଧିବେଶନରେ ‘ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ନାରୀଚେତନା’ ଶୀର୍ଷକ ନିବନ୍ଧ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି। ଉଦ୍‌ଯାପନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ l ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମି କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କଥାକାର କ୍ଷେତ୍ରବାସୀ ନାଏକ। 

ଏହାପରେ ଅନୁଷ୍ଠିତ ‘କବିସନ୍ଧି’ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ। ସେ କହିଥିଲେ, ମହାନାୟକ ଶ୍ରୀକୃଷ୍ଣ, ମହାଶ୍ରମଣ ବୁଦ୍ଧ ଓ ଗାନ୍ଧିଜୀ ତାଙ୍କୁ କବିତା ରଚନା ଦିଗରେ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି। ଏହା ସହିତ ସେ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ। ସୂଚନାଯୋଗ୍ୟ ଯେ କବି ଶତ୍ରୁଘ୍ନ ପାଣ୍ଡବ ଶାରଳା ପୁରସ୍କାର ସମେତ ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି। ଉଭୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।