ଗୀତା ମହାଳିକଙ୍କୁ ଗୁରୁଶ୍ରୀ ସମ୍ମାନ

ଭୁବନେଶ୍ବର: ନୃତ୍ୟରେ ଗୁରୁଙ୍କ ଚରଣରେ ଶ୍ରଦ୍ଧା ଅର୍ପଣ ସହ ଗୁରୁଙ୍କୁ ସମ୍ମାନିତ କରିବାର ଅବକାଶ ଆଣିଥିଲା ପ୍ରଜ୍ଞା ନୃତ୍ୟାୟନ ଉତ୍ସବ। ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ନୃତ୍ୟ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୀତା ମହାଳିକଙ୍କୁ ‘ଗୁରୁଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ସଂଯୋଜକ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଇଂ ଶ୍ରୀନିବାସ ଘଟୁଆରୀଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶୀ ସଂଗୀତ ଗୁରୁ ରାମହରି ଦାସ, ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଧିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ସ୍ବୟଂପ୍ରଜ୍ଞା ସାହୁ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୟାଧର ସାହୁ। ନୃତ୍ୟ କାର୍ଯ୍ୟକ୍ରମରେ ଆକର୍ଷଣ ସାଜିଥିଲା ରାମାୟଣ କଥାବସ୍ତୁ। ନୃତ୍ୟାନୁଷ୍ଠାର ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ନୃତ୍ୟର ସଂରଚନା ଦୁର୍ଗାଚରଣ ରଣବୀର କରିଥିବା ବେଳେ ସ୍ବୟଂପ୍ରଜ୍ଞା ସାହୁ ନିର୍ଦେଶନା ଦେଇଥିଲେ। ପରେ ସୁରେଶ ଖୁଣ୍ଟିଆଙ୍କ ସଂଯୋଜନାରେ ଯମୁନା ଆଉ ଯାଆନା..ଗୀତରେ ନୃତ୍ୟାଭିନୟ ସହ ମନୋରଂଜନ ମହାରଣା ଓ ସ୍ବାତୀଲିପ୍ସା ଦାସଙ୍କ ଯୁଗଳବନ୍ଦୀରେ ନୃତ୍ୟାଭିନୟ ଆକର୍ଷଣ ସାଜିଥିଲା। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର