ଗୁରୁଶ୍ରୀ ସମ୍ମାନ ନୃତ୍ୟୋତ୍ସବ ଉଦ୍‌ଯାପିତ: ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଗୁରୁପୂଜା ସମ୍ମାନ

ଭୁବନେଶ୍ବର: ଦଶମ ଗୁରୁଶ୍ରୀ ସମ୍ମାନ ନୃତ୍ୟ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ମର୍ଦ୍ଦଳବାଦକ ଗୁରୁ ଧନେଶ୍ବର ସ୍ବାଇଁ, ପିପିଏଲ୍‌ର ମୁଖ୍ୟ ସୁଧିରଂଜନ ମିଶ୍ର, ପ୍ରଜ୍ଞା ନୃତୟନାର ସଭାପତି ନବକିଶୋର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଗୁରୁପୂଜା ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡାଙ୍କୁ ନୃତ୍ୟ ସଂରଚନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପ୍ରଜ୍ଞା ପ୍ରତିଭା ସମ୍ମାନରେ ଓଡ଼ିଶୀ ନୃତ୍ୟ ପାଇଁ ଲାବଣ୍ୟା ଦାସ, ଆଧୁନିକ ନୃତ୍ୟ ପାଇଁ ଅମିଷା ଚାଟାର୍ଜୀ ଏବଂ ଚିତ୍ରକଳାରେ ନୀତେଶ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା।

ନୃତ୍ୟ ସନ୍ଧ୍ୟାରେ ଶ୍ରୀନିବାସ ଘଟୁଆରିଙ୍କ ପରିକଳ୍ପନା ‘ହିଡ଼ିମ୍ବାର ହୃଦୟକଥା’ ନୃତ୍ୟାୟନ ଲୋକଙ୍କୁ ବିମୋହିତ କରିଥିଲା। ଗୁରୁ ସ୍ବୟଂପ୍ରଜ୍ଞା ସାହୁ ଓ ନୀଳାଦ୍ରି ମହାନ୍ତିଙ୍କ ଶିବାଷ୍ଟକ, ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ସୂର୍ଯ୍ୟାଷ୍ଟକ, ପଦ୍ମଶ୍ରୀ ଗୁରୁ ଗୋପାଳପ୍ରସାଦ ଦୁବେଙ୍କ ଛଉ ନୃତ୍ୟ, ସ୍ମରଣିକା ହୋତାଙ୍କ ‘ବାଜୁଛି ସାହି ବାଜାରେ’ ଆଦି ଦର୍ଶକଙ୍କୁ ମୁଗ୍ଧ କରିଥିଲା। ପ୍ରଥମ ସନ୍ଧ୍ୟାରେ ପଦ୍ମଶ୍ରୀ ପଣ୍ଡିତ ଗୋପାଳ ପ୍ରସାଦ ଦୁବେଙ୍କୁ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ନୃତ୍ୟ ସଂଯୋଜନା କ୍ଷେତ୍ରରେ ଗଜେନ୍ଦ୍ର ପଣ୍ଡାଙ୍କୁ ନୃତ୍ୟ ସଂରଚନା ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର କୋଷାଧ୍ୟକ୍ଷ ଗୟାଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂପାଦିକା ସ୍ବୟଂପ୍ରଜ୍ଞା ସାହୁ, ସାଗର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର