ଭୁବନେଶ୍ବର: ଗୁରୁ ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇନିଅନ୍ତି। ସେଥିପାଇଁ ବିଶ୍ବର ସବୁ ସଂସ୍କୃତିରେ ଗୁରୁମାନଙ୍କର ସ୍ଥାନ ବହୁ ଉଚ୍ଚରେ। ଭାରତୀୟ ପରଂପରାରେ ତ ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଭଳି ଭକ୍ତି କରାଯାଏ। ସେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି, ବିଷ୍ଣୁ ସାଜି ପରିପୁଷ୍ଟ କରନ୍ତି, ପୁଣି ଶିବ ହୋଇ ଶିଷ୍ୟର ଜୀବନରେ ଥିବା ଆବିଳତା ଓ ଅଜ୍ଞତାର ସଂହାର କରନ୍ତି। ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ସଂପର୍କର ସ୍ବୀକୃତି ତଥା ସମ୍ମାନରେ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଆମ ଦେଶରେ ପାଳନ ହୁଏ ଗୁରୁ ଦିବସ। ସେହି ଅବସରରେ ନିଜ ଗୁରୁମାନଙ୍କୁ ମନେ ପକାଇଛନ୍ତି ତିନିଜଣ ପ୍ରସିଦ୍ଧ ଶିଷ୍ୟ
‘ପେଟ ଭରି ଖାଇବ, ତା’ପରେ ଗାଇବ’
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ପଢ଼ିବା ବେଳେ ଓଡ଼ିଶାର ବରପୁତ୍ର ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଭଜନ ସମ୍ରାଟ ଭିକାରୀ ବଳ, ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଭଳି ୩ ଜଣ ଗୁରୁଙ୍କ ଅଧୀନର ସଙ୍ଗୀତ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିଥିଲା। ହେଲେ ବାଳକୃଷ୍ଣ ସାର୍ଙ୍କ ସଙ୍ଗୀତ ଗାୟନ ଶୈଳୀ ମୋତେ ପ୍ରଭାବିତ କରିଥିଲେ। ତେଣୁ ମୋର ସଙ୍ଗୀତ ନିର୍ଦ୍ଦେଶନା ଓ ଗାୟନ ଶୈଳୀରେ ତାଙ୍କ ଛାପ ଦେଖିବାକୁ ମିଳେ। ସେ ଆମକୁ କେବଳ ଶିକ୍ଷା ଦେଉ ନଥିଲେ, ଆମ ପାଇଁ ବହୁତ ଯତ୍ନବାନ ମଧ୍ୟ ଥିଲେ। ଆମେ ନ ଖାଇ କ୍ଲାସ୍କୁ ଗଲେ, ବାଳକୃଷ୍ଣ ସାର୍ କହୁଥିଲେ, ‘‘ପେଟ ଭରି ଖାଇବ, ତା’ପରେ ଗାଇବ। ଏଇ ଦୁଇଟି ଭିତରେ ସାମଞ୍ଜସ୍ୟ ନରହିଲେ, କିଛି ଠିକ୍ ହେବନାହିଁ।’’ ଗୁରୁ ଦିବସରେ ସେହି ଗୁରୁଙ୍କୁ ପ୍ରଣାମ କରି ମୋତେ ଆଶିଷ ଦେବାପାଇଁ କାମନା କରୁଛି।
-ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର (ଗୁରୁ ବାଳକୃଷ୍ଣ ଦାଶ)
‘ଓଡ଼ିଶୀ ବୟସର ପରିସୀମାରୁ ଊର୍ଦ୍ଧ୍ବରେ’
ନୃତ୍ୟଗୁରୁ ପୁଷ୍ପିତା ମିଶ୍ରଙ୍କଠାରୁ ୨୦ ବର୍ଷ ହେଲା ନୃତ୍ୟଶିକ୍ଷା କରୁଛି। ସେ ମୋ’ ପାଇଁ ଜୀବନ୍ତ ଠାକୁର। ଆଜି ମୁଁ ନିଜ ଗୋଡ଼ରେ ଛିଡ଼ାହୋଇ ଲୋକଙ୍କ ଭିତରେ ଗୋଟିଏ ପରିଚୟ ପାଇଛି, ସବୁ ଗୁରୁମା’ଙ୍କ ପାଇଁ। ବାପା, ମା’ ପରିବାର ପାଇଁ ଗର୍ବ କରିବା ଭଳି ସମୟ ଗୁରୁଙ୍କ ପାଇଁ ହିଁ ଆସିଛି। ତାଙ୍କ ପ୍ରେରଣାରେ ହିଁ ମୁଁ ଏ କ୍ଷେତ୍ରରେ ଆଗକୁ ବଢ଼ିଛି। ଗୁରୁମା’ କହନ୍ତି, ‘‘ବୟସର ପରିସୀମା ଭିତରେ ସମସ୍ତେ ବନ୍ଧା। ହେଲେ ଓଡ଼ିଶୀ ଏହାର ଊର୍ଦ୍ଧ୍ବରେ। ବୟସ ଯେତେ ବଢ଼ିବ, ଓଡ଼ିଶୀ ନୃତ୍ୟଶିଳ୍ପୀ ହିସାବରେ ସେତିକି ସମ୍ମାନ ପାଇବ।’’ ଗୁରୁଙ୍କ କଥା ମାନିଥିବାରୁ ଆଜି ମୁଁ ଶତାଧିକ ଛାତ୍ରଙ୍କ ଗୁରୁ। ତାଙ୍କର ସବୁ ଇଚ୍ଛା ମହାପ୍ରଭୂ ପୂର୍ଣ୍ଣ କରନ୍ତୁ।
- ଓଡ଼ିଶୀ ଗୁରୁ ଶୁଭେନ୍ଦୁ କୁମାର ଦାସ
(ଗୁରୁ ପୁଷ୍ପିତା ମିଶ୍ର)
‘ତୁମେ ହିଁ ପାରିବ’
ମୋ’ ବାପା ବନବିହାରୀ ପଟ୍ଟନାୟକ ପ୍ରଥମେ ମୋତେ କଳା ଜଗତକୁ ଆଣିଥିଲେ। ତେଣୁ ସେ ମୋ‘ର ପ୍ରଥମ ଗୁରୁ। ପରେ ୧୯୭୫ ମସିହାରେ ସଙ୍ଗୀତ ମହାବିଦ୍ୟାଳୟରେ ମୋର ଗୁରୁ ହେଲେ ବିଜୟ ମହାନ୍ତି। ସେ କେବଳ ଗୁରୁ ନଥିଲେ, ଥିଲେ ବନ୍ଧୁ ମଧ୍ୟ। ଆଜି ଉଭୟ ବାପା ଓ ସାର୍ ଆଉ ନାହାନ୍ତି। ୧୯୭୯ ମସିହାରେ ସେ ମୋତେ ‘କିଏ ଜିତେ କିଏ ହାରେ’ରେ ସୁଯୋଗ ଦେଇଥିଲେ। ଗୁରୁଙ୍କ ବିଶ୍ବାସ ହିଁ ମୋତେ ସଫଳ କରିଛି। ସେ କହୁଥିଲେ, ‘‘ବୁଢ଼ା, ତୁମେ ଖୁବ୍ ଭଲ ଅଭିନେତା। ତୁମେ ହିଁ ପାରିବ।’’ତାଙ୍କ ପ୍ରତି ମୋର ଅଗାଧ ଭକ୍ତି ଓ ତାଙ୍କର ମୋ’ ପ୍ରତି ସ୍ନେହ ହିଁ ମୋ’ ସଫଳତାର ବାଟ ଫିଟାଇଥିଲା।
-ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ
(ଗୁରୁ ବିଜୟ ପଟ୍ଟନାୟକ)