ଭୁବନେଶ୍ୱର: ୨୦୧୩ ମସିହା ଜାନୁଆରି ୩ ତାରିଖରେ ରାଜ୍ୟ ସରକାର ଗୁଟ୍ଖା ତଥା ପାନ ମସଲା, ନିକୋଟିନ୍ ଜାତୀୟ ଦ୍ରବ୍ୟକୁ ସଂପୂର୍ଣ୍ଣ ଭାବେ ନିଷେଧ ଘୋଷଣା କରିଥିଲେ। ଏହି ନିଷେଧାଦେଶକୁ ବୁଧବାର ୫ ବର୍ଷ ପୂରୁଥିବାବେଳେ ଏହା ଏକପ୍ରକାର ବାଟବଣା ହୋଇଯାଇଛି। ଗୁଟ୍ଖା କମ୍ପାନିମାନେ ଏଥିପାଇଁ ନିଜର ଫନ୍ଦି ବାହାର କରି ନିୟମକୁ ଏକପ୍ରକାର ଗିଳି ଦେଇଛନ୍ତି। ନିୟମକୁ ଫାଙ୍କିବା ପାଇଁ କମ୍ପାନିମାନେ ଗୁଟ୍ଖାରେ ସିଧାସଳଖ ତମାଖୁ ନ ମିଶାଇ ଏହାକୁ ଏକ ଅଲଗା ପାଉଚ୍ରେ ଦେଉଛନ୍ତି। ଯାହାଫଳରେ ରାଜ୍ୟରେ ଏବେ ଲୁଚାଛପାରେ ନୁହେଁ, ଖୁଲମଖୁଲା ଗୁଟ୍ଖା ବିକ୍ରି ହେଉଛି। ସମସ୍ତେ ଦେଖୁଛନ୍ତି ହେଲେ ଆଖି ବୁଜି ଦେଉଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ଆଇନ୍ ତିଆରି ହୋଇଥିଲା ତାହା ଫଳପ୍ରଦ ହେଉନାହିଁ। ଯଦିଓ ରାଜ୍ୟରେ ତମାଖୁର ବ୍ୟବହାର କମୁଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ତଥାପି ଏହାର ପ୍ରତିଶତ ଜାତୀୟ ହାରଠାରୁ ମଧ୍ୟ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୪ ଅନୁଯାୟୀ, ରାଜ୍ୟରେ ୧୭.୩ ପ୍ରତିଶତ ମହିଳା ଓ ୫୫.୩ ପ୍ରତିଶତ ପୁରୁଷ ତମାଖୁ ବ୍ୟବହାର କରୁଛନ୍ତି। ଏନ୍ଏଫ୍ଏଚ୍ଏସ୍-୩ରେ ୩୧.୪ ପ୍ରତିଶତ ମହିଳା ଓ ୬୮.୩ ପ୍ରତିଶତ ପୁରୁଷ ତମାଖୁ ବ୍ୟବହାର କରୁଥିଲେ। ଏନ୍ଏଫ୍ଏଚ୍ଏସ୍ ୩ ତୁଳନାରେ ଏନ୍ଏଫ୍ଏଚ୍ଏସ୍ରେ ୪ରେ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାର ୫୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ମାତ୍ର ରାଜ୍ୟରେ ପୂର୍ବଭଳି ଗୁଟ୍ଖା ଓ ତମାଖୁ ବିକ୍ରି ଜାରି ରହିଥିବାରୁ ତମାଖୁ ବ୍ୟବହାରରେ ହ୍ରାସକୁ ସାମଗ୍ରିକ ଭାବେ ପ୍ରଭାବିତ କରିପାରୁ ନାହିଁ।
ତମାଖୁର ବ୍ୟବହାର ରୋକିବା ପାଇଁ ସିଗାରେଟ୍ ଏଣ୍ଡ ଅଦର ପ୍ରଡକ୍ଟସ ଆକ୍ଟ ବା କୋଟ୍ପା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି। କୋଟ୍ପା ଆଇନରେ ସର୍ବାଧିକ ୨ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାର ନିୟମ ରହିଛି। ସେହିପରି ଖଇନି ଓ ଜର୍ଦ୍ଦା ଭଳି ତମାଖୁ ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ଏଫ୍ଏସ୍ଏସ୍ଏଆଇରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ। ଯାହାଫଳରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏହାର ବିକ୍ରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ଖଇନି ଓ ଜର୍ଦ୍ଦା ଭଳି ତମାଖୁକୁ ଫୁଡ୍ ବା ଖାଦ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ କୋର୍ଟରେ ମାମଲା ଚାଲିଛି। ଯାହାଫଳରେ ଖାଦ୍ୟ ସୁରକ୍ଷା ଅଧିକାରୀ ହାତ ବାନ୍ଧି ବସିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସିଗାରେଟ୍ରେ ଚିତ୍ର ଜରିଆରେ ସ୍ୱାସ୍ଥ୍ୟ ସଚେତନତା ଯୋଗୁଁ ତମାଖୁ ବ୍ୟବହାର କମୁଥିବା ସର୍ବେକ୍ଷଣରେ ଜଣାପଡ଼ିଥିଲା। ତେଣୁ ସିଗାରେଟ୍ ପ୍ୟାକେଟ୍ରେ ସ୍ୱାସ୍ଥ୍ୟ ସଚେତନତା ୮୫ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଫଳରେ ବିଶ୍ୱରେ ନେପାଳ ଓ ଭନୈତୁ ପରେ ଭାରତ ଏଭଳି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର କର୍ଣ୍ଣାଟକ ହାଇକୋର୍ଟର ନିର୍ଦେଶ ପରେ ଏହାକୁ ୪୦ପ୍ରତିଶତକୁ ଖସାଇ ଦିଆଯାଇଛି। ଯାହାଫଳରେ ଭାରତ ଏବେ ୨୧୭ ଦେଶ ମଧ୍ୟରେ ୧୧୨ ସ୍ଥାନକୁ ଖସି ଆସିଛି। ଯାହାକି ତମାଖୁ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବାଧକ ସାଜିବ ବୋଲି ଆଶଙ୍କା କରାଯାଉଛି।
ନିଶାମୁକ୍ତି ସଂକଳ୍ପ ଅଭିଯାନର ସଦସ୍ୟ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କ କହିବାନୁଯାୟୀ, ରାଜ୍ୟରେ ଗୁଟ୍ଖା ନିଷେଧ ସତ୍ୱେ ଖୁଲମଖୁଲା ଭାବେ ଏହା ବିକ୍ରି ହେଉଛି। ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏଥିରୁ ବର୍ଷକୁ କୋଟି କୋଟି ଟଙ୍କା ହରାଉଛନ୍ତି। ଏହାସହ ଗୁଣ୍ଡି ଓ ଦୋକ୍ତା ଭଳି ତମାଖୁର ନିୟନ୍ତ୍ରଣ ପାଇଁ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ତମାଖୁ ନିୟନ୍ତ୍ରଣ ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ ଓ କୋଟ୍ପାର ଅଧିକାରୀ ପରସ୍ପରକୁ ଦୋଷ ଲଦି ଚାଲିଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ଲୋକମାନଙ୍କ ମଧ୍ୟରେ ତମାଖୁର ବ୍ୟବହାରକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍ କାଉନ୍ସିଲରର ବ୍ୟବସ୍ଥା କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟ କରୁଥିବା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତ, ଏନ୍ଟିସିପି, ଏନ୍ସିଡି ଓ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା କାଉନ୍ସିଲରମାନଙ୍କୁ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ସେମାନଙ୍କୁ ୫ ଦିନିଆ ତାଲିମ୍ ପ୍ରଦାନ କରାଯିବ। ଏ ପର୍ଯ୍ୟନ୍ତ ୨ଟି ବ୍ୟାଚ୍ର ତାଲିମ୍ ଶେଷ ହୋଇଛି। ଏହି କାଉନ୍ସିଲରମାନେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ତମାଖୁ ଛାଡ଼ିବା ପାଇଁ ପ୍ରବର୍ତାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।
କୋଟ୍ପାରେ ୭ବର୍ଷରେ ୫୯ହଜାର ଲୋକଙ୍କୁ ଜରିମାନା
୨୦୧୦ ମସିହାରୁ ରାଜ୍ୟରେ କୋଟ୍ପା ଆଇନ କାର୍ଯ୍ୟକାରୀ ହୋଇଛି। ବିଗତ ୭ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୫୯ହଜାର ଲୋକଙ୍କଠରୁ ୫୭ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତବର୍ଷ ୬୩୫୯ ଉଲ୍ଲଂଘନକାରୀଙ୍କଠାରୁ ପ୍ରାୟ ୬ଲକ୍ଷ ୬୧ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟରେ ଖୋର୍ଧା ଓ କଟକରେ ସର୍ବାଧିକ ଉଲ୍ଲଂଘନକାରୀ ରହିଥିବା ସୂଚନା ମିଳିଛି। କୋଟ୍ପା ଆଇନରେ ସର୍ବାଧିକ ୨ଶହ ଟଙ୍କା ଜରିମାନା ଆଦାୟ କରାଯିବାର ନିୟମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/gutkha.jpg)