ଜ୍ଞାନସରୋବରରେ ସାଂସ୍କୃତିକ ସଂଧ୍ୟା, ନୃତ୍ୟ, ଗୀତରେ ସଂସ୍କୃତି ଉଜାଗର

ମାଉଣ୍ଟଆବୁ: ରାଜସ୍ଥାନ, ମାଉଣ୍ଟଆବୁସ୍ଥିତ ଜ୍ଞାନ ସରୋବର ବ୍ରହ୍ମାକୁମାରୀଜ୍‌ ଆନୁକୂଲ୍ୟରେ ଚାଲିଥିବା ରାଷ୍ଟ୍ରୀୟ ଗଣମାଧ୍ୟମ ସମ୍ମେଳନର ପ୍ରଥମ ସାଂସ୍କୃତିକ ସଂଧ୍ୟା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା କଳାକାରମାନେ ନୃତ୍ୟ, ଗୀତ ମାଧ୍ୟମରେ ନିଜ ନିଜ ଅଞ୍ଚଳର ପରମ୍ପରା ଓ ସଂସ୍କୃତିକୁ ଉଜାଗର କରିଥିଲେ। ‘ୟେ ମତ କହୋ ଖୁଦା ସେ, ତୁନେ ମୁଝେ କ୍ୟା ଦିୟା ହେ’ ଗୀତରେ ଦିଲ୍ଲୀର ଇଶିକା, ସ୍ନେହା ଏବଂ ମନୀଷଙ୍କ ସାମୂହିକ ନୃତ୍ୟ ପ୍ରଦର୍ଶନ ଉପସ୍ଥିତ ଗଣମାଧ୍ୟମ କର୍ମୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ହରିୟାଣା ଫରିଦାବାର ବିଂଶୁ ପ୍ରାରମ୍ଭିକ ନୃତ୍ୟ ‘ଚହକ ଉଠି ହେଁ ବାଦିୟାଁ’ ପ୍ରାରମ୍ଭିକ ନୃତ୍ୟ ପ୍ରସ୍ତୁତ କରିଥିଲେ। ଏହି ନୃତ୍ୟ ସଂପର୍କରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ଯେ ନାରଦ ମୁନିଙ୍କଠାରୁ ଆରମ୍ଭ ହୋଇଥିବା ସାମ୍ବାଦିକତାର ଗୌରବ ବଜାୟ ରଖିପାରିଥିବା ବର୍ତ୍ତମାନ ଏକବିଂଶ ଶତାବ୍ଦୀର ସକ୍ରିୟ ଗଣମାଧ୍ୟମ କର୍ମୀମାନଙ୍କ ଆଗମନରେ ଜ୍ଞାନ ସରୋବରର ନୈସର୍ଗିକ ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି।
କାର୍ଯ୍ୟକ୍ରମରେ ଇନ୍ଦୋର୍‌ର ଶିବ ଅନାଦି କଳା ସାଧନା କେନ୍ଦ୍ରର କଳାକାରମାନେ ‘ମହ୍ଲାର ତରାନା’ ପ୍ରସ୍ତୁତ କରିଥିଲେ। ପରେ ପରେ ଚଣ୍ଡୀଗଡ଼ର ସିମୋନିଙ୍କ ‘ଶିବ ଅନାଦି ହେ, ଶିବ ଅନନ୍ତ ହେ’ ଗୀତରେ ନିଜର ନୃତ୍ୟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ କରତାଳି ସାଉଁଟିଥିଲେ। ସେହିପରି ଛତିଶଗଡ଼ ବିଳାସପୁରର ଡାଏମଣ୍ଡ ଡ୍ୟାନ୍ସ ଗ୍ରୁପ୍‌, କର୍ଣ୍ଣାଟକର ଡିଭାଇନ୍‌ ଏଞ୍ଜେଲ ଗ୍ରୁପ୍‌ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆବୁ ପର୍ବତର ଜଣାଶୁଣା କବି ତଥା କଳାକାର ବିବେକ ଭାଇ ଏବଂ ବିଳାସପୁରର ମଂଜୁ ଭଉଣୀ ମଞ୍ଚ ସଂଚାଳନା କରିଥିଲେ। ଅନୁଷ୍ଠାନର ଗଣମାଧ୍ୟମ ବିଭାଗ ମୁଖ୍ୟାଳୟ ସଂଯୋଜକ ଶାନ୍ତନୁ ଭାଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର