ପ୍ରକାଶ ପାଇଲା ବିଶ୍ବକୋଷ ‘ଜ୍ଞାନବୃତ୍ତ’: ଉତ୍ତରପିଢ଼ିଙ୍କୁ ଅଭିଜ୍ଞ କରିବାରେ ସହାୟକ ହେବ

ଭୁବନେଶ୍ବର: ‘ବିନୋଦ କାନୁନ୍‌ଗୋ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର’ ପକ୍ଷରୁ ବିଶ୍ବକୋଷ ‘ଜ୍ଞାନବୃତ୍ତ’ ପ୍ରକାଶ ପାଇଛି। ‘ଜ୍ଞାନବୃତ୍ତ’ ହେଉଛି ୧୦ ଭାଗ ବିଶିଷ୍ଟ ସୁଖପାଠ୍ୟ ସଚିତ୍ର ବିଶ୍ବକୋଷ ତଥା ଶିକ୍ଷକ ସହାୟତା ପୁସ୍ତକ। ଏହି ବିଶ୍ବକୋଷ ସେଟ୍‌ଟିରେ ପାଖାପାଖି ୪ ହଜାର ବିଷୟବସ୍ତୁ ସ୍ଥାନ ପାଇଛି। ଗଣିତ, ଇତିହାସ, ଉଦ୍ଭିଦ ଜୀବନ, କଳା ଓ ଗଣମାଧ୍ୟମ, ଜୀବନୀ, ଦେଶ ମହାଦେଶ, ଧର୍ମ, ପଦାର୍ଥ ବିଦ୍ୟା, ପରିବହନ, ପ୍ରଣୀଜୀବନ, ବିଜ୍ଞାନ ଓ କାରିଗରୀ, ମହାକାଶ ବିଜ୍ଞାନ, ମାନବ ଶରୀର, ରସାୟନ ଶାସ୍ତ୍ର, ରାଜନୀତି, ଲୋକ ଓ ସଂସ୍କୃତି, ଶିଳ୍ପ, ସମାଜ ବିଜ୍ଞାନ, ଜେନେଟିକ୍ସ, ସାଇବରନେଟିକ୍‌ସ ଓ ଆହୁରି ଅନେକ କିଛି ଏଥିରେ ରହିଛି। ଏହି ବିଶ୍ବକୋଷ ସେଟ୍‌ଟିର ପ୍ରଣୟନ କରିଛନ୍ତି ଅନୁଭବୀ ବିଶ୍ବକୋଷବିତ୍‌ ଦୀପକ କାନୁନ୍‌ଗୋ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ସାରିଥିବା ବେଳେ ଏବେ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷାଲାଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଭଳି ସ୍ଥଳେ ଓଡ଼ିଆରେ ପ୍ରତିଟି କ୍ଷେତ୍ରରେ ଆମ ଉତ୍ତରପିଢ଼ିଙ୍କୁ ଅଭିଜ୍ଞ କରିବାରେ ଏଭଳି ବିଶ୍ବକୋଷ ସହାୟକ ହେବ ବୋଲି ଆଜି ଭାଷା ଉତ୍କର୍ଷ କେନ୍ଦ୍ର ପକ୍ଷରୁ ହୋଟେଲ ସ୍ବସ୍ତି ଗ୍ରାଣ୍ଡରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଷାକେନ୍ଦ୍ର ବିଶ୍ବକୋଷ ଅଭିଯାନର ଆବାହକ ଆଲୋକ କାନୁନ୍‌ଗୋ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ୍‌ ଅଧ୍ୟାପକ ବିଶ୍ବରଞ୍ଜନ ଓ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସେମାନେ କହିଲେ, ଭାଷାକୁ ନେଇ ଓଡ଼ିଆ ଜାତି ଗଢ଼ିଉଠିଛି। ଗୋଟିଏ ଜାତିର ସମୃଦ୍ଧିର ପ୍ରତୀକ ହେଉଛି ଏକ ପୂର୍ଣ୍ଣ‌ାଙ୍ଗ ବିଶ୍ବକୋଷ। ଯେକୌଣସି ଭାଷାକୁ ନେଇ ଗର୍ବ କରିବାକୁ ହେଲେ କିଛି ପ୍ରାମାଣିକ ଗ୍ରନ୍ଥର ଆବଶ୍ୟକତା ରହିଛି। ଆଜି ‘ଜ୍ଞାନବୃତ୍ତ’ର ପ୍ରକାଶନ ଏହି ଅଭାବକୁ ପୂରଣ କରିପାରିଛି ବୋଲି ସେମାନେ ମତପ୍ରକାଶ କରିଥିଲେ। ଏଥିସହ ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତିଟି ଶିକ୍ଷାନୁଷ୍ଠାନରେ ‘ଜ୍ଞାନବୃତ୍ତ’କୁ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି ବୋଲି ଭାଷାକେନ୍ଦ୍ର ବିଶ୍ବକୋଷ ଅଭିଯାନର ଆବାହକ ଶ୍ରୀ କାନୁନ୍‌‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର