ଅନୁମତି ମିଳିଲେ ବି ଖୋଲି ପାରୁନି ଜିମ୍

ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି କରୋନା, ସରକାରଙ୍କ ସହଯୋଗ ପାଇଁ ନିବେଦନ କଲେ ଜିମ୍ ମାଲିକ

ଭୁବନେଶ୍ବର : କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଲକ୍‌ଡାଉନ୍‌ କୋହଳ କରିଛନ୍ତି। ଜିମ୍, ବିୟୁଟି ପାର୍ଲର ଓ ସ୍ପା’ ଆଦି ଖୋଲିବା ପାଇଁ ଅନୁମତି ମିଳିଛି। ମାଲିକମାନେ ଜିମ୍ ଖୋଲିବା ପାଇଁ ଦାବି କରି ଆସୁଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ସେମାନେ ଖୁସିର ସହ ସ୍ବାଗତ କରିଛନ୍ତି। କିନ୍ତୁ ବହୁ ଜିମ୍‌ ଆଜି ଖୋଲି ପାରିନାହିଁ। ବହୁ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଜିମ୍ ଖୋଲିବା ସମ୍ଭବ ହୋଇନାହିଁ। କେଉଁଠି ଯନ୍ତ୍ରାଂଶ ନଷ୍ଟ ହୋଇଯାଇଛି ତ କେଉଁଠି କର୍ମଚାରୀଙ୍କୁ ଦରମା ଦିଆଯାଇନାହିଁ। ତେଣୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ରାଜଧାନୀରେ ପାଖାପାଖି ୨ଶହ ଜିମ୍ ରହିଛି। ଗତବର୍ଷ ଲକ୍‌ଡାଉନ୍ ଯୋଗୁଁ ଜିମ୍‌ଗୁଡ଼ିକ ପ୍ରାୟ ୬ମାସ ବନ୍ଦ ରହିଥିଲା। ଏ ବର୍ଷ ମଧ୍ୟ ଦୁଇ ମାସ ବନ୍ଦ ରହିଲା। ତେଣୁ ଘରଭଡ଼ା, ବିଦ୍ୟୁତ୍ ବିଲ୍, କର୍ମଚାରୀମାନଙ୍କ ଦରମା ଦେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ସେହିପରି ବହୁ ମାଲିକ ବ୍ୟାଙ୍କରୁ ଋଣ ପରିଶୋଧ କରି ପାରୁନାହାନ୍ତି। ସୁଧ ବଢ଼ି ବଢ଼ି ଚାଲିଛି। ତେଣୁ ଏମିତି ଅବସ୍ଥାରେ ଖୋଲିବା ପାଇଁ ଅନୁମତି ମିଳିଥିଲେ ମଧ୍ୟ ଅନେକ ଜିମ୍ ଆଜି ଖୋଲା ଯାଇନି।

ବଡିସଲିଡ୍‌ ଜିମ୍ ମାଲିକ ସତ୍ୟଶଙ୍କର ମହାପାତ୍ରଙ୍କ କହିବା କଥା, ପ୍ରଥମ ଲହର ସମୟରେ ଯାହା ଆର୍ଥିକ କ୍ଷତି ହୋଇଥିଲା, ଡିସେମ୍ବର ସୁଦ୍ଧା ୭୦% ଭରଣା ହୋଇପାରିଥିଲା। ଏବେ ପୁଣି ଜିମ୍‌ଗୁଡ଼ିକର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି। ତେଣୁ ପୁଣି ଶୂନରୁ ଆରମ୍ଭ କରିବାକୁ ପଡ଼ିବ। ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା, ତେବେ ଆମେ ଆର୍ଥିକ ଦୃଷ୍ଟିରୁ କିଛି ମାତ୍ରାରେ ଉପକୃତ ହୋଇପାରନ୍ତୁ। ନଚେତ୍ ଧାରକରଜ କରିବାକୁ ପଡ଼ିବ। ସପ୍ତାହାନ୍ତ ସଟ୍‌ଡାଉନ୍ ଯୋଗୁଁ ସେମାନେ ସୋମବାର ଜିମ୍‌ ଖୋଲିବେ ବୋଲି ସ୍ଥିର କରିଥିବା କହିଛନ୍ତି। ଓଡ଼ିଶା ଜିମ୍ ମାଲିକ ସଂଘ ସଭାପତି ଡ. ସତ୍ୟଜିତ ଦାଶଙ୍କ କହିଛନ୍ତି, ସରକାର ଆମର ଦୁଃଖ ମଧ୍ୟ ବୁଝିବା ଦରକାର। ଦୁଇଦୁଇଟି ଲକ୍‌ଡାଉନ୍‌ରେ ଜିମ୍ ବନ୍ଦ ହେବା ଯୋଗୁଁ ପାଖାପାଖି ୫୦୦ କୋଟି ଟଙ୍କାର କ୍ଷତି ହୋଇଛି। ଲାଭ ସମୟରେ ଆମେ ସରକାରଙ୍କୁ ଟିକସ ଦେଇଛୁ। ତେଣୁ ଏବେ ଆମ କ୍ଷତି ସମୟରେ ସରକାର ମାଲିକମାନଙ୍କୁ ସ୍ବଳ୍ପମିଆଦି ଋଣ, ବିଦ୍ୟୁତ୍ ବିଲ୍ ଛାଡ଼, ହୋଲ୍ଡିଂ ଟିକସ ଆଦି ଛାଡ଼ କରାଯାଉ ବୋଲି ସେ ଦାବି କରିଛନ୍ତି।

ଅପରପକ୍ଷେ ଜୟଦେବବିହାରସ୍ଥିତ ନକ୍‌ଆଉଟ୍‌ ଜିମ୍‌ ମାଲିକ କ୍ରିଷ୍ଣା ରାଓ କହିଛନ୍ତି ଯେ ଆଜି ଜିମ୍‌କୁ ସକାଳ ୬ଟାରୁ ସଂଧ୍ୟା ୫ଟା ମଧ୍ୟରେ ପର୍ଯ୍ୟାୟକ୍ରମେ ପାଖାପାଖି ୩୦ଜଣ ପିଲା ଅଭ୍ୟାସ ପାଇଁ ଆସିଥିଲେ। ତାଙ୍କ କହିବା କଥା, କରୋନା ପୂର୍ବରୁ ଜିମ୍‌କୁ ୨୦୦ ପାଖାପାଖି ପିଲା ଆସନ୍ତି। ତେବେ କଟକଣା ଆହୁରି କୋହଳ ହେଲେ ଧୀରେଧୀରେ ପିଲା ସଂଖ୍ୟା ବଢ଼ିବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର