ଭୁବନେଶ୍ୱର: ଆଜିକାଲି ସୁସ୍ଥ ଓ ଆକର୍ଷଣୀୟ ଚେହେରା ମୋହରେ ଯୁବପିଢ଼ି ଜିମ୍‌ ମୁହାଁ ହୋଇଛନ୍ତି। ଜିମ୍‌ ଯିବା ଏକପ୍ରକାର ଫେସନ୍ ହୋଇଗଲାଣି ମଧ୍ୟ। ମାତ୍ର ଅଧିକାଂଶ ଜିମ୍‌ ଅଣପ୍ରଶିକ୍ଷିତ ବା ଅଳ୍ପ ପ୍ରିଶିକ୍ଷିତ ତାଲିମ୍‌ଦାତାଙ୍କ ତତ୍ତ୍ବାବଧାନରେ ଚାଲିଥିବାରୁ ଭବିଷ୍ୟତରେ ଏହା ବଡ଼ କ୍ଷତିକାରକ ହେବ ବୋଲି ଅନେକଙ୍କୁ ଅଜଣା। ସମ୍ପ୍ରତି ବହୁ ସ୍ଥାନରେ ଏଭଳି ଜିମ୍‌ ତାଲିମ୍‌ଦାତାଙ୍କ ପାଇଁ ଯୁବକମାନେ ବିଭିନ୍ନ ରୋଗର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ୁଥିବା ଭଳି ଉଦାହରଣ ଦେଖିବାକୁ ମିଳିଲାଣି। ମାତ୍ର ଏସବୁ ଖବର ଠିକଣା ଭାବେ ଲୋକଙ୍କ ପହଞ୍ଚି ପାରୁନାହିଁ। ଫଳରେ ଅଜାଣତରେ ଯୁବପିଢ଼ି ପ୍ରତି ବିପଦ ଘନେଇବାରେ ଲାଗିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଲେଣି।

Advertisment

ଏବେ ଯୁବପିଢ଼ିଙ୍କ ସହ ଅନ୍ୟ ବର୍ଗର ଲୋକମାନେ ମଧ୍ୟ ଜିମ୍‌ମୁହାଁ ହୋଇଛନ୍ତି। ବୟସ୍କ ବ୍ୟକ୍ତି ଏବଂ ମଧୁମେହ, ମେଦବହୁଳତା ରୋଗର ପୀଡ଼ିତ ଲୋକେ ମଧ୍ୟ ବିଭିନ୍ନ ବ୍ୟାୟାମ, ଯୋଗ, ପ୍ରାଣାୟମ ପାଇଁ ଜିମ୍‌ ଯାଉଛନ୍ତି। ‘ବଡି ଟ୍ରାନ୍ସ୍‌ଫର୍ମେସନ୍‌ ପ୍ଲାନ୍‌’ ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓଜନ କମାଇବାକୁ ଇଚ୍ଛା କରୁଥିବା ଲୋକମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି। ଜିମ୍‌ର ଚାହିଦା ବଢ଼ୁ୍‌ଥିବା ଦେଖି ବହୁ ବ୍ୟବସାୟୀ ଏହାକୁ ଏକ ଭଲ ବେପାର ଭାବେ ଧରି ନେଇଛନ୍ତି। ମାତ୍ର ସେମାନେ ଉପଯୁକ୍ତ ପ୍ରଶିକ୍ଷକ ନିଯୁକ୍ତି ଦେଉନାହାନ୍ତି। କମ୍ ପଇସା ଦେଇ ଅଣପ୍ରଶିକ୍ଷିତ ତାଲିମ୍‌ଦାତାରେ କାମ ଚଳାଉଛନ୍ତି। ଏମିତିକି କିଛି ମାଲିକ ନିଜେ ତା‌ଲିମ୍‌ଦାତା ସାଜିଛନ୍ତି। ୟୁଟ୍ୟୁବ୍‌ ଦେଖି ଜିମ୍‌ରେ ଯୁବକମାନଙ୍କୁ ତାଲିମ୍‌ ଦେଉଛନ୍ତି। କିଛି କିଛି ଜିମ୍‌ରେ ଅଳ୍ପ ଜାଣିଥିବା ତାଲିମ୍‌ଦାତା କାମ ଚଳାଉଛନ୍ତି।

ଅର୍ଥାତ୍ ଯିଏ କିଛି ଦିନ ଜିମ୍‌ରେ ଅଭ୍ୟାସ କଲା, ପରେ ସେ ତାଲିମ୍‌ଦାତା ହୋଇଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା କଥା, ଜିମ୍‌ରେ ଘଣ୍ଟା ଘଣ୍ଟା ସମୟ ବିତାଇବା ପରେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଖା‌ଇବା ଦରକାର। ମାତ୍ର ଲକ୍ଷ୍ୟ କରାଯାଉଛି, ଯୁବକମାନେ ଘରେ ପୁଷ୍ଟିକର ଖାଦ୍ୟ ନ ଖାଇ ଜିମ୍‌ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରୋଟିନ୍‌ ସପ୍ଲିମେଣ୍ଟ୍‌କୁ ଅଧିକ ପସନ୍ଦ କରୁଛନ୍ତି। ୱେଟ୍‌ ଲିଫ୍‌ଟିଙ୍ଗ୍‌ (ଭାରୋତ୍ତଳନ), କାର୍ଡିଓ ବ୍ୟାୟାମ, ଓଜନ ପ୍ରଶିକ୍ଷଣ ନେଉଥିବା ଯୁବକମାନେ ବିଭିନ୍ନ ପ୍ରକାରର ପ୍ରି-ଵାର୍କ ଆଉଟ୍‌, ପୋଷ୍ଟ୍‌ ଵାର୍କ ଆଉଟ୍‌ ସପ୍ଲିମେଣ୍ଟ୍‌ ଏବଂ ସ୍ପୋର୍ଟସ୍‌ ଡ୍ରିଙ୍କ୍ସ୍‌ ନେଉଛନ୍ତି। ଜିମ୍‌ ତାଲିମ୍‌ଦାତାଙ୍କ ପରାମର୍ଶରେ ଏସବୁ ପାଉଡର୍‌ ଖିଆଯାଉଛି। କିନ୍ତୁ ଏଗୁଡ଼ିକର ମାତ୍ରାଧିକ ବା ଭୁଲ୍‌ ପରିମାଣର ସେବନ ଯୋଗୁଁ ଜୀବନ ପ୍ରତି ବିପଦ ରହିଛି। ହୃଦ୍‌ରୋଗ ବିଶେଷଜ୍ଞ ଶୁଭାଶିଷ ମିଶ୍ରଙ୍କ କହିବା କଥା, ବ୍ୟାୟାମ ଦୁଇ ପ୍ରକାରର ଯଥା ଏରୋବିକ୍ ଓ ଆନାରୋବିକ୍। ସାଧାରଣତଃ ଏରୋବିକ୍ ବ୍ୟାୟାମରେ ରକ୍ତ ପ୍ରବାହରେ ଆଫ୍ଟର୍ ଲୋଡ୍ ପଡ଼େ। ଶୋଇକି କିମ୍ବା ଆଗକୁ ଝୁଲିକି ଅଧିକା ଓଜନ ଉଠାଇବା ସମୟରେ ଶରୀରରେ ଯେଉଁ ଚାପ ପଡ଼ିଥାଏ, ତାହା ଏକ ମେଡିକାଲ ଟର୍ମ୍ ‘ଭାଲ୍ସାଲଭା ମାନେଭର୍’ ସହ ସମାନ।

ଫଳରେ ହୃତ୍‌ପିଣ୍ଡର ରକ୍ତ ନଳୀ ଫାଟିବାଠାରୁ ଆରମ୍ଭ ‘ଆରିଥ୍‌ମିଆ’ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା‌ ଥାଏ ଏବଂ ହୃଦ୍‌ଘାତର କାରଣ ପାଲଟିଥାଏ। ଅନ୍ୟପକ୍ଷରେ ମସଲ୍ ଗେନ୍ ପାଇଁ ନିଆଯାଉଥିବା ଷ୍ଟେର୍‌ଏଡ୍ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ଏହା ବ୍ଲଡ୍ ଭଲ୍ୟୁମ୍ ବଢ଼ାଇଥାଏ, ଯାହା ହୃତ୍‌ପିଣ୍ଡର ସ୍ପନ୍ଦନକୁ ଅଧିକ ମାତ୍ରାରେ ବୃଦ୍ଧି କରାଇ ଅନିୟମିତତା ସୃଷ୍ଟି କରେ ଏବଂ ଏହା ମଧ୍ୟ ହୃଦ୍‌ଘାତର ଅନ୍ୟତମ କାରଣ ହୋଇଥାଏ ବୋଲି ସେ କହିଛନ୍ତି। ତେଣୁ କେଉଁ ବ୍ୟାୟାମ କେତେ ସମୟ ପର୍ଯ୍ୟନ୍ତ କରିବା କଥା, ତାହା ବଡ଼ କଥା। ସେହିଭଳି ନ୍ୟୁଟ୍ରେସନିଷ୍ଟ୍ ସାଗରିକା ମିଶ୍ରଙ୍କ ସୂଚନାନୁଯାୟୀ ଜିମ୍ ସପ୍ଲିମେଣ୍ଟ୍‌ଗୁଡ଼ିକରେ ପ୍ରାୟତଃ ଆମିନୋ ଏସିଡ୍ ରହିଥାଏ। ଏହା ଶରୀରରେ ମେଟାବୋଲିକ୍ ଅସନ୍ତୁଳନ କରାଏ। ଏହା ହର୍‌ମୋନ ଉପରେ ପ୍ରଭାବ ପକାଇବା ସହ ବିଭିନ୍ନ ଅର୍ଗାନ୍‌ ଡିଜ୍‌ଅର୍ଡର୍‌ର ମଧ୍ୟ ସମ୍ଭାବନା ସୃଷ୍ଟି କରେ। ଏଣୁ ଶରୀରର ଆବଶ୍ୟକତା ଅନୁଯାୟୀ କେତେ ଜିମିଂ ଏବଂ କେଉଁ ସପ୍ଲିମେଣ୍ଟ୍ ଫଳପ୍ରଦ ହେବ, ସେନେଇ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ଜଣେ ପ୍ରଶିକ୍ଷିତ ଜିମ୍‌ ତାଲିମ୍‌ଦାତା ହେବା ପାଇଁ ସ୍ୱତନ୍ତ୍ର ସାର୍ଟିଫିକେସନ୍‌ କୋର୍ସ, ଡିପ୍ଲୋମା ଓ ମାଷ୍ଟର୍‌ ଡିଗ୍ରି ପାଠ୍ୟକ୍ରମ ରହିଛି। ସମ୍ପ୍ରତି ରାଜଧାନୀରେ ମୋଟ୍‌ ୨୨ଟି ପ୍ରିମିୟମ୍‌ ଜିମ୍‌ ଥିବାବେଳେ ସହରର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ହୋଇ ୩୦୦ରୁ ଅଧିକ ଜିମ୍‌ ରହିଛି। ‘ସମ୍ବାଦ’ ଗ୍ରାଉଣ୍ଡ ଜିରୋରୁ ସଂଗ୍ରହ କରିଥିବା ରିପୋର୍ଟ ଅନୁସାରେ ରାଜଧାନୀର ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ଜିମ୍‌ର ତାଲିମ୍‌ଦାତାମାନେ ଅଣପ୍ରଶିକ୍ଷିତ।