ହାବିଲଦାରଙ୍କୁ ସମ୍ମାନିତ କଲେ ପୁଲିସ କମିସନର

ଭୁବନେଶ୍ବର : କମିସନରେଟ ପୁଲିସର ହାବିଲଦାର ସୁକାନ୍ତ କୁମାର ହାତୀ ଦେବଦୂତ ସାଜି ରେଳଧାରଣା କଡ଼ରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି ତାଙ୍କୁ କମିସନରେଟ ପୁଲିସ ମୁଖ୍ୟାଳୟରେ ସମ୍ମାନିତ କରିବା ସହିତ ମାନପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ହାବିଲଦାର ଶ୍ରୀ ହାତୀଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ତାଙ୍କର ଏଭଳି କାମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ପ୍ରକାଶଥାଉକି, ଗତ ବୁଧବାର ରାତି ପ୍ରାୟ ୪ଟାବେଳେ ବିହାର ପାଟଣାର ଉମେଶ କୁମାର ନାମକ ଯୁବକ ଏର୍ଣ୍ଣାକୁଲମ-ପାଟଣା ଏକ୍ସପ୍ରେସ ଯୋଗେ ଘରକୁ ଫେରିବା ବେଳେ ବାଣୀବିହାର ଷ୍ଟେସନ୍‌ ପରେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌କୁ ଏହି ସୂଚନା ଆସିଥିଲା। ପୁଲିସ କଣ୍ଟ୍ରୋଲ ରୁମରୁ ମଞ୍ଚେଶ୍ବର ଥାନା ଅଧୀନରେ ଥିବା ପିସିଆର ଭ୍ୟାନ୍‌ରେ ଥିବା ଶ୍ରୀ ହାତୀଙ୍କ ନିକଟକୁ ଖବର ଯାଇଥିଲା। ଏହାପରେ ହାବିଲଦାର ଶ୍ରୀ ହାତୀ ବାଣୀବିହାର ଷ୍ଟେସନ୍‌ରୁ ମଞ୍ଚେଶ୍ବର ଷ୍ଟେସନ୍‌ ଆଡ଼କୁ ପାଖାପାଖି ୩ କିଲୋମିଟର ଟ୍ରେନ୍‌ ଲାଇନ କଡ଼ରେ ଚାଲି ଚାଲି ଯିବା ପରେ ସେ ଉମେଶ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଶ୍ରୀ ହାତୀ ତାଙ୍କୁ କାନ୍ଧରେ ବୋହି ପିସିଆର ଭ୍ୟାନ୍‌ ନିକଟକୁ ଆଣିଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଖବର ପାଇ ଉମେଶଙ୍କ ପରିବାର ଲୋ‌େକ‌ କଟକରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର