ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚାଲିଛି। କୁମାର ପୂର୍ଣ୍ଣିମା ପର ଦିନ ଏହି ବ୍ରତ ଆରମ୍ଭ ହେବା ନିୟମ ଥିବାରୁ ପରମ୍ପରା ଅନୁଯାୟୀ ହବିଷ୍ୟାଳିମାନେ ଏକାମ୍ର କ୍ଷେତ୍ରକୁ ଆସି ପହଞ୍ଚିଲେଣି। ମାସ ତମାମ ଜମିବ ହୁଳହୁଳି ଓ ରାଇ ଦାମୋଦର ପୂଜା। ପ୍ରତି ବର୍ଷ ପରି ହବିଷ୍ୟାଳିମାନେ ଡୁଡୁଵାଲା ଧର୍ମଶାଳାରେ ଆସି ରହିଥାନ୍ତି। ପରମ୍ପରା ଅନୁଯାୟୀ ହବିଷ୍ୟାଳିମାନେ ଭୋର ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପଣି ପିଇବେ। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିବେ। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉରା ମୂଳେ ମୂରୁଜ ପକାଇବେ।

Advertisment

ସେମାନେ ମୂରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରିବେ। ସେମାନେ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରିବେ। ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ପ୍ରସାଦ ସେବନ କରିବେ ବୋଲି ହବିଷ୍ୟାଳିମାନେ କହିଛନ୍ତି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦାମୋଦର ବେଶ ମଧ୍ୟ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳିମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ୍ୟ ଡାଲମା କରିବା ପାଇଁ ପ୍ରସ୍ତୁତି କରାଯାଉଥିବା କହିଛନ୍ତି। ତେବେ ଏହି ହବିଷ ପାଳନ ପାଇଁ ବିଭିନ୍ନ ଅଞ୍ଚଳରୁ ସଧବା ମହିଳାମାନେ ଏକାମ୍ର କ୍ଷେତ୍ରକୁ ଆସିଲେଣି।