ଚନ୍ଦ୍ରଶେଖରପୁର: ଏକ ମାସରୁ ଅଧିକ ସମୟ ଧରି ଲକ୍ଡାଉନ୍ ଜାରି ରହିଛି। ଫଳରେ ସହରୀ ଲୋକଙ୍କ ପାଇଁ ଚୁଟି ଓ ଦାଢ଼ି କାଟିବା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେଲୁନ ଖୋଲୁ ନଥିବାରୁ ଗତ କିଛି ଦିନ ହେଲା ଅନେକ ଲୋକ ବାରିକଙ୍କୁ ଘରକୁ ଡାକି ନିଜର ଚୁଟି ଦାଢ଼ି କାଟିବା ନେଇ ଖୋସାମତ କରୁଥିବା ଦେଖିବାକୁ ମିଳିଛି। ସେଲୁନ ଅପେକ୍ଷା ଅଧିକ ଟଙ୍କା ଦେଇ ଲୋକେ ନିଜର ଚୁଟି ଓ ଦାଢ଼ି କାଟୁଛନ୍ତି। କିଏ ଚୁଟି କାଟିବା ପାଇଁ ଶହେ ଟଙ୍କା ଦାବି କରୁଛନ୍ତି ତ ଆଉ କିଏ ଦାଢ଼ି ଲାଗି ୫୦ ଟଙ୍କା ମାଗୁଛନ୍ତି।
ମଞ୍ଚେଶ୍ବରର ମା’ ସନ୍ତୋଷୀ ହେୟାରଡ୍ରେସ୍ ଓ ସ୍ପା’ର ମାଲିକ ଲିଙ୍ଗରାଜ ବାରିକ, ଚନ୍ଦ୍ରଶେଖରପୁର ସଚିନ୍ ସେଲୁନ୍ ମାଲିକ ସୁବ୍ରତ କୁମାର ମିର୍ଦ୍ଧା ଓ ଇନ୍ଫୋସିଟି ଅଞ୍ଚଳର ରଫ୍ ଆଣ୍ଡ୍ ଟଫ୍ ସେଲୁନ୍ ମାଲିକ ବିଶ୍ବନାଥ ବାରିକଙ୍କ ସୂଚନା ମୁତାବକ ସେମାନେ ଦିନକୁ ମାତ୍ର ୩/୪ ଜଣ ଲୋକଙ୍କ ଘରକୁ ଯାଉଛନ୍ତି। ସାଙ୍ଗରେ ନୂଆ ସଫା କପଡ଼ା ନେଉଛନ୍ତି। ଯେଉଁଥିରେ ମାତ୍ର ଜଣେ ବ୍ୟବହାର କରିବା ପରେ ତାକୁ ଧୋଇବା ପାଇଁ ରଖି ଦିଆଯାଉଛି। ସେମାନେ ନିଜ ଶରୀରକୁ ସାନିଟାଇଜ୍ କରି ପୁଣିଥରେ ଅନ୍ୟ ଜଣଙ୍କର ଚୁଟି କାଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଚୁଟି କଟା କଇଁଚି, ଟ୍ରିମର ଓ ଖୁରକୁ ମଧ୍ୟ ସାନିଟାଇଜ୍ କରାଯାଉଛି। ଏପରି ହେବା ଦ୍ବାରା କାରିଗର ଜଣକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଯାହା ବାବଦକୁ ଏବେ ରଜଧାନୀ ସହରାଞ୍ଚଳରେ ଜଣେ ବାରିକ କାରିଗର ଘରକୁ ଆସି ଜଣେ ବ୍ୟକ୍ତିଙ୍କ ପିଛା ୧୦୦ ଟଙ୍କା ନେଇ ଚୁଟି ଓ ୫୦ ଟଙ୍କା ନେଇ ଦାଢ଼ି କାଟିବାପାଇଁ ମନ ବଳାଉଛନ୍ତି। ଗ୍ରାହକମାନେ ମୋବାଇଲ୍ ଯୋଗେ ବାରିକଙ୍କୁ ଯୋଗାଯୋଗ କରୁଛନ୍ତି।
ସାଧାରଣତଃ ରାଜଧାନୀର ଆପାର୍ଟମେଣ୍ଟ୍ ଗୁଡ଼ିକରେ ଏପରି ପରିସ୍ଥିତି ଦେଖାଯାଉଛି। କିଛି ଲୋକ ମୁଲଚାଲ କରି ବିନା କପଡ଼ାରେ ମଧ୍ୟ ଚୁଟି କାଟୁଥିବା ଦେଖିବାକୁ ମିଳିଛି। ମାତ୍ର ସେଲୁନ୍କୁ ଯିବାରେ କରୋନା ସଂକ୍ରମଣ ନେଇ ଭୟ ଥିବାରୁ ଏପରି ଆପଣାଇଛନ୍ତି। ଏପରି ହେବା ଫଳରେ ଜଣେ ବାରିକ କାରିଗର ଦିନକୁ ୩୦୦ରୁ ୪୦୦ ଟଙ୍କା ଆୟ କରିବାର ସୁଯୋଗ ରହୁଛି। ତେବେ ଗ୍ରାମାଞ୍ଚଳରେ ଏପରି ବ୍ୟବସ୍ଥା ନାହିଁ। ଗ୍ରାମକୁ ଆସୁଥିବା ବୁଲା ବାରିକ କାରିଗର ଗ୍ରାମର ଗୋଟିଏ ଖୋଲା ସ୍ଥାନରେ ବସି ଅନେକ ଲୋକଙ୍କର ଚୁଟି ଦାଢ଼ି କାଟିଦେଉଛି। ଯାହା ବାବଦକୁ ଚୁଟି ଓ ଦାଢ଼ି ଉଭୟ ପାଇଁ ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ତୁରନ୍ତ ସେଲୁନ୍ ଖୋଲିବା ନେଇ ବାରିକ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଉଥିଲା ବେଳେ ଏହି ବୃତ୍ତିକୁ ଆପଣାଇ ପରିବାର ଭରଣ ପୋଷଣ କରୁଥିବା ଲୋକେ ଦୁଃଖ ଯନ୍ତ୍ରଣାରେ ଦିନ କୁଟୁଥିବା ସଂଘ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/cjk657f98hjk7fh98k7fhk98fhkhhhhhhhhhhh.jpg)
