ମେଡିକାଲ ପିଜି ନାମଲେଖା ନାଁରେ ଅଧ କୋଟି ଚଳୁ

ଇନ୍‌ଫୋସିଟି ଥାନାର ଦ୍ବାରସ୍ଥ ହେଲେ ୟୁପି ଡାକ୍ତର

ଭୁବନେଶ୍ବର: ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପିଜି ଏମ୍‌ଡି/ଏମ୍‌ଏସ୍ ବିଭାଗରେ ନାମ ଲେଖାଇଦେବା ଆଳରେ ଜଣେ ଡାକ୍ତରଙ୍କ ଠାରୁ ଅଧ କୋଟି ଟଙ୍କା ଠକେଇ ହୋଇଛି। ଠକେଇର ଶିକାର ହୋଇଥିବା ଉତ୍ତରପ୍ରଦେଶ ଆଲିଗଡ଼ର ବିକାଶ ବର୍ସାନେ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ପାରାଡାଇଜ୍ କନ୍‌ସଲ୍‌ଟାନ୍‌ସି ନାଁ ନେଇ ଜଣେ ତାଙ୍କଠାରୁ ନଗଦ ୪୫ ଲକ୍ଷ ଟଙ୍କା ନେଇଥିବା ବେଳେ ଡିଡିରେ ୬ଲକ୍ଷ ୩୫ହଜାର ଟଙ୍କା ନିଆଯାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ବିକାଶଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ବରସ୍ଥିତ ଏକ ମେଡିକାଲ କଲେଜରେ ପିଜି ବିଭାଗରେ ନାମ ଲେଖାଇବା ପାଇଁ ସେ ପାରାଡାଇଜ୍ କନସଲଟାନ୍ସିର ଏଜେଣ୍ଟ୍ ପଙ୍କଜ ଶର୍ମାଙ୍କୁ ଯୋଗାଯୋଗ କରିଥିଲେ। ପଙ୍କଜଙ୍କ ସହ କଥାବାର୍ତ୍ତା ପରେ ବିକାଶ ଜୁନ୍‌ ୨୦ରେ ଚନ୍ଦ୍ରଶେଖରପୁର ଆସିଥିଲେ। ପଙ୍କଜ ତାଙ୍କୁ ସଂଜୀବ ସାହୁ ନାମକ ଜଣେ ଯୁବକଙ୍କୁ ଦେଖା କରିବାକୁ କହିଥିଲେ।

ସଂଜୀବଙ୍କୁ ଯୋଗାଯୋଗ କରିବା ପରେ ସେମାନଙ୍କ ସହ ରାକେଶ ଶର୍ମା ଏବଂ ସୁବ୍ରତ ଘୋଷ ଯୋଡ଼ି ହୋଇଥିଲେ। ସେମାନେ ବିକାଶଙ୍କୁ ନେଇ ଚନ୍ଦ୍ରଶେଖରପୁରସ୍ଥିତ ଉକ୍ତ ଘରୋଇ ମେଡିକାଲ କଲେଜର ୫୨ନମ୍ବର ଗେଟ୍ ପାଖକୁ ଯାଇଥିଲେ। ବିକାଶଙ୍କୁ ବାହାରେ ଠିଆ କରାଇ ସେମାନେ ନ୍ୟୁରୋସର୍ଜରି ବିଭାଗ ଓପିଡିରେ ଡକ୍ୟୁମେଣ୍ଟ ଯାଞ୍ଚ୍ କରାଯିବ ବୋଲି କହି ଭିତରକୁ ଯାଇଥିଲେ। ପ୍ରାୟ ଘଣ୍ଟାଏ କାଳ ବିକାଶ ବାହାରେ ଅପେକ୍ଷା କରିବା ପରେ ସେମାନେ ବାହାରକୁ ଆସିଥିଲେ ଏବଂ ନଗଦ ୪୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ।

ମାତ୍ର ଠିକ୍‌ ସେତିକିବେଳେ ତାଙ୍କ ପାଖରେ ଏତେ ଟଙ୍କା ନଥିଲା। ତେଣୁ ପରଦିନ ଅର୍ଥାତ୍ ଜୁନ୍‌ ୨୧ରେ ବିକାଶ ନଗଦ ୪୫ଲକ୍ଷ ଟଙ୍କା ଆଣି ସେମାନଙ୍କୁ ଦେଇଥିଲେ। କିଛି ସମୟ ପରେ ୩ ଧୂର୍ତ୍ତ ତାଙ୍କୁ ଉକ୍ତ ମେଡିକା‌ଲ କଲେଜ ପ୍ୟାଡ୍‌ରେ ଲେଖାଥିବା ଏକ ନିଯୁକ୍ତି ପତ୍ର ଦେଇଥିଲେ। ୨ରୁ ୩ଦିନ ଭିତରେ ବିକାଶଙ୍କ ନାଁ କଲେଜ ୱେବ୍‌ସାଇଟ୍‌ରେ ଦେଖାଯିବ ବୋଲି କହିଥିଲେ। କିନ୍ତୁ ଏହା ପରଠାରୁ ବିକାଶ ପଙ୍କଜ ଶର୍ମା, ସଂଜୀବ ସାହୁ, ରାକେଶ ଶର୍ମା ଓ ସୁବ୍ରତ ଘୋଷ ସହ ଯୋଗାଯୋଗ କଲେ ବି କାହା ଫୋନ୍‌ ଲାଗିନଥିଲା। ଏମିତିକି ୫ ଦିନ ପରେ ବି କଲେଜ ୱେବ୍‌ସାଇଟ୍‌ରେ ବି ତାଙ୍କ ନାଁ ନଥିଲା।

ସମ୍ବନ୍ଧିତ ଖବର