ଚନ୍ଦ୍ରଶେଖରପୁର/ଭୁବନେଶ୍ବର: ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି। ଯେଉଁଠି ପାଣି ଜମୁଛି ସେଠାରେ ଲୋକଙ୍କୁ ଛିଡ଼ା କରାଯାଇ ଖାଦ୍ୟ ପରସା ଯାଉଛି। ବାସି ମିଠାକୁ ସଜ କହି ଗ୍ରାହକଙ୍କୁ ଦେଉଛନ୍ତି। ମୂଷା ଖାଇଥିବା ବିସ୍କୁଟ୍‌ ଦୋକାନରେ ବିକ୍ରି ହେଉଛି। ବ୍ୟବସାୟୀ ମୁଣ୍ଡରେ ଟୋପି ପିନ୍ଧୁ ନାହାନ୍ତି କି ସାବଧାନତା ଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ ବିଏମ୍‌ସି ପକ୍ଷରୁ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ମହାବୀର ସୁଇଟ୍ସକୁ ୨୦ ହଜାର ଟଙ୍କାର ଜରିମାନା ସହ ଚେତାବନୀ ଦିଆଯାଇଛି। ଯଦି ଏଥିରେ ନ ସୁଧୁରିବେ ତେବେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଦୋକାନକୁ ସିଲ୍‌ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଞ୍ଚଳରେ ଝାଡ଼ାବାନ୍ତି, ହଇଜା ବ୍ୟାପୁଥିବାରୁ ବିଏମ୍‌ସି ଖାଦ୍ୟ ନିରାପତ୍ତା ଟିମ୍‌ ଓ ସାଇନ ଟିମ୍‌ ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁରେ ଚଢ଼ଉ କରିଥିଲେ। ସକାଳୁ ସକାଳୁ ଚନ୍ଦ୍ରଶେଖରପୁରରେ ଥିବା ସୁଇଟ୍ସ ଷ୍ଟଲରେ ପହଞ୍ଚି ମିଠା ଯାଞ୍ଚ କରିଥିଲେ। ଅଧିକାଂଶ ଖାଦ୍ୟ ଖୋଲା ରଖାଯାଇଥିବା ଯାଞ୍ଚ ସମୟରେ ଦେଖିବାକୁ ମିଳିଥିଲା। ଖାଦ୍ୟ ଖୋଲା ରହିଥିବାରୁ ବିଏମ୍‌ସି ଟିମ୍‌ ଅସନ୍ତୋଷ ପ୍ରକାଶ କରିବା ସହ ଛେନାପୋଡ଼, ଷ୍ଟିମ୍‌ପୋଡ଼, ରସଗୋଲା, ଛଣା ହୋଇନଥିବା ସିଙ୍ଗଡା, ତାଡ଼ିଆ ଆଦିକୁ ନଷ୍ଟ କରିଥିଲେ। ପାଣି କେଉଁଠୁ ଆସୁଛି ତାହା ବୁଲି ଦେଖିଥିଲେ। ସହରର ବିଭିନ୍ନ ହୋଟେଲରେ ଚଢ଼ଉ ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା।
ଚନ୍ଦ୍ରଶେଖରପୁର ସମେତ ସୌଭାଗ୍ୟନଗର, ଏରୋଡ୍ରମ ଅଞ୍ଚଳର ବିଭିନ୍ନ ଦୋକାନରେ ଆଜି ଚଢ଼ଉ କରାଯାଇ ୫୭ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ୨୫ କେଜି ଖାଦ୍ୟ ନଷ୍ଟ କରାଯାଇଛି। ୬ଟି ସ୍ଥାନରୁ ପାନୀୟ ଜଳ ଓ ୮ଟି ହୋଟେଲରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଗତକାଲି ସୌଭାଗ୍ୟନଗର, ପ୍ରକୃତିବିହାର, ଡେଲଟା ଛକ, ପଟିଆ, କିମ୍ସ ଆଦି ଅଞ୍ଚଳରେ ଚଢ଼ଉ କରାଯାଇ ୨୦ରୁ ୩୦ କେଜି ବାସି ଖାଦ୍ୟ ନଷ୍ଟ କରାଯାଇଥିଲା। ୧୦ଟି ଦୋକାନରୁ ପାନୀୟ ଜଳ ଓ ୧୦ଟି ହୋଟେଲରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅର୍ଥାତ୍‌ ଗତ ୨୪ ଘଣ୍ଟା ମଧ୍ୟରେ ଅଧ କୁଇଣ୍ଟାଲରୁ ଅଧିକ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି। ବାସି ଖାଦ୍ୟ ଓ ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବାରୁ କେତେକ ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
ଏବେ ସହରର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଏଥିପାଇଁ ଜନସାଧାରଣ ସ୍ବଚ୍ଛତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ଖାଦ୍ୟ ବ୍ୟବସାୟୀମାନେ ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟକର ପରିବେଶରେ ତଟକା ଖାଦ୍ୟ ବିକ୍ରି କରିବାକୁ କୁହାଯାଇଛି। ସହରବାସୀଙ୍କ ହିତ ପାଇଁ ଆଗାମୀ ଦିଗରେ ଏଭଳି ଚଢ଼ଉ ଜାରି ରହିବ ବୋଲି ବିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି।