ଚନ୍ଦ୍ରଶେଖରପୁର: ପଟିଆରେ ଜଣେ ବ୍ୟକ୍ତି ବହୁମୂଲ୍ୟ ସରକାରୀ ସମ୍ପତ୍ତିକୁ ମାଡି ବସିଥିଲେ। ଅଧଏକର ଜମିକୁ ଅକ୍ତିଆରରେ ରଖି ଦୋକାନ ନିର୍ମାଣ କରିଥିଲେ। ବର୍ଷ ବର୍ଷ ଧରି ଏକାଧିକ ଦୋକାନ ମଧ୍ୟ ଭଡା ସୂତ୍ରରେ ଲାଗିଥିଲା। ଏହାକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି। ବିଡିଏ ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗର ପ୍ଲଟ ନଂ-୪୨୨ରେ ଅଧ ଏକର(୫୦୦ ଡିସିମିଲ) ଜମି ରହିଛି। ସେହି ଜମିରେ ଗୋବିନ୍ଦ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତି କେତେକ ଦୋକାନ କରି ଭଡା ସୂତ୍ରରେ ଲଗାଇଥିଲେ। ତେବେ ସାଧାରଣ ପ୍ରଶସନ ବିଭାଗର ରିକ୍ୟୁଜିସନକ୍ରମେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପହଞ୍ଚିଥିଲା। ଉଚ୍ଛେଦ ସମୟରେ ଜବରଦଖଲକାରୀ ଓ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ଉତ୍ତେଜନା ପ୍ରକାଶ ପାଇବା ପରେ ଶେଷରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଥିରେ ୧୨ଟି ବାଣିଜ୍ୟିକ ଦୋକାନ, ୩ଟି ଘର ଭଙ୍ଗାଯାଇଛି।
ସୂଚନାଯୋଗ୍ୟ ଯେ ଗୋବିନ୍ଦ ଚନ୍ଦ୍ର ରାଉତ ଓ ଅନ୍ୟମାନେ ହାତ ପଟ୍ଟା ଜରିଆରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାରଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ। ତାହା ଖାରଜ ହେବା ପରେ ଶ୍ରୀ ରାଉତ ଓ ଅନ୍ୟମାନେ ଓଡିଶା ରାଜସ୍ବ ପରିଷଦ ସଦସ୍ୟଙ୍କ ନିକଟରେ ୨୦୦୦ ମସିହାରେ କେସ୍ କରିଥିବା ବେଳେ ତାହା ମଧ୍ୟ ଖାରଜ ହୋଇଯାଇଥିଲା। ଏହାପରେ ୨୦୦୮ରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରେ ମଧ୍ୟ ଖାରଜ ହୋଇଥିଲା। ସେହିପରି ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ୨୦୧୮ରେ ଓପିପି ମାମଲା ଜରିଆରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ପୁନର୍ବାର ସେ ୨୦୨୨ରେ ଉଚ୍ଚ ଅଦାଲତରେ ମଧ ମାମଲା କରି ହାରିଯିବା ପରେ ଆଜି ଉଚ୍ଛେଦ କରାଯାଇଛି।