ସିଂହଙ୍କ ମେଳରେ ଅଧଘଣ୍ଟା

ନନ୍ଦନକାନନ ସିଂହ ସଫାରିରେ ଫସିଗଲା ପର୍ଯ୍ୟଟକଙ୍କ ବସ୍‌

ବାରଙ୍ଗ: ଆଜି ନନ୍ଦନକାନନର ସିଂହ ସଫାରି ମଧ୍ୟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍‌ ଅଧା ରାସ୍ତାରେ ଫସି ଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ବର୍ଷା ଯୋଗୁଁ ରାସ୍ତା ଓଦା ଥିବାରୁ ବସ୍‌ର ଚକ ସେଠାରେ ଦବିଯାଇଥିଲା। ଆଉ ସିଂହଙ୍କ ମେଳରେ ପ୍ରାୟ ଅଧ ଘଣ୍ଟା କାଳ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ପରେ ଅବଶ୍ୟ ଅନ୍ୟ ବସ୍‌ ଯୋଗେ ସେଠାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଏବଂ ବଡ଼ ଧରଣର ଅଘଟଣରୁ ପର୍ଯ୍ୟଟକମାନେ ବର୍ତି ଯାଇଥିଲେ। ଅନ୍ୟପକ୍ଷରେ ବସ୍‌ଟି ସେଠାରେ ସେପରି ଅଟକି ରହିଥିବା ବେଳେ ଅନ୍ୟ ବସ୍‌ଗୁଡ଼ିକୁ ଆଉ ସଫାରି ମଧ୍ୟକୁ ଛଡ଼ା ଯାଇ ନଥିଲା।

ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ପ୍ରାୟ ୩୦ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍‌(ଓଆର୍‌-୦୨-୮୮୧୧)ସିଂହ ସଫାରି ମଧ୍ୟରେ ପଶିଥିଲା। ବସ୍‌ର କର୍ମଚାରୀମାନେ ସଫାରି ମଧ୍ୟରେ ଥିବା ଗୋଟିଏ ସିଂହ ଓ ଗୋଟିଏ ସିଂହୀକୁ ପର୍ଯ୍ୟଟକଙ୍କୁ ଦେଖାଇ ସାରିଥିଲେ। ଫେରିବା ବାଟରେ ଅଚାନକ ରାସ୍ତା ମଝିରେ ବସ୍‌ର ବାମ ପଟ ଚକ କାଦୁଅରେ ଦବି ଯାଇଥିଲା। ବସ୍‌ ଚାଳକ ଯେତେ ଚେଷ୍ଟା କଲେ ମଧ୍ୟ ଚକକୁ ସେଠାରୁ ଉଠାଇ ପାରି ନଥିଲେ। ବସ୍‌ ଚକ ଅଧିକରୁ ଅଧିକ ମାଟି ଭିତରକୁ ଦବୁଥିବା ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ବସ୍‌ ଚଳକ ସେମାନଙ୍କୁ ପାଟି ନକରିବାକୁ ଏବଂ ହଲଚଲ ନହେବାକୁ ପରାମର୍ଶ ଦେଇଥିଲେ। ପରେ ଏ ସଂପର୍କରେ ନନ୍ଦନକାନନ କାର୍ଯ୍ୟାଳୟକୁ ଫୋନ୍‌ କରି ଜଣାଇଥିଲେ। ନନ୍ଦନକାନନର କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ପ୍ରଥମେ ସିଂହ ଦୁଇଟିକୁ କୌଶଳକ୍ରମେ ସଫାରିକୁ ଲାଗିଥିବା ଖାଦ୍ୟ ଗ୍ରହଣ କକ୍ଷରେ ଭର୍ତ୍ତି କରିଥିଲେ। ଏହାପରେ ପର୍ଯ୍ୟଟକଙ୍କୁ ସେଠରୁ ଉଦ୍ଧାର କରିବାକୁ ଆଉ ଏକ ସଫାରି ବସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦବି ଯାଇଥିବା ବସ୍‌ରୁ ପର୍ଯ୍ୟଟକଙ୍କୁ ବାହାର କରାଯାଇ ଅନ୍ୟ ବସ୍‌ରେ ବସା ଯାଇଥିଲା। ପ୍ରାୟ ଅଧ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସଫାରି ମଧ୍ୟରୁ ବାହାର କରାଯାଇଥିଲା। ତେବେ ଦବି ଯାଇଥିବା ବସ୍‌କୁ ଆଜି ସେଠାରୁ ଉଠାଯାଇ ପାରିନାହିଁ। ସେହିପରି ଆଜି ପାଇଁ ସଫାରି ମଧ୍ୟରେ ବସ୍‌ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି କର୍ତୃପକ୍ଷ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର