ପ୍ରିୟଙ୍କା ରାୟ
ଭୁବନେଶ୍ୱର: ରାଜଧାନୀରେ ପାରମ୍ପରିକ ଓଡ଼ିଆ ଖାଦ୍ୟ କଥାର ଆଲୋଚନା ହେଲେ ଯେଉଁ କେତୋଟି ସ୍ଥାନର କଥା ମନକୁ ଆପଣାଛାଏଁ ଆସିଯାଏ, ତା’ ଭିତରୁ ଗୋଟିଏ ଏକାମ୍ର ହାଟ। ଏଠାରେ ଥିବା ଦେଶୀ ପତ୍ରପୋଡ଼ା ହୋଟେଲରେ ମିଳୁଥିବା ‘ବାଉଁଶ ଚିକେନ’ ଓ ‘ମଟନ୍‌ ପତ୍ରପୋଡ଼ା’ର ଅନେକ ଦିୱାନୀ ଅଛନ୍ତି ରାଜଧାନୀରେ। ସେମାନେ କହନ୍ତି, ସହରର ଅନେକ ତାରକା ହୋଟେଲ, ପ୍ରସିଦ୍ଧ ରେସ୍ତୋରାଁ ଓ ଅନ୍ୟ ଦୋକାନରେ ମଧ୍ୟ ଏସବୁ ମିଳୁଥିଲେ ହେଁ ଏଠାକାର ସ୍ବାଦ ଅଲଗା। ଏହାର ୟୁଏସ୍‌ପି ହେଉଛି ସମୂର୍ଣ୍ଣ ଘରୋଇ ଢଙ୍ଗରେ ଓ ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ହେଉଥିବା ଚିକେନ ଓ ମଟନ ବ୍ୟଞ୍ଜନ। ସେଥିରେ ପ୍ରାକୃତିକ ଉପାୟରେ ରହୁଥିବା ଶାଳପତ୍ର ଓ ବାଉଁଶର ବାସ୍ନା ଗୋ‌ଟେ ଦେଶୀ ଦେଶୀ ଭାବ ପ୍ରଦାନ କରେ। ତେଣୁ ସ୍ବାଭାବିକ ଭାବେ ପ୍ରତ୍ୟେକ ଦିନ ଏଠାରେ ଗ୍ରାହକଙ୍କର ଭିଡ଼ ଜମେ।

Advertisment

ଦେଶୀ ପତ୍ରପୋଡ଼ା ହୋଟେଲର ମାଲିକ ଧୀରେନ୍ଦ୍ର ନାଥ ମାନସିଂହ କହନ୍ତି, ତାଙ୍କ ହୋଟେଲରେ କୌଣସି ବାହାର ମସଲା ବ୍ୟବହାର କରା ଯାଏନାହିଁ। କେବଳ ଘରେ ବ୍ୟବହାର ହେଉଥିବା ସୋରିଷ ତେଲ, ପିଆଜ, ରସୁଣ, ଅଦା, ଗୋଟା ମସଲା, ଲଙ୍କା, ହଳଦୀ, ଦହି ଆଦିରେ ସବୁ ପ୍ରସ୍ତୁତ ହୁଏ। ହୋଟେଲର ବାଉଁଶ ଚିକେନ ଓ ମଟନ ପତ୍ରପୋଡ଼ାର ଅଧିକ ଚାହିଦା ରହିଛି। କେବଳ ସେତିକି ନୁହେଁ, ଏଠାରେ ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ମଟନ ତରକାରିକୁ ଖାଇବାକୁ ମଧ୍ୟ ପ୍ରତିଦିନ ଖାଦ୍ୟ ସୌଖିନଙ୍କ ଠାରୁ ଆରମ୍ଭ କରି ବହୁ ସରକାରୀ ତଥା ବେସରକାରୀ ସଂସ୍ଥାର କର୍ମଚାରୀ ଗହଳି କରନ୍ତି। ଖାଦ୍ୟ ଖାଇସାରି ହାତ ଧୋଉଧୋଉ ଖାରବେଳ ନଗରରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ଦୁର୍ଯୋଧନ ପ୍ରଧାନ କହିଲେ, ‘‘ଯେବେ ମଟନ ଖାଇବାକୁ ଇଚ୍ଛାହୁଏ, ଏଇ ପତ୍ରପୋଡ଼ାକୁ ଚାଲିଆସେ। ଭାଇଙ୍କ ମଟନ ତରକାରି ଘରକଥା ମନେ ପକାଇ ଦିଏ।’’
ଏଠାରେ ମିଳୁଥିବା ଖାଦ୍ୟର ଦାମ୍‌ ମଧ୍ୟ ପକେଟ ପାଇଁ ବିଶେଷ ଓଜନିଆ ନୁହେଁ। ପ୍ଲେଟ୍‌ ପିଛା ବାଉଁଶ ଚିକେନର ମୂଲ୍ୟ ୨୦୦ ଟଙ୍କା ରହିଥିବା ବେଳେ ମଟନ ୩୦୦; ମଟନ ପତ୍ରପୋଡ଼ା ୨୨୦ ଓ ଚିକେନ ପତ୍ରପୋଡ଼ା ୧୬୦ ଟଙ୍କା ରହିଛି। ସେହିପରି ନିରାମିଷରେ ଛତୁ ପତ୍ରପୋଡ଼ା ୧୬୦ , ବାଉଁଶ ପନିର ୨୫୦ ଟଙ୍କା ଓ ମଟନ ତରକାରିର ମୂଲ୍ୟ ୨୦୦ ଟଙ୍କା ରହିଛି। ଲୋକମୁଖର ପ୍ରଚାର ଜରିଆରେ ଛୋଟ ଆକାରରେ ଆରମ୍ଭ ହୋଇଥିବା ଏହି ହୋଟେଲର ଗ୍ରାହକ ଦିନକୁ ଦିନ ବଢ଼ି ଚାଲିଛନ୍ତି। ଏଥିରେ କିଛି ଅସ୍ବାଭାବିକତା ବି ନାହିଁ।