ଅର୍ଦ୍ଧନଗ୍ନ ମହିଳାଙ୍କ ମୃତଦେହ ଜବତ ମାମଲା: ଦୁଷ୍କର୍ମ ପରେ ହତ୍ୟା ବଙ୍ଗୀୟ ମିସ୍ତ୍ରି ଚନ୍ଦୁ ପଛରେ ପୁଲିସ

ବାଲିଅନ୍ତା: ଧଉଳି ଥାନା ନୂଆଗାଁସ୍ଥିତ ଦିବ୍ୟନଗର ଅଞ୍ଚଳର ଏକ ନିର୍ମାଣାଧୀନ ଘରୁ ଜବତ ହୋଇଥିବା ଅପରିଚିତ ମହିଳାଙ୍କ ମୃତଦେହ ମାମଲାର ରହସ୍ୟ ଉପରୁ ପର୍ଦ୍ଦା ହଟିଛି। ଏବେ ବି ମହିଳାଙ୍କ ପରିଚୟ ମିଳିନାହିଁ। ତେବେ ଏହି ଶ୍ରମିକ ମହିଳାଙ୍କୁ ବଙ୍ଗୀୟ ମିସ୍ତ୍ରି ହରିଚ୍‌ ମଲ୍ଲିକ ଓରଫ୍ ଚନ୍ଦୁ(୫୫) ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେଣୁ କମିସନରେଟ୍‌ ପୁଲିସ ଏବେ ଚନ୍ଦୁକୁ ପିଛା କରିବା ଆରମ୍ଭ କରିଛି। ଏଣେ ବଙ୍ଗୀୟ ମିସ୍ତ୍ରି ଚନ୍ଦୁ ମୋବାଇଲ୍‌ ଫୋନ୍‌ ବନ୍ଦ କରି କଟକ କିମ୍ବା ଭୁବନେଶ୍ବରରେ କେଉଁଠି ଲୁଚିଥିବା ସନ୍ଦେହ କରାଯାଉଛି। ଏମିତିକି ସେ ପଶ୍ଚିମବଙ୍ଗ ମେଦିନିପୁର ପଳାଇଥିବା ଅନୁମାନ କରି ପୁଲିସ ସେଠାରେ ଚଢ଼ଉ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଖୁବ୍‌ ଶୀଘ୍ର ଚନ୍ଦୁକୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଚନ୍ଦୁ ଧରାପଡ଼ିବା ପରେ ହିଁ ମହିଳାଙ୍କ ପରିଚୟ ମିଳିବ ବୋଲି ଆଶା କରାଯାଉଛି। ମହିଳା ଶ୍ରମିକ ଜଣକ ମଧ୍ୟ ବଙ୍ଗୀୟ ହୋଇଥିବା ଅନୁମାନ କରାଯାଉଛି।

ପୁଲିସ ସୂଚନାନୁସାରେ ମହିଳାଙ୍କ ମୃତଦେହରେ ସିମେଣ୍ଟ ଲାଗିଥିବାରୁ ପ୍ରଥମେ କିଛି ଜଣାପଡ଼ିନଥିଲା। କିନ୍ତୁ ପାରିପାର୍ଶ୍ବିକ ସ୍ଥିତିରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିଲା। ବ୍ୟବଚ୍ଛେଦରୁ ମହିଳାଙ୍କ ଯୌନାଙ୍ଗରେ କ୍ଷତଚିହ୍ନ ଥିବା ସ୍ପଷ୍ଟ ହୋଇଛି। ସେହିଭଳି ମୁଣ୍ଡ ଓ ଛାତିରେ ବି କ୍ଷତ ଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚରୁ ଘର ଭିତରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ଦେହରେ ସିମେଣ୍ଟ ଲାଗିଥିବାରୁ ଦୁଷ୍କର୍ମ ବେଳେ ଧସ୍ତାଧସ୍ତି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଣେ ଉକ୍ତ ନିର୍ମାଣାଧୀନ କୋଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ ସୂଚନାନୁସାରେ ମିସ୍ତ୍ରି ଚନ୍ଦୁ ଉକ୍ତ ମହିଳାଙ୍କୁ କାମକୁ ଆଣିଥିଲା ଓ ତଳ ମହଲାରେ ରଖିଥିଲା। ଘଟଣା ପରଠାରୁ ଚନ୍ଦୁ ଫେରାର୍ ହୋଇଯାଇଛି। ତେଣୁ ମହିଳାଙ୍କୁ ଚନ୍ଦୁ ହିଁ ହତ୍ୟା କରିଛି ବୋଲି ସେମାନେ ମଧ୍ୟ ସନ୍ଦେହ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଦୁଇ ମହଲା କୋଠାଘରଟି କେନ୍ଦୁଝରର ସୌମ୍ୟରଞ୍ଜନ ମିଶ୍ରଙ୍କର ଓ ସେ ଠିକାଦାର ସୁଶାନ୍ତ ସାହାଣୀଙ୍କୁ କାମ ଦେଇଛନ୍ତି। ଗତକାଲି ମହିଳାଙ୍କ ଶବ ଜବତ ହେବା ପରେ ଠିକାଦାର ସୁଶାନ୍ତ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର