ଭୁବନେଶ୍ୱର: ରାଜ୍ୟର ପ୍ରଥମ ସହର ଭାବେ ଭୁବନେଶ୍ବର ମହାନଗର ନିଗମ ୨୦୧୬ ମସିହାରେ ସ୍ମାର୍ଟସିଟିର ମାନ୍ୟତା ପାଇଲା। ମାନ୍ୟତା ପାଇବା ୯ ବର୍ଷ ବିତିଗଲାଣି, ଅଥଚ ସହରର ଚିତ୍ର ବଦଳୁନି। ସନ୍ଧ୍ୟା ନଇଁଲେ ଏଠି ଅନ୍ଧାରର ରାଜୁତି। ଅଧାସହର ଅନ୍ଧକାରମୟ ହୋଇଯାଉଛି। ସ୍ଥିତି ଏପରି ଯେ ରାତିରେ ଭୁବନେଶ୍ବର ସହରରେ ଯାତାୟାତ କରିବାକୁ ଲୋକେ ଡରିଲେଣି। ପ୍ରତି ମୁହୂର୍ତ୍ତରେ ଚୋରି, ରାହାଜାନି, ଦୁର୍ଘଟଣାର ଭୟ ଘାରୁଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପାଣ୍ଡରା ଛକରୁ ସାଇମନ୍ଦିର ଛକ, ନନ୍ଦନକାନନ ରାସ୍ତା, ପଳାଶୁଣି ରାସ୍ତା, ଚନ୍ଦ୍ରଶେଖରପୁର ରାସ୍ତା, ରଘୁନାଥପୁର ରାସ୍ତା, କଳିଙ୍ଗ ଷ୍ଟାଡିୟମ୍ ନିକଟ ଅଞ୍ଚଳ, ରସୁଲଗଡ଼ରୁ ସହିଦନଗର ରାସ୍ତା, ବମିଖାଲ ବ୍ରିଜ୍ରୁ ମହର୍ଷି କଲେଜ ଦେଇ ସହିଦନଗର ରାସ୍ତା, ଲକ୍ଷ୍ମୀସାଗର ରାସ୍ତାର ଅଧା ଷ୍ଟ୍ରିଟ୍ଲାଇଟ୍ ଜଳୁନାହିଁ। ଭୁବନେଶ୍ବର ମହାନଗର ନିଗମର ଆଲୋକୀକରଣ ପାଇଁ ହାଇମାଷ୍ଟ, ଷ୍ଟ୍ରିଟ୍ଲାଇଟ୍ ଲଗାଇବା ବାବଦରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ଏହାର ମାସିକ ପରିଚାଳନାରେ ହାରାହାରି ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କେବଳ ସେତିକି ନୁହେଁ, ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ଆଲୋକୀକରଣ କଥା ବୁଝିବାକୁ ବିଏମ୍ସି ମୁଖ୍ୟାଳୟରେ ସ୍ବତନ୍ତ୍ର ବିଦ୍ୟୁତ୍ ସେକ୍ସନ୍ ରହିଛି। ଏହା ଦାୟିତ୍ବରେ ଜଣେ ନିର୍ବାହୀ ଯନ୍ତ୍ରୀ ରହିଛନ୍ତି। ପ୍ରତି ୱାର୍ଡରେ ବିଦ୍ୟୁତ୍ ପରିଚାଳନା କଥା ବୁଝିବାକୁ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ବିଭିନ୍ନ ଏଜେନ୍ସି ବି ନିୟୋଜିତ ହୋଇଛନ୍ତି। ଅଥଚ ସ୍ଥିତିରେ ସୁଧାର ନ ଆସିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି। ସହରବାସୀ ଅଭିଯୋଗ କରିଛନ୍ତି, ନିର୍ବାହୀ ଯନ୍ତ୍ରୀ ଦାୟିତ୍ବରେ ଥିବା ସୁକାନ୍ତ କୁମାର ସାବତ କେବେ ଫୋନ୍ ଉଠାନ୍ତିନି। କାର୍ଯ୍ୟାଳୟକୁ ଗଲେ ବି ଦେଖା ମିଳେନି। ଲୋକେ କୌଣସି ସମସ୍ୟା ସଂପର୍କରେ ଜଣାଇବାକୁ ଚାହୁଥିଲେ ବି ଫୋନ୍ ଉଠାଉ ନଥିବାରୁ ଏହା ସମ୍ଭବପର ହେଉନି। ଯାତାୟାତ ବେଳେ ପ୍ରତି ମୁହୂର୍ତ୍ତରେ ଭୟାତୁର ପରିବେଶ, ଲୋକଙ୍କ ପିଛା ଛାଡ଼ୁନି। ରାଜଧାନୀ ଭୁବନେଶ୍ବରର ଏଭଳି ବିକଳ ଚିତ୍ର ଉପହାସ ପରି ମନେ ହେଉଛି।
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୭୭ହଜାରରୁ ଅଧିକ ଷ୍ଟ୍ରିଟ୍ଲାଇଟ୍ ରହିଛି। ପ୍ରମୁଖ ଛକମାନଙ୍କରେ ୧୩୧ରୁ ଅଧିକ ହାଇମାଷ୍ଟ ଲାଇଟ୍ ଲଗାଯାଇଛି। ଷ୍ଟ୍ରିଟ୍ଲାଇଟ୍ ଲଗାଇବା, ସଜାଡ଼ିବା ତଥା ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟରେ ସ୍ବତନ୍ତ୍ର ଇଲେକ୍ଟ୍ରିକାଲ୍ ସେକ୍ସନ୍ରେ ଜଣେ ନିର୍ବାହୀ ଯନ୍ତ୍ରୀ, ୨ଜଣ କନିଷ୍ଠ ଯନ୍ତ୍ରୀ, ବହୁ କାର୍ଯ୍ୟାଳୟ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀ କାମ କରୁଛନ୍ତି। କିନ୍ତୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି କି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ଖର୍ଚ୍ଚ କଥା ଦେଖିଲେ, ମାର୍ଚ୍ଚରେ ସହରର ଆଲୋକୀକରଣ (ବିଦ୍ୟୁତ୍ ବିଲ୍ ଓ ରକ୍ଷଣାବେକ୍ଷଣ) ବାବଦରେ ୩କୋଟି ୧୨ଲକ୍ଷ ୪୭ହଜାର ୮୯୭ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁଥିରୁ ବିଦ୍ୟୁତ୍ କିଣାରେ ୨କୋଟି ୮୭ଲକ୍ଷ ୩୨ହଜାର ୯୮ ଟଙ୍କା, ହାଇମାଷ୍ଟ, ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ଓ ପରିଚାଳନାରେ ୨୫ଲକ୍ଷ ୧୫ହଜାର ୭୯୯ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ଏପ୍ରିଲରେ ଆଲୋକୀକରଣ ତଥା ହାଇମାଷ୍ଟ, ଷ୍ଟ୍ରିଟ୍ ଲାଇଟ୍ ଆଦି ପରିଚାଳନା ବାବଦରେ ୫କୋଟି ୪୬ହଜାର ୨୬୫ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁଥିରୁ ହାଇମାଷ୍ଟ ଓ ଷ୍ଟ୍ରିଟ୍ ଲାଇଟ୍ କିଣାରେ ୩କୋଟି ୩୮ଲକ୍ଷ ୪୫ହଜାର ୩୮୦ ଟଙ୍କା, ବିଦ୍ୟୁତ୍ କିଣାରେ ୯୪ଲକ୍ଷ ୫୧ହଜାର ୧୮୨ ଟଙ୍କା, ଷ୍ଟ୍ରିଟ୍ ଲାଇଟ୍ ଓ ହାଇମାଷ୍ଟ ପରିଚାଳନାରେ ୬୭ଲକ୍ଷ ୪୩ହଜାର ୭୦୩ ଟଙ୍କା ଖର୍ଚ୍ଚ କରାଯାଇଛି। ମେ ମାସରେ ଆଲୋକୀକରଣ ପାଇଁ ୨କୋଟି ୪୧ଲକ୍ଷ ୩୦ହଜାର ୧୬୦ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁଥିରୁ ବିଦ୍ୟୁତ୍ କିଣାରେ ୭୯ଲକ୍ଷ ୬୦ହଜାର ୭୩୦ ଟଙ୍କା, ହାଇମାଷ୍ଟ ଓ ଷ୍ଟ୍ରିଟ୍ ଲାଇଟ୍ କିଣାରେ ୧କୋଟି ୬ଲକ୍ଷ ୭୩ହଜାର ୭୮୯ ଟଙ୍କା ଏବଂ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣରେ ୫୪ଲକ୍ଷ ୯୫ହଜାର ୬୪୧ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ମାସରେ ହାରାହାରି ୩ କୋଟି ପର୍ଯ୍ୟନ୍ତ ଟଙ୍କା ସହରର ଆଲୋକୀକରଣ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିଲେ ବି ଷ୍ଟ୍ରିଟ୍ଲାଇଟ୍ ଠିକ୍ ଭାବେ ଜଳୁନାହିଁ।