ଭୁବନେଶ୍ବର: ୧୮ ମାସରେ ଶେଷ ହେବାକୁ ଧାର୍ଯ୍ୟ ଥିବା ହଂସପାଳ ଫ୍ଲାଏଓଭର କାମ ୪୮ ମାସରେ ଅଧା ସରିଛି। କଟକ-ଭୁବନେଶ୍ବର ରାସ୍ତାରେ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଶୁକ୍ରବାର ଗୋଟିଏ ପାର୍ଶ୍ବ ଖୋଲିଥିବା ଏହି ଫ୍ଲାଏଓଭରକୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି। ବାକି ଅଧା କାମ ଅକ୍ଟୋବର ୧୫ ସୁଦ୍ଧା ଶେଷ କରିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ଧାର୍ଯ୍ୟ ସମୟ ମଧ୍ୟରେ କାମ ସାରିବାକୁ କୁହାଯାଇଛି।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ପୂର୍ବତନ ବିଧାୟକ ତଥା ଉତ୍ତର ଭୁବନେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ସ୍ବାକ୍ଷର ମହାନ୍ତି, ପାହାଳ ବ୍ୟବସାୟୀ ସଂଘ ସଭାପତି ପଦ୍ମନାଭ ପଟ୍ଟନାୟକ, ଲକ୍ଷେଶ୍ବର ମନ୍ଦିର କମିଟି ସଭାପତି ବଂଶୀଧର ଭୋଳ, ଭୁବନେଶ୍ବର ସଂସଦୀୟ କମିଟିର ସଂଯୋଜକ ଜୀବନ ସାହୁ, ପୂର୍ବତନ କର୍ପୋରେଟର ଜ୍ୟୋତ୍ସାରାଣୀ ସାହୁ, ଭୁବନେଶ୍ବର ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ବରିଷ୍ଠ ନେତା ଖୋକନ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ୧୯ରେ ସାଂସଦ ଟୁଇଟ୍ କରି ହଂସପାଳରେ ଫ୍ଲାଏଓଭର ବ୍ରିଜ୍ ନିର୍ମାଣର ସୂଚନା ଦେଇଥିଲେ। ୧୨୦ ଦିନ ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିବା ବେଳେ ଏଡା ବର୍ଷେ ଲାଗିଯାଇଥିଲା। ୨୦୨୦ ଅଗଷ୍ଟ ୮ରେ ଶିଳାନ୍ୟାସ ହେଲା। ୨୪.୬ କୋଟି ବ୍ୟୟରେ ୫୫୮ ମିଟର ଲମ୍ବା ଓ ୬ ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭର ସାରିବାକୁ ୧୮ ମାସ ଧାର୍ଯ୍ୟ ହୋଇଥିଲା। ସମୟ ଗଡ଼ି ଗଡ଼ି ଯିବାରୁ ୨୦୨୩ ଦୁର୍ଗାପୂଜା ପୂର୍ବରୁ କାମ ଶେଷ କରିବାକୁ କୁହାଯାଇଥିଲେ ମଧ୍ୟ ଏ ଯାବତ୍ ସରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgsgsfsf.jpg)