ଭୁବନେଶ୍ବର: ସକାଳୁ ସକାଳୁ ଟାଇଁ ଟାଇଁ ଖରା। ତା’ସାଙ୍ଗକୁ ଗୁଳୁଗୁଳି। ସାଢ଼େ ୮ଟା ବେଳକୁ ରାଜଧାନୀ ତାପମାତ୍ରା ୩୩.୪ ଡିଗ୍ରିରେ ପହଞ୍ଚିବା ସହ ଆର୍ଦ୍ରତା ୬୭.୨%ରେ ପହଞ୍ଚି ଯାଇଥିଲା। ଦିନ ଯେତିକି ଗଡ଼ୁଥିଲା ସେହି ଅନୁଯାୟୀ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ସାଢ଼େ ୧୧ଟା ବେଳକୁ ତାପମାତ୍ରା ୩୬.୬ ଏବଂ ସାଢ଼େ ୨ଟା ବେଳକୁ ୩୭ ଡିଗ୍ରି ପହଞ୍ଚି ଯାଇଥିଲା। ତାତିରୁ ରକ୍ଷା ପାଇବାକୁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ହଠାତ୍ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା ପୂର୍ବରୁ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଅଜାଡ଼ି ହୋଇପଡ଼ିଥିଲା। ଘଡ଼ଘଡ଼ି ଗର୍ଜନ ଅଧା ରାଜଧାନୀକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ପାଖାପାଖି ଏକ ଘଣ୍ଟା ଧରି କାଳବୈଶାଖୀ ପ୍ରଭାବରେ ଅଧା ରାଜଧାନୀ ଉବୁଟୁବୁ ହୋଇପଡ଼ିଥିଲା। ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସହରରେ ୫୭ ମିମି ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅପରାହ୍ଣର ଏହି ବର୍ଷାରେ ଅଧା ରାଜଧାନୀର ରାସ୍ତା ବୁଡ଼ିଯାଇଥିଲା। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ପାଣିରେ ଚାଲିଥିଲେ ଲୋକେ। ଜନପଥ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍, ଶିଶୁଭବନ ଛକରୁ ନ୍ୟୁ ଫରେଷ୍ଟ ପାର୍କ ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ପାଣି ସୁଅ ଛୁଟିଥିଲା। ଏତେ ବର୍ଷା ହୋଇଥିଲା ଯେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ପାଣି ରହିଥିଲା। ରାସ୍ତାରେ ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ବର୍ଷା ପାଣିର ସୁଅରେ ଛୋଟ ଛୋଟ ସାମଗ୍ରୀ ଭାସି ଯାଉଥିବାର ଦେଖିବାକୁ ମିଳିଥିଲା। ଫୁଟପାଥ୍ ଡେଇଁ ପାଣି ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବ ଚାଲିଯାଇଥିଲା। ଏମିତିକି ଫୁଟପାଥ୍ରେ ତିଆରି ହୋଇଥିବା ଚେୟାରଗୁଡ଼ିକ ନିକଟରେ ପାଣି ପହଞ୍ଚିଥିଲା। ଅସ୍ତବ୍ୟସ୍ତ ହୋଇଯାଇଥିଲା ଅଧା ରାଜଧାନୀ। ଡ୍ରେନ୍ ସଫା ନ ହେବାରୁ ଏଭଳି ସମସ୍ୟା ହେଉଥିବା ଲୋକେ କହିଛନ୍ତି।
ଚିନ୍ତାର ବିଷୟ ହେଉଛି ଯେ ହଠାତ୍ ବର୍ଷାରେ ଭଞ୍ଜକଳାମଣ୍ଡପ ପ୍ରେକ୍ଷାଳୟ ଭିତରକୁ ପାଣି ପଶିଯାଇଥିଲା। ସନ୍ଧ୍ୟାରେ ନାଟକ ପରିବେଷଣ ହେବାକୁ ଥିବା ବେଳେ ଅପରାହ୍ଣରେ ବର୍ଷା ପାଣି ଢେଉ ଖେଳିଥିଲା। କର୍ମଚାରୀମାନେ ବାଲ୍ତିରେ ପାଣି କାଢ଼ୁଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ଜୟଦେବଭବନ ଛାତ ସଫା ହୋଇ ନ ଥିବାରୁ ସିଡ଼ି ବାଟ ଦେଇ ପାଣି ପ୍ରେକ୍ଷାଳୟ ନିକଟକୁ ଆସିଥିଲା। ଲଗାଣ ବର୍ଷାରେ ବଡ଼ଗଡ଼ କେନାଲ ରାସ୍ତା ଦବିଯାଇଥିଲା। ୩୦ ଫୁଟ୍ ରାସ୍ତା ଦବିବାରୁ ଲୋକେ ଭୟଭିତ ହେବା ସହ ହୋହାଲ୍ଲା କରିଥିଲେ। ଏହି ଅଞ୍ଚଳରେ ଲୋକଙ୍କ ଘରେ ୪ ଫୁଟ୍ ଉଚ୍ଚର ପାଣି ପଶିଯାଇଥିଲା। ସିଆର୍ପି ଛକ ନିକଟରେ ଏକ ଗଛ ଭାଙ୍ଗି ପଡ଼ିଥିଲା। ତେବେ ଜାତୀୟ ରାଜପଥର ଅପରପାର୍ଶ୍ବ ଅର୍ଥାତ୍ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼, ସିଆର୍ପିର ଅପରପାର୍ଶ୍ବରେ ବର୍ଷା ହୋଇନାହିଁ।
ଘଣ୍ଟାକରେ ୫୭ ମିମି ବର୍ଷା
ପୂର୍ବାହ୍ନରେ ଗୁଳୁଗୁଳୁ, ଅପରାହ୍ଣରେ ଢାଳିଲା
ଭଞ୍ଜକଳାମଣ୍ଡପ ପ୍ରେକ୍ଷାଳୟରେ ପଶିଲା ପାଣି
ଜନପଥରେ ଢେଉଖେଳିଲା
ମନ୍ଦିରରେ ପଶିଲା ପାଣି, ବୁଡ଼ିଗଲେ ଠାକୁର
ପୁରୁଣା ଭୁବନେଶ୍ୱର: ଆଜି ଅପରାହ୍ନରେ ଲଗାଣ ବର୍ଷା ଯୋଗୁଁ ଏକାମ୍ର କ୍ଷେତ୍ରର କେତେକ ଐତିହ୍ୟସ୍ଥଳୀରେ ପାଣି ଜମି ରହିଛି। କେବଳ ଐତିହ୍ୟସ୍ଥଳୀ ନୁହେଁ, ପର୍ଶୁରାମେଶ୍ବର ମନ୍ଦିରରେ ଆଣ୍ଠୁଏ ପାଣି ଜମିଥିଲା। ଠାକୁର ପାଣିରେ ବୁଡ଼ିଯାଇଥିଲେ। ରାସ୍ତାରେ ଆଣ୍ଠୁଏ ପାଣି ଜମିଥିବା ବେଳେ ମନ୍ଦିରର ଗର୍ଭଗୃହରେ ପାଣି ପଶି ଯାଇଥିଲା। ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ପାଣି ଜମି ରହିଥିଲା। ସେହିପରି ଗୋସାଗରେଶ୍ବର ମନ୍ଦିର ପରିସରରେ ଗୋସାଗରେଶ୍ବର ମହାଦେବ, ପଦାରେଶ୍ବର ମହାଦେବ ଓ ଐଶାନେଶ୍ବର ମହାଦେବ ମଧ୍ୟ ଦୁଇ ଫୁଟ୍ ପାଣିରେ ବୁଡ଼ି ରହିଥିଲେ। ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମି ରହିଥିଲା। ବର୍ଷା ପରେ କେଦାରଗୌରୀ ଛକରୁ ତୀର୍ଥେଶ୍ବର ଗଳି ପର୍ଯ୍ୟନ୍ତ ପାଣି ଜମିଥିଲା। ଫଳରେ ସେହି ରାସ୍ତାରେ ଯିବା ଆସିବା ଠପ୍ ହୋଇଯାଇଥିଲା। ସେହିପରି ଅଧିକାଂଶ ରାସ୍ତାରେ ବି ପାଣି ଜମି ରହିଥିଲା।
ଅପରପକ୍ଷରେ ମୁଖ୍ୟ ଡ୍ରେନ୍ରେ ପାଣି ଯାଉନଥିବାରୁ ଲୁଇସ୍ ରୋଡ଼୍ର ଗୌରୀନଗର ଛକରୁ ମହାବୀର ଛକ ପର୍ଯ୍ୟନ୍ତ ଆଣ୍ଠୁଏରୁ ଉର୍ଦ୍ଧ୍ବ ପାଣି ଜମି ରହିଥିଲା। ବିଭିନ୍ନ ଗାଡ଼ି ମଟର ଯିବା ବେଳେ ବନ୍ଦ ହୋଇଯାଇଥିଲା। ଡ୍ରେନ୍ଗୁଡ଼ିକ ଠିକଣା ଭାବେ ସଫା ହୋଇନଥିବାରୁ ପାଣି ଯିବାରେ ସମସ୍ୟା କରିଥିଲା। ନୂଆଗାଁ ବିଜୟବିହାରରେ ରାସ୍ତା ଉପରେ ପାଣି ଜମିଥିଲା। ୭ନମ୍ବର ଡ୍ରେନ୍ ପାଣିରେ ଉବୁଡ଼ୁବୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଡ୍ରେନ୍ ଉପରେ ଯାଇଥିବା ଛୋଟ ବ୍ରିଜ୍ ବୁଡ଼ି ଯାଇଥିଲା। ନାଳମୁହଁ ସାହିରେ ୭ଟି ଘରେ ଡ୍ରେନ୍ ପାଣି ପଶିଥିଲା।