ଭୁବନେଶ୍ୱର: ରାଜଧାନୀରେ ଏଣେତେଣେ, ଅବ୍ୟବସ୍ଥିତ ଢଙ୍ଗରେ ବସୁଥିବା ଦୋକାନୀଙ୍କୁ ଥଇଥାନ କରିବାକୁ ୟୁନିଟ୍-୪ ହାଟ ପରିସରରେ କୋଟି କୋଟି ଟଙ୍କା ବ୍ୟୟରେ ୬ ମହଲା ଅତ୍ୟାଧୁନିକ ପଞ୍ଚଦୀପ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହେଲା। ୪ଟି ଲିଫ୍ଟ ସାଙ୍ଗକୁ ଶୌଚାଳୟ, ଦିବ୍ୟାଙ୍ଗ ଅନୁକୂଳ ରାସ୍ତା ଆଦିର ବ୍ୟବସ୍ଥା ହେଲା। ଲକ୍ଷ୍ୟ ଥିଲା, ୟୁନିଟ୍‌୪ ଦୋକାନୀଙ୍କ ସହ ଆଖପାଖ ଦୋକାନୀମାନେ ଗୋଟିଏ ଜାଗାରେ ବ୍ୟବସାୟର ପସରା ଖୋଲିବେ । କିନ୍ତୁ ୨୭ ବର୍ଷ ପରେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରିନି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ପରିଚାଳନା ଓ ବ୍ୟବସ୍ଥାଗତ ତ୍ରୁଟି କାରଣରୁ ବ୍ୟବସାୟୀମାନେ ଏଠାରେ ଦୋକାନ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଏଣୁ କାଉ କୋଇଲି ବି ଏଠାରେ ଉଡ଼ୁନାହାନ୍ତି। ବ୍ୟବହାର ପୂର୍ବରୁ ଏହା ଭାଙ୍ଗିଗଲାଣି। ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହି ଭୂତକୋଠି ପାଲଟିଲାଣି। ସ୍ଥିତି ଏପରି ଯେ ଦିନରେ ବି ଏହା ଭିତରକୁ ଯିବାକୁ ଡର ଲାଗୁଛି। ଏହାର ପରିଚାଳନା ପାଇଁ ବିଏମ୍‌ସି ଏକ ଉଚ୍ଚସ୍ତରୀୟ କମିଟି ବି ଗଠନ କରିଛି। କିନ୍ତୁ ଏହି କମିଟି ସ୍ଥାଣୁ ପାଲଟିଛି।

Advertisment

୧୯୯୯ ମସିହାରେ ଅମରନାଥ ପ୍ରଧାନ ନଗର ଉନ୍ନୟନ ମନ୍ତ୍ରୀ ଥିବା ସମୟରେ ସରକାରୀ-ଘରୋଇ ସହଭାଗିତାରେ ରାଜଧାନୀର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁନିଟ୍-୪ ହାଟ ପରିସରରେ ଭୌମନଗର ମୌଜା(ଖାତା ନମ୍ବର-୬୯)ରେ ୮୮୩ ଡେସିମାଲ୍ ଜାଗାରେ ବିଏମ୍‌ସି ପକ୍ଷରୁ ଏହି ବିଶାଳ ପଞ୍ଚଦୀପ ମାର୍କେଟ୍‌ନିର୍ମାଣ ହୋଇଥିଲା। ଯାହାର ୧୬୫୮୪ ବର୍ଗମିଟର(୧୭୮୫୦୮.୬୯ ବର୍ଗଫୁଟ) ବିଲ୍ଟ୍-ଅପ୍ ଅଞ୍ଚଳ ଓ ୫୦୧୯ ବର୍ଗମିଟର ପାର୍କିଂ କରିବାର ପ୍ରସ୍ତାବ ଥିଲା। ମାର୍କେଟ୍ କମ୍ପ୍ଲେକ୍ସ ଜାଗାର ମାଲିକାନା ପାଇଁ ବିଏମ୍‌ସି ସାଧାରଣ ପ୍ରଶାସନ ବିଭାଗକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଦେଇଥିଲା। ପିପିପି ମୋଡ୍‌ରେ ନିର୍ମାଣରେ ଏହା ରାଜଧାନୀର ପ୍ରଥମ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ ଥିଲା। ଦୋକାନରୁ ବିଏମ୍‌ସି ୬୫ ଭାଗ ଓ ଠିକାସଂସ୍ଥା ୩୫ ଭାଗର ଅଂଶୀଦାର ହେବେ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ନିର୍ମାଣକାରୀ ସଂସ୍ଥା କୋଲକାତାର ପଞ୍ଚଦୀପ କନ୍‌ଷ୍ଟ୍ରକ୍‌ସନ୍‌ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣରେ ବହୁ ବିଳମ୍ବ କରିଥିଲା। ଚୁକ୍ତିର ଖିଲାଫ କରିଥିଲା ଏବଂ ପାର୍କିଂ ଅଞ୍ଚଳ ନିର୍ମାଣ କରି ନଥିଲା। ଏହାକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଥିଲା। ପ୍ରଥମେ ବିଏମ୍‌ସି ଓ ପଞ୍ଚଦୀପ କନ୍‌ଷ୍ଟ୍ରକ୍‌ସନ୍‌ଭିତରେ ଦୋକାନ ଭାଗବଣ୍ଟା ଓ ପରେ ଦୋକାନୀଙ୍କୁ ଦୋକାନଘର ଆବଣ୍ଟନ ଦୁର୍ନୀତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବିଏମ୍‌ସି ଭାଗରେ ଥିବା ଦୋକାନଘରକୁ ଠିକାସଂସ୍ଥା ହସ୍ତାନ୍ତର କରି ନଥିଲା। ବାରମ୍ବାର ବିବାଦ ଉପୁଜିବାରୁ ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କରି ଦିଆଯାଇଥିଲା। ବହୁଦିନ ପରେ ଠିକାସଂସ୍ଥା ବିଏମ୍‌ସିକୁ ତାର ଭାଗ ୯୪ଟି ଦୋକାନଘର ଓ ୧୮ଟି ଅଫିସ୍ ପାଇଁ ଉଦ୍ଦିଷ୍ଟ ଘର ହସ୍ତାନ୍ତର କରିଥିଲା।

ଶେଷରେ ୨୦୨୩ ମସିହାରେ ବିଏମ୍‌ସି ୧୧୨ଟି ଦୋକାନଘର ଓ ଅଫିସ୍ ପାଇଁ ଟେଣ୍ଡର ଡାକିଥିଲା। ତଳ ମହଲା ବର୍ଗଫୁଟ୍ ପିଛା ସର୍ବାଧିକ ୫୫ ଟଙ୍କା, ପ୍ରଥମ ମହଲା ୫୦ ଟଙ୍କା ଓ ଅନ୍ୟ ତିନିଟି ମହଲାରେ ବର୍ଗଫୁଟ୍ ପିଛା ୪୫ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିଲା। ଏଥିସହ ଅନ୍ୟାନ୍ୟ ସର୍ତ୍ତ ରଖାଯାଇଥିଲା। କିନ୍ତୁ ଦୋକାନୀମାନେ ଏହାକୁ ବିରୋଧ କରିଥିଲେ। ଏ ଭିତରେ ବହୁ କଷ୍ଟରେ ବିଏମ୍‌ସି ୭୨ଟି ଦୋକାନ ଓ ଅଫିସ୍ ଘର ଭଡ଼ାରେ ଦେଇଥିବା ବେଳେ ଏବେ ବି ଆହୁରି ୪୦ଟି ଦୋକାନ ଲାଗିପାରିନି। ଯେଉଁ ଦୋକାନ ଭଡ଼ାରେ ଲାଗିଛି, ତାହା ବି ଖୋଲୁନି।

ୟୁନିଟ୍-୪ ଭୌମନଗର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ପଞ୍ଚଦୀପ ମାର୍କେଟ୍ କମ୍ପ୍ଲେକ୍ସ ଏକ ବିଫଳ ପ୍ରକଳ୍ପ। ଆରମ୍ଭରୁ ଅନେକ ବିବାଦ ଓ ଦୁର୍ନୀତି ଭିତରେ ଫସିଛି। ଅତୀତରେ ଗୋଟେ ଦୋକାନ ଏକାଧିକଙ୍କୁ ବିକ୍ରି କରାଯାଇଥିଲା। ଭଡ଼ା ବହୁ ଅଧିକ ରହିଥିଲା। ପାର୍କିଂ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ ଗ୍ରାହକ ଆସିଲେନି। ଯେଉଁମାନେ ଦୋକାନ ନେଲେ, ବ୍ୟବସାୟରୁ ଲାଭ ପାଇଲେନି। ଏଣୁ ଦୋକାନ ଅନ୍ୟତ୍ର ଖୋଲିବାକୁ ବାଧ୍ୟ ହେଲେ। ଏଥିରେ ବ୍ୟବସ୍ଥାଗତ ଓ ପରିଚାଳନାଗତ ଅନେକ ତ୍ରୁଟି ରହିଛି। ବିଏମ୍‌ସି ଚାହିଁଲେ, ନିଶ୍ଚିତ ଏହି ମାର୍କେଟ୍ କମ୍ପ୍ଲେକ୍ସ ଭଲରେ ଚାଲିପାରିବ। କିନ୍ତୁ କାହାରି ଆନ୍ତରିକତା ନାହିଁ। ବିଏମ୍‌ସି ଡେପୁଟି କମିସନର୍(ମାର୍କେଟ୍) ପ୍ରିୟଙ୍କା ମଲ୍ଲିକ କହିଛନ୍ତି, ପାର୍କିଂ ପାଇଁ ଆମେ ବ୍ୟବସ୍ଥା କରିଛୁ। ବାକି ଯେତିକି ଦୋକାନ ଅଛି, ସେଥିରୁ ଆଉ ୪୦ଟି ଦୋକାନ ଲାଗିପାରିନି। ଏହାର ଟେଣ୍ଡର ଶୀଘ୍ର ହେବ।