ନୂଆ ମାର୍କେଟର ଅଧା ଟଙ୍କା ମନ୍ଦିରର, ମାନସିକ ଷଣ୍ଢ ପାଇଁ ୧୦ ହଜାର

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘାରିଥିବା ଆର୍ଥିକ ଚିନ୍ତାର ସ୍ଥାୟୀ ସମାଧାନ ପାଇଁ ଟ୍ରଷ୍ଟ ବୋର୍ଡ ଘନଘନ ବୈଠକ କରୁଛି। ଆଜି ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ଏଣିକି ନୂଆ ଲିଙ୍ଗରାଜ ମାର୍କେଟରୁ ଆଦାୟ ହେଉଥିବା ମୋଟ୍‌ ଭଡ଼ା ଟଙ୍କାରୁ ଅଧା ମନ୍ଦିର ପ୍ରଶାସନକୁ ଅଣାଯିବ ବୋଲି ସ୍ଥିର କରାଯାଇଛି। ଏମିତିକି ପୂର୍ବରୁ ବିଏମ୍‌ସି ଆଦାୟ କରିଥିବା ଭଡ଼ା ଟଙ୍କାରୁ ଅଧା ମଧ୍ୟ ମନ୍ଦିର ପ୍ରଶାସନକୁ ଅଣାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ସେହିପରି ଏଣିକି ଏକାମ୍ର କ୍ଷେତ୍ରରେ ମାନସିକଧାରୀ ଷଣ୍ଢ ଛାଡ଼ିଲେ, ସେ ବାବଦରେ ତାଙ୍କଠାରୁ ୧୦ ହଜାର ଟଙ୍କା ମନ୍ଦିର ପ୍ରଶାସନ ଆଦାୟ କରିବ। ଏହି ଟଙ୍କା ମନ୍ଦିର ପ୍ରଶାସନ ବିଏମ୍‌ସିକୁ ପ୍ରଦାନ କରିବ ଓ ବିଏମ୍‌ସି ଷଣ୍ଢକୁ ନେଇ କାଞ୍ଜିଆହୁଦାରେ ରଖି ତା’ର ଯତ୍ନ ନେବ।

ମନ୍ଦିର ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଛି। ଆଜି ବୈଠକରେ ହୋଇଥିବା ହିସାବରୁ ଉଭୟ ବ୍ୟୟ ଓ ଆୟ ବହୁ ପରିମାଣରେ କମିଛି। କେବଳ ଦାଣ୍ଡ ମହାସୁଲକୁ ଛାଡ଼ି ଦେଲେ ମନ୍ଦିରର ଅନ୍ୟ ସବୁ ଆୟ ପନ୍ଥା‌ ବନ୍ଦ। ସୈରାତ ନିଲାମ, ପର୍ଯ୍ୟଟକଙ୍କଠାରୁ ମିଳୁଥିବା ଆୟ, ହୁଣ୍ଡି ଓ ଭୋଗ ବାବଦ ସବୁ ପ୍ରକାର ସିଂହଭାଗ ଆୟ ବାଟ ବନ୍ଦ ହୋଇଯାଇଛି। କେବଳ ଦାଣ୍ଡ ମହାସୁଲରୁ ଆସୁଥିବା ଆୟ ହିଁ ମନ୍ଦିର ପରିଚାଳନା ପାଇଁ ଖୋଲା ରହିଛି। ତେବେ କରୋନା କଟକଣା ଲାଗି ମନ୍ଦିର ବନ୍ଦ ରହିବା କାରଣରୁ ଆଗ ପରି ବ୍ୟବସାୟ ହେଉନଥିବାରୁ ଏହି ଆୟ ବହୁ ମାତ୍ରାରେ କମି ଯାଇଛି ଓ ଯାହା ହେଉଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ନୂଆ ମାର୍କେଟ୍‌ରୁ ଭଡ଼ା ଟଙ୍କା ମନ୍ଦିର ଆୟ ପାଇଁ ଗୁରୁତ୍ବପୂର୍ଣ ହେବ ବୋଲି ଆଲୋଚନା ହୋଇଛି। ବୈଠକର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ମନ୍ଦିର ନିକଟ ଯେଉଁ ମଠ ସମ୍ପତି ଉଚ୍ଛେଦ ହେବ, ସେ ବାବଦ କ୍ଷତିପୂରଣ ତଥା ଜମି ବିକ୍ରି ବାବଦ ଟଙ୍କା ମଠ ଆକାଉଣ୍ଟ୍‌ରେ ରହିବ। ଯଦିଓ ଏହାର ପରିଚାଳନା ଭାର ମନ୍ଦିର ପ୍ରଶାସନ ଉପରେ ରହୁଛି, ତେବେ ଉକ୍ତ ଅର୍ଥକୁ ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟରେ ରଖାଯିବ। ଆଜି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସଭାପତିତ୍ବ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଏସିପି ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ବିଏମ୍‌ସି କମିଶନର ଅବନୀ ପଟ୍ଟନାୟକ, ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର, ଭୁବନେଶ୍ବର କୋର୍ଟର ସରକାରୀ ଓକିଲ ପ୍ରସନ୍ନ ପୂଜାପଣ୍ଡା, ହେମନ୍ତ ପଣ୍ଡା, ଅଞ୍ଚଳ ବଟୁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର