ଭୁବନେଶ୍ୱର: ୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶପଥପାଠ ସମାରୋହରେ ଯୋଗଦେବେ ପାଖାପାଖି ୩୫ ହଜାର ଜନତା । ତେବେ ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରର ସବୁ ସରକାରୀ କାର୍ଯ୍ୟାଳୟ ପାଇଁ ଅଧାଦିନିଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର | ବିଏମସି ଅଧୀନରେ ଆସୁଥିବା ସମସ୍ତ କାର୍ଯ୍ୟାଳୟ ସେହିଦିନ ଅଧା ଛୁଟି ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି |

Advertisment

ଅନ୍ୟପଟେ ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ କମିସନରେଟ୍‌ ନଜର ରଖିଛି। ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ୟ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ପ୍ରତିଦିନ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ସୁରକ୍ଷା ଦିଗ ଉପରେ ଆଲୋଚନା କରୁଛନ୍ତି।