ଟୁଇନ୍ ସିଟିର ସବୁ ଥାନାରେ ହାତଧୁଆ ବେସିନ ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : କରୋନା ଭୂତାଣୁ ମୁକାବିଲା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। କଟକ-ଭୁବନେଶ୍ବର ଟୁଇନ୍ ସିଟିର ସବୁ ଥାନାରେ ହାତଧୁଆ ବେସିନ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଵାସ୍ ବେସିନ୍ ନିକଟରେ ହ୍ୟାଣ୍ଡଵାସ୍ ରଖିବାକୁ କୁହାଯାଇଛି। ଥାନାକୁ ପ୍ରବେଶ କରୁଥିବା ପୁଲିସ କର୍ମଚାରୀ ଓ ଅଭିଯୋଗକାରୀମାନେ ବେସିନ୍ ନିକଟରେ ହାତ ଧୋଇ ଥାନା ଭିତରକୁ ଯାଇ ପାରିବେ। ଏ ନେଇ ସବୁ ଥାନାକୁ ନିର୍ଦ୍ଦେଶ ଜାରି କରା ଯାଇଥିଲେ ବି ଆଜି ସୁଦ୍ଧା ହାତଗଣତି ଥାନାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ବରର ଖଣ୍ଡଗିରି, ସହିଦନଗର, ଲକ୍ଷ୍ମୀସାଗର ଓ କଟକର ବାଦାମବାଡ଼ି, ଲାଲବାଗ୍ ଆଦି ଥାନାରେ ହାତଧୁଆ ବେସିନ୍ ଲାଗି ସାରିଛି। ଖୁବ୍‌ଶୀଘ୍ର ଅନ୍ୟ ଥାନାଗୁଡ଼ିକରେ ଵାସ ବେସିନ୍ ଲାଗିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦିନେ କିମ୍ବା ଦୁଇ ଦିନ ଭିତରେ ସବୁ ଥାନାରେ ଲାଗିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଥାନା କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଡ୍ୟୁଟି କରି ଫେରୁଛନ୍ତି। ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମଧ୍ୟ ଆସୁଛନ୍ତି। ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀମାନେ ମଧ୍ୟ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ବେସିନ୍ ନିକଟରେ ହାତ ଧୋଇ ଥାନା ଭିତରକୁ ପ୍ରବେଶ କଲେ ସଂକ୍ରମଣ ଆଶଙ୍କା କମ୍ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର