ହାଣ୍ଡିଭଙ୍ଗା ଯାତ ପାଇଁ ଉଚ୍ଚସ୍ତରୀୟ ବୈଠକ: ବାହାରିଲାନି ନିର୍ଯାସ, ଜାରି ରହିଛି ଅନିଶ୍ଚିତତା

ପୁରୁଣା ଭୁବନେଶ୍ୱର: କପିଳେଶ୍ବର ମନ୍ଦିରରେ ହାଣ୍ଡିଭଙ୍ଗା ଯାତ ପରମ୍ପରା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୈଠକ କରାଯାଇଛି। ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ପେସାଲ ସର୍କିଟ୍‌ ହାଉସ୍‌ଠାରେ କପିଳେଶ୍ବର ମନ୍ଦିରର ଉଭୟ ସେବାୟତଙ୍କୁ ଡାକି ଆଲୋଚନା କରାଯାଇଛି। ତେବେ କୌଣସି ନିର୍ଯାସ ବାହାରିପାରି ନାହିଁ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ୫ବର୍ଷ ପୂର୍ବରୁ ବନ୍ଦ ହୋଇଥିବା ଏହି ଯାତ୍ରାକୁ ପୁଣି କରାଇବା ପାଇଁ ଆଜି ଜିଲ୍ଲାପାଳ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଡକାଇ ଆଲୋଚନା କରିଥିଲେ। ହାଇକୋର୍ଟର ନିର୍ଦେଶ, ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି ଓ ଜମିବାଡ଼ି ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ଗୋଷ୍ଠୀର ପ୍ରାୟ ୧୦ରୁ ଊର୍ଧ୍ବ ସଭ୍ୟ ସାମିଲ ହୋଇଥିଲେ। ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସୂଚନା ଅନୁଯାୟୀ ଉଭୟ ଗୋଷ୍ଠୀ ଏକାଠି ବସି ବୈଠକ ହୋଇଥିବା ବେଳେ ହାଇକୋର୍ଟ ନିର୍ଦେଶ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଥିଲା। ତେବେ ମଲିଆ ସେବାୟତ ଏନେଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିବା କହିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝା ଯାଇଥିଲା। ମଲିଆ ସେବାୟତମାନେ ବୈଠକ ଶେଷ ପୂର୍ବରୁ ପଳାଇଥିଲେ। ଉଭୟଙ୍କୁ ସହଯୋଗ କରିବା ପାଇଁ ପ୍ରଶାସନ ନିବେଦନ କରିଛି। ଆସନ୍ତାକାଲି ପୁଣି ବିଭିନ୍ନ ସେବାୟତଙ୍କୁ ଡକାଇ ଆଲୋଚନା କରାଯିବ ବୋଲି କୁହାଯାଇଛି। ଏଥିରେ ଉପଜିଲ୍ଲାପାଳ ଶ୍ରୀ ସାହୁ, ବିଏମ୍‌ସି ଡେପୁଟି କମିସନର ଅବନୀକାନ୍ତ ପଟ୍ଟନାୟକ ଓ ବିଭିନ୍ନ ଟ୍ରଷ୍ଟି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର