ଅନିଶ୍ଚିତତାରେ ହାଣ୍ଡିଭଙ୍ଗା ଯାତ: ଆଜି ଦେବୋତ୍ତର ବିଭାଗ ଆଲୋଚନା

ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରି ପରେ ପଡ଼ୁଥିବା ଶନିବାର ପାଳିତ ହୁଏ ହାଣ୍ଡିଭଙ୍ଗା ଯାତ୍ରା । ଗତ ୪ବର୍ଷ ପୂର୍ବରୁ ବନ୍ଦ ହୋଇଥିବା ଏହି ଯାତ୍ରା ଏବେ ମଧ୍ୟ ଅନିଶ୍ଚିତତାରେ ରହିଛି। ତେବେ ଏ ସଂପର୍କରେ ଆସନ୍ତା କାଲି ଦେବୋତ୍ତର ବିଭାଗ ଆଲୋଚନା କରିବ ବୋଲି ଜଣାପଡ଼ିଛି। ପରମ୍ପରା ଅନୁଯାୟୀ ଏହି ଯାତରେ ଶ୍ରୀଲିଙ୍ଗରାଜ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରୁଥିଲେ। ବିଗତ ୪ବର୍ଷ ପୂର୍ବରୁ କପିଳେଶ୍ୱର ମନ୍ଦିରରେ ସେବାୟତମାନଙ୍କ ବିବାଦ ଯୋଗୁଁ ହାଣ୍ଡିଭଙ୍ଗା ଯାତ ବନ୍ଦ ରହିଥିଲା। ଏପରିକି ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଶ୍ରୀକପିଳନାଥ ଯୋଗ ଦେଇ ନଥିଲେ । ଏହା ଦ୍ୱାରା ପୁଣି ପରମ୍ପରା ଭଙ୍ଗ ହୋଇଥିଲା। ଦେବୋତ୍ତର ବିଭାଗ ଏହି ପରମ୍ପରା ବଜାୟ ରଖିବାରେ ଫେଲ ମାରିଥିଲା। ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ପରମ୍ପରା ବଜାୟ ରହି ନଥିଲା। ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ଆସନ୍ତା ଶନିବାର ପଡ଼ୁଥିବାରୁ ହାଇକୋର୍ଟଙ୍କୁ ସମ୍ମାନ ଜଣାଇ ଏହି ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଦେବୋତ୍ତର ବିଭାଗ ଓ ଉପଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଯାଇଛି। ଅନ୍ୟ ପଟେ ସେବା ପ୍ରତିନିଧି ପକ୍ଷରୁ ମଧ୍ୟ ଦାବି କରାଯାଇଛି। ଦେବୋତ୍ତର ବିଭାଗ ଜିଲ୍ଲା ନିରୀକ୍ଷକଙ୍କୁ ଏହି ଦାୟିତ୍ୱ ଅର୍ପଣ କରିଛି। ଶୁକ୍ରବାର ଜିଲ୍ଲା ନିରୀକ୍ଷକ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟି ଓ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀଙ୍କ ସହ ଆଲୋଚନା କରିବେ। ଉଭୟଙ୍କୁ ଭେଟି ହାଣ୍ଡିଭଙ୍ଗା ଯାତ ପରମ୍ପରା ଚାଲୁ ରଖିବାକୁ ଅଲୋଚନା କରିବେ ବୋଲି ଜଣାପଡ଼ିଛି। ତେବେ ମହାପ୍ରଭୁ ଐଶାନେଶ୍ବର ମନ୍ଦିରକୁ ଯିବେ କି ନାହିଁ ଏନେଇ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଦେବୋତ୍ତର ବିଭାଗ କମିସନର ଓ ସେବାୟତ ପ୍ରମୁଖଙ୍କ ସହ ଆଲୋଚନା କରିବେ।

ସମ୍ବନ୍ଧିତ ଖବର