ଆକ୍ରୋଶର ଶିକାର ହେଲେ ଦିବ୍ୟାଙ୍ଗ ବ୍ୟବସାୟୀ

କର୍ପୋରେଟରଙ୍କ ର‍୍ୟାଲିରେ ଗଲେନି ବୋଲି...

ଚନ୍ଦ୍ରଶେଖରପୁର: ଯୁକ୍ତ ଦୁଇ କାଉନ୍‌ସିଲ କାର୍ଯ୍ୟାଳୟ ନିକଟ ଛକରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟବସାୟୀ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ସ୍ଥାନୀୟ କର୍ପୋରେଟରଙ୍କ ର‍୍ୟାଲିରେ ସାମିଲ ନ ହେବା ତାଙ୍କୁ ମହଙ୍ଗା ପଡ଼ିଛି। ଓ୍ଵାର୍ଡ ନଂ-୧୨ ଅନ୍ତର୍ଗତ ସିଏଚ୍‌ଏସ୍‌ଇ ଅଫିସ୍‌ରୁ ୭ମ ବାଟିଲିଅନ୍‌ ଛକରେ ଗ୍ୟାରେଜ୍‌ କରିଥିବା ବାପି ନାମକ ଜଣେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଗ୍ୟାରେଜ୍‌ ଘରକୁ ଆଜି ବିଏମ୍‌ସି ପକ୍ଷରୁ ଭଙ୍ଗା ଯାଇଛି। ଏହାସହ ଗୋଟିଏ ଚିକେନ୍‌ କାଉଣ୍ଟର୍‌ ଓ ଏକ ପରିବା ଦୋକାନକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ନେଇ ବିଏମ୍‌ସି ପକ୍ଷରୁ ପୂର୍ବରୁ କୌଣସି ନୋଟିସ୍‌ କିମ୍ବା ସୂଚନା ଦିଆଯାଇନଥିଲା। ନିକଟରେ ଥିବା ଅନ୍ୟ କୌଣସି ଦୋକାନକୁ ବି ଉଚ୍ଛେଦ କରାଯାଇନାହିଁ। ଦିବ୍ୟାଙ୍ଗ ବାପିଙ୍କ ସମେତ ଉଚ୍ଛେଦ ହୋଇଥିବା ଅନ୍ୟ ଦୁଇ ବ୍ୟବସାୟୀ ସ୍ଥାନୀୟ କର୍ପୋରେଟରଙ୍କ ଏକ ଶୋଭଯାତ୍ରାରେ ନ ଯିବାରୁ ଓ ସବୁକଥାରେ ସମର୍ଥନ ନ ଦେବାରୁ ତାଙ୍କୁ ଏପରି ଆକ୍ରୋଶର ଶିକାର ହେବାକୁ ପଡ଼ିଛି ବୋଲି ବାପିଙ୍କ ସମେତ ଚିକେନ୍‌ କାଉଣ୍ଟର୍‌ ମାଲିକ ଏସ୍‌ କେ ଜଗୁ ଅଭିଯୋଗ କରିଛନ୍ତି। ଏହି ବ୍ୟବସାୟୀମାନେ ବିଭିନ୍ନ ସମୟରେ କର୍ପୋରେଟରଙ୍କ ସମର୍ଥକମାନଙ୍କର ଧମକର ଶିକାର ହୋଇଥାଆନ୍ତି। ସପ୍ତାହେ ତଳେ ଏକ କାର୍ଯ୍ୟକ୍ରମରେ ସେମାନେ କର୍ପୋରେଟରଙ୍କ ସମର୍ଥନରେ ବାହାରି ନ ଥିଲେ। ତେଣୁ ସରକାରୀ କର୍ମଚାରୀ ଥିବା କର୍ପୋରେଟରଙ୍କ ଜଣେ ସମର୍ଥକ ତାଙ୍କ ଦୋକାନକୁ ଖୁବ୍‌ଶୀଘ୍ର ଭାଙ୍ଗି ଦିଆଯିବ ବୋଲି ଧମକ ଦେଇଥିଲେ। ସପ୍ତାହକ ମଧ୍ୟରେ ହିଁ ବିନା କୌଣସି ନୋଟିସ୍‌ ଓ ସୂଚନାରେ ଏହି ତିନି ବ୍ୟବସାୟୀଙ୍କ ଦୋକାନକୁ ଭାଙ୍ଗି ଦିଆଯାଇଛି। ପ୍ରଶାସନର ଏହି ପକ୍ଷପାତିତା ବିରୋଧରେ ସ୍ଥାନୀୟ ବାସିନ୍ଦା ଆସନ୍ତାକାଲି ବିଏମ୍‌ସି ଉତ୍ତର ଜୋନ କାର୍ଯ୍ୟାଳୟ ଆଗରେ ଧାରଣା ଦେବାର ଯୋଜନା ରହିଥିବା ସୂଚନା ମିଳିଛି। ରାଜନୈତିକ ଚାପରେ ଜଣେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଏପରି ଉଚ୍ଛେଦ କରାଯିବାକୁ ତୀବ୍ର ସମାଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସ୍ଥାନୀୟ କର୍ପୋରେଟର ଓ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଶିକାର ହୋଇଛନ୍ତି ବିଚରା ନିରୀହ ବ୍ୟବସାୟୀ। ଆଜିର ଉଚ୍ଛେଦ ଅଭିଯାନକୁ ବିଏମ୍‌ସି ଉତ୍ତର ଜୋନ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର ନେତୃତ୍ୱ ନେଇଥିଲେ।

ଏ ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି, ସରକାରୀ ରାସ୍ତାକୁ ମାଡ଼ି ବସିଥିବାରୁ ଏହି ଉଚ୍ଛେଦ ନେଇ କୌଣସି ପୂର୍ବ ସୂଚନା ଦେବା ଆବଶ୍ୟକ ନାହିଁ। କାଉନସିଲ୍‌ କାର୍ଯ୍ୟାଳୟ ହୋଇ ଜନତା ମଇଦାନ ଦିଗକୁ ଯାଉଥିବା ଏହି ରାସ୍ତା କ୍ରମଶଃ ସଙ୍କୁଚିତ ହେଇଯାଉଥିବାରୁ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ କୌଣସି ଦୂରାଭିସନ୍ଧି କିମ୍ବା ଆକ୍ରୋଶ ନାହିଁ। ଆଜି ୩ଟି ଦୋକାନ ଭଙ୍ଗା ଯାଇଛି। ବାକି ଦୋକାନଗୁଡ଼ିକୁ ମଧ୍ୟ ଖୁବ୍‌ଶୀଘ୍ର ଉଚ୍ଛେଦ କରାଯିବ। ଏହି ସ୍ଥାନରେ ଥିବା ଚିକେନ୍‌ ଦୋକାନ ବିରୋଧରେ ନିକଟରେ ଥିବା ଏକ ପ୍ରମୁଖ ସରକାରୀ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏନେଇ କୌଣସି ପକ୍ଷପାତିତା କରାଯାଇନାହିଁ।

ସମ୍ବନ୍ଧିତ ଖବର