ବସ୍ତିରେ ଚାଲିଛି ହାଣ୍ଡିଆ ହାଟ, ସଂଧ୍ୟାରେ ଜମୁଛି ଭିଡ଼

ଚନ୍ଦ୍ରଶେଖରପୁର: ସରକାରଙ୍କ ପକ୍ଷରୁ କରୋନା ମହାମାରୀକୁ ରୋକିବା ପାଇଁ ଯେତେ କଟକଣା କରାଗଲେ ମଧ୍ୟ ଲୋକମାନେ ସରକାରଙ୍କ ନିୟମ ମାନିବା ପାଇଁ ନାରାଜ। ଯାହାକୁ ନେଇ ଥାନା ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଲକ୍ ଡାଉନ୍ ନିୟମ ପାଳନ କରିବା ପାଇଁ ଓ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁମତି ଦିଆଯାଇଛି। ହେଲେ ପୁଲିସ ସହର ଭିତର ବିଭିନ୍ନ ରାସ୍ତାଘାଟ ଜଗୁଥିବା ବ‌େଳେ ବସ୍ତି ଅଞ୍ଚଳରେ ଏସବୁ ନିମୟକୁ ସାଧାରଣ ଲୋକ ମାନୁନାହାନ୍ତି। ଏବେ ଦେଖାଯାଇଛି ବସ୍ତି ଅଞ୍ଚଳରେ ଚାଲୁଛି ହାଣ୍ଡିଆ ହାଟ। ଯେଉଁଠାରେ ଏକାଠି ହେଉଛନ୍ତି ଏକାଧିକ ଲୋକ। ଏପରି ହାଣ୍ଡିଆ ହାଟ ଏବେ ଚାଲିଛି ଇନ୍‌ଫୋସିଟି ଥାନା ଅଧୀନ ଚିରଗାଲ୍ ଟୋଲା ବସ୍ତିରେ, ଚନ୍ଦ୍ରଶେଖରପୁର ଥାନା ଅଧୀନ ଚୂନକୋଳି ବସ୍ତି, ମଞ୍ଚେଶ୍ବର ଥାନା ଅଧୀନ ଲାଇନ୍ ସାହି ଓ ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହିର ମୁଣ୍ଡାବସ୍ତିରେ। ଏହି ସବୁ ବସ୍ତି‌ରେ ଥିବା ହାଣ୍ଡିଆ ହାଟରେ ପୁଲିସ ପାଟ୍ରୋଲିଂ କରୁଥିବାରୁ ହାଟ ଛାଡ଼ି ବିଭିନ୍ନ ଅଣଆଡ଼ିଆ ସ୍ଥାନରେ ମହୁଲି, ହାଣ୍ଡିଆ ଓ ଦେଶୀ ମଦ ବେପାର ଜୋରଦାର ଚାଲୁଛି। କିଛି ଲୋକ ନିଶା ସେବନ କରୁଥିବା ବେଳେ ଆଉ କିଛି ଲୋକ ହାଣ୍ଡିଆ ହାଟ ନିକଟରେ ଗୁଲି ଖଟି ଜମାଉଛନ୍ତି। ଯାହାକୁ ନେଇ କିଛି ସ୍ଥାନୀୟ ଲୋକ ଗଣମାଧ୍ୟମ ଓ ପୁଲିସକୁ ସୂଚନା ଦେବାରୁ ଆକ୍ରମଣ ଧମକର ଶିକାର ହୋଇଥିଲେ। ବସ୍ତିର ବିଭିନ୍ନ ଗଳିରେ ପୁଲିସ ପାଟ୍ରୋଲିଂ କରୁନଥିବାରୁ ଏପରି ହାଣ୍ଡିଆ ବେପାର ଏବେ ଖୁଲମଖୁଲା ଚାଲିଛି। ଏପରିକି କିଛି ଲୋକ ନିଜ ‌ଘରେ ଦେଶୀ ମଦ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର