ପୁରୁଣା ଭୁବନେଶ୍ୱର: ପୁଣି ଥରେ ଚଳିତ ବର୍ଷ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହେଲାନାହିଁ। ପୂର୍ବ ବର୍ଷ ପରି ଏଥର ମଧ୍ୟ ଯାତ ବନ୍ଦ ରହିବାରୁ ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସରେ ରହିଛନ୍ତି। ୧୧ବର୍ଷ ଧରି ହାଣ୍ଡିଭଙ୍ଗା ଯାତ ପରମ୍ପରା ଭଙ୍ଗ ହୋଇଚାଲିଛି। ହେଲେ ଏନେଇ ପ୍ରଶାସନ କିନ୍ତୁ ନିରବ ରହୁଛି। ହାଣ୍ଡିଭଙ୍ଗା ଯାତ କରିବାକୁ ଦେବୋତ୍ତର ବିଭାଗ ଆଗରେ ଆଜି ସେବା ପ୍ରତିନିଧି ପକ୍ଷରୁ ପ୍ରତିବାଦ କରାଯିବା ସହ ଦେବୋତ୍ତର କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନୀଳମଣି ମିଶ୍ରଙ୍କ ନେତୃତ୍ବରେ ‌ସେବା ପ୍ରତିନିଧି ସଦସ୍ୟମାନେ କମିସନରଙ୍କ ସହ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରିଥିଲେ।

Advertisment

ଶନିବାର ଲିଙ୍ଗରାଜ ମନ୍ଦିରରେ ସକାଳ ନୀତି ପରେ ସାହାଣ ମେଲା ଦର୍ଶନ ହୋଇଥିଲା। ଏହା ପରେ ବଲ୍ଲଭ ନୀତି ଓ ପରେ ଠାକୁରଙ୍କ ଯାତ୍ରା ପୂଜା ହୋଇଥାନ୍ତା। ଯାତ୍ରା ପୂଜା ପରେ ଲିଙ୍ଗରାଜ ମହାପ୍ରଭୁ କପିଳେଶ୍ବର ମନ୍ଦିର ଯାତ୍ରା କରିଥାନ୍ତେ। ତେବେ ଯାତ୍ରା ହେବ ନାହିଁ ଜାଣିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ସନ୍ଧ୍ୟା ୫ଟା ପରଠୁ ଆଉ ନୀତି କଲେନାହିଁ। କାରଣ ଯଦି ସନ୍ଧ୍ୟାରେ ଅନ୍ୟ ନୀତି ହୋଇଥାନ୍ତା, ତେବେ ହାଣ୍ଡିଭଙ୍ଗା ଯାତ ହୋଇପାରି ନଥାନ୍ତା। ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସାନ୍ଧ୍ୟ ନୀତି ବନ୍ଦ ରହିଲା ଓ ଠାକୁର ଉପାସରେ ରହିଲେ। ଯାହାକି ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ମହାଶିବରାତ୍ରି ପରେ ପଡ଼ୁଥିବା ପ୍ରଥମ ଶନିବାରରେ ହାଣ୍ଡିଭଙ୍ଗା ଯାତ ହୋଇଥାଏ। ତେବେ ସବୁପ୍ରକାରର ନୀତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ସେବାୟତମାନେ ମାନୁନାହାନ୍ତି।