ଭୁବନେଶ୍ୱର: ପୁଣି ବନ୍ଦ ହେଲା ପ୍ରଭୁ କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ। ତୁଟି ପାରିଲାନି ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ଦୀର୍ଘ ୮ ବର୍ଷର ବିବାଦ। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ରକ୍ଷା ହୋଇପାରିଲାନି ଦୁଇ ଠାକୁର ପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳନାଥଙ୍କ ବିଧି ଓ ପରମ୍ପରା। ଏମିତିକି ଜିଲ୍ଲାପାଳଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ମଧ୍ୟ ଫୁ’ କରି ଉଡ଼ାଇଦିଆଗଲା। ଫଳରେ ଆଜି ପ୍ରଭୁ କପିଳେଶ୍ବର ଦିନତମାମ୍ ଖାଡ଼ା ଉପାସ ରହିଥିବା ବେଳେ ଓଳିଏ ଉପାସ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ। ଜିଲ୍ଲା ଓ ମନ୍ଦିର ପ୍ରଶାସନ କେବଳ ବୈଠକ କରି ହାତ ଟେକିଦେଇଛି। ଏଣୁ ଏହି ପ୍ରସିଦ୍ଧ ଯାତ୍ରାରେ ଦୁଇ ଠାକୁରଙ୍କୁ ଏକାଠି ଦେଖିବାକୁ ୮ ବର୍ଷ ହେଲା ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଆଜି ଗଭୀର ଆଘାତ ପାଇଛନ୍ତି।
ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ମନ୍ଦିର ପ୍ରଶାସନ ଗତକାଲିଠାରୁ ମଲିଆ ସେବାୟତଙ୍କଠାରୁ ମନ୍ଦିର ଚାବି ନେଇଥିଲା। ଆଜି ସକାଳୁ ପ୍ରଥମେ ମଲିଆ ସେବାୟତ କପିଳନାଥଙ୍କ ମନ୍ଦିର ପହୁଡ଼ ଖୋଲି ବେଶ କରିବା କଥା। ପରେ ଖୁଣ୍ଟିଆ ସେବାୟତ ମଙ୍ଗଳ ଆଳତି କରିଥା’ନ୍ତେ। ପରେ ପରେ ଅନ୍ୟ ସବୁ ରୀତିନୀତି ସୁରୁଖୁରରେ ଚାଲିବା କଥା। ହାଣ୍ଡିଭଙ୍ଗା ଯାତର ବିଧି ଓ ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ପଟୁଆର ସହ ସୁସଜ୍ଜିତ ବିମାନରେ ପ୍ରଭୁ କପଳେଶ୍ବରଙ୍କ ମନ୍ଦିରକୁ ଯାତ୍ରା କରିଥା’ନ୍ତେ। କିନ୍ତୁ ଆଜି ସକାଳୁ ମଲିଆ ସେବାୟତ କାର୍ଯ୍ୟରେ ଯୋଗଦେଲେ ନାହିଁ କି ମନ୍ଦିର ପ୍ରଶାସନର ମ୍ୟାନେଜରଙ୍କଠାରୁ ମନ୍ଦିର ଚାବି ନେଲେ ନାହିଁ। ତେଣୁ ଆଜି ଦିନତମାମ୍ ମନ୍ଦିରରେ ତାଲା ଝୁଲି ରହିଲା। ଅପରପକ୍ଷେ ଖୁଣ୍ଟିଆ ସେବାୟତ ମନ୍ଦିର ବେଢ଼ାରେ ଅପେକ୍ଷା କରି କରି ଫେରିବାକୁ ବାଧ୍ୟ ହୋଇଥିଲେ। ଦିନ ସାରା କପିଳନାଥ ଅପୂଜା ଓ ଅଖିଆ ଅପିଆ ରହିଲେ। ଦିନ ସାରା ଅପେକ୍ଷା କରିକରି ସନ୍ଧ୍ୟାରେ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଡକାଯାଇଥିଲା।
ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସର୍କିଟ୍ ହାଉସ୍ରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ଅଧିକାରୀମାନେ ସାମିଲ ହୋଇଥିଲେ। ହେଲେ ବୈଠକକୁ ମଲିଆ ସେବାୟତ ଆସିଲେ ନାହିଁ। ସର୍କିଟ୍ ହାଉସ୍ ନୁହେଁ, ମନ୍ଦିରକୁ ଆସି ବୈଠକ କରିବାକୁ ସେମାନେ ମୋବାଇଲ୍ରେ ମେସେଜ୍ ପଠାଇଦେଲେ। ତଥାପି ଉପଜିଲ୍ଲାପାଳ ସେମାନଙ୍କୁ ସର୍କିଟ୍ ହାଉସ୍ ବୈଠକରେ ଯୋଗଦେବାକୁ ନିବେଦନ କରିଥିଲେ। କିନ୍ତୁ ମଲିଆ ସେବାୟତମାନେ ଏଥିରେ ବି ରାଜିହେଲେ ନାହିଁ।
ମଲିଆ ସେବାୟତଙ୍କ ଏତାଦୃଶ ଆଚରଣରେ କ୍ଷୁବ୍ଧ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଏନେଇ ଦେବୋତ୍ତର କମିସନରଙ୍କ ସହ ଆଲୋଚନା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଏଣେ କପିଳନାଥଙ୍କ ହାଣ୍ଡିଭଙ୍ଗା ଯାତ ବନ୍ଦ ହେବା ଖବର ପ୍ରଚାର ହେବା ପରେ ଲିଙ୍ଗରାଜ ମନ୍ଦିରରେ ସାନ୍ଧ୍ୟ ନୀତିକାନ୍ତି ବନ୍ଦ କରାଗଲା। ପରମ୍ପରା ଅନୁସାରେ ହାଣ୍ଡିଭଙ୍ଗା ଯାତ ଦିନ ସକାଳୁ ଲିଙ୍ଗରାଜ ମନ୍ଦିରରେ ସ୍ବାଭାବିକ ଭାବେ ସବୁଦିନିଆ ପୂଜାବିଧି ପାଳିତ ହୋଇଥାଏ। ସକାଳ ନୀତି ପରେ ସାହାଣମେଲା ଦର୍ଶନ ବିଧି ହୁଏ। ଏହା ପରେ ବଲ୍ଲଭ ନୀତି ଓ ତା’ପରେ ଠାକୁରଙ୍କ ଯାତ୍ରା ନୀତି ସମ୍ପନ୍ନ ହୁଏ। କାରଣ ସନ୍ଧ୍ୟାରେ ଲିଙ୍ଗରାଜ ମହାପ୍ରଭୁ ବିଶାଳ ଶୋଭାଯାତ୍ରାରେ କପିଳନାଥ ମନ୍ଦିରକୁ ଯାତ୍ରା କରିବା ବିଧି ରହିଛି। ମାତ୍ର ଆଜି ହାଣ୍ଡିଭଙ୍ଗା ଯାତ ପୁଣି ବନ୍ଦ ହୋଇଯିବାରୁ ସମସ୍ୟା ଉପୁଜିଥିଲା। ଯାତ୍ରା ନୀତି ସମ୍ପନ୍ନ ହୋଇପାରିଲା ନାହିଁ। ଏଣେ ମନ୍ଦିରରେ ସବୁଦିନିଆ ସାନ୍ଧ୍ୟ ନୀତି ବି ହୋଇପାରିଲା ନାହିଁ। କାରଣ ଥରେ ସବୁଦିନିଆ ସାନ୍ଧ୍ୟ ନୀତିକାନ୍ତି ହେଲେ ସବୁଦିନ ପାଇଁ ହାଣ୍ଡିଭଙ୍ଗା ବିଧି ପରମ୍ପରା ହୋଇପାରିବ ନାହିଁ। ଏଣୁ ଆଜି ସନ୍ଧ୍ୟା ନୀତିକାନ୍ତି ବନ୍ଦ ହେବାରୁ ପ୍ରଭୁ ଲିଙ୍ଗରାଜ ବି ଉପାସ ରହିବାକୁ ବାଧ୍ୟ ହେଲେ।
ସୂଚନାଯୋଗ୍ୟ ଯେ ମହାଶିବରାତ୍ରି ପରେ ପରେ ପଡ଼ୁଥିବା ଶନିବାର ଦିନରେ ପାଳିତ ହୁଏ କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ। ମାତ୍ର ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଭିତରେ ଲାଗି ରହିଥିବା ଗୋଷ୍ଠୀ ବିବାଦ ଯୋଗୁଁ ୮ ବର୍ଷ ହେଲା ଏହି ଯାତ ବନ୍ଦ ରହିଛି। ଏନେଇ ହାଇକୋର୍ଟକୁ ମାମଲା ଯାଇଥିଲା। ତେବେ ବିବାଦର ସମାଧାନ ପାଇଁ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜିଲ୍ଲାପାଳ ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ହାଣ୍ଡିଭଙ୍ଗା ଯାତକୁ ନେଇ ଶ୍ରଦ୍ଧାଳୁମାନଙ୍କ ଭିତରେ ପ୍ରବଳ ଊତ୍ସାହ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷରେ ସବୁ କିଛି ଫସର ଫାଟିଯାଇଥିଲା।