ଅନଶନରେ ବସିଲେ ଦିବ୍ୟାଙ୍ଗ ଜ୍ୟୋତିବ୍ରତ

ପାଳନ ହେଲାନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: କପ୍ତିପଦା ବ୍ଲକ୍‌ର ହୁଣ୍ଡରିଆ ଗ୍ରାମର ଜ୍ୟୋତିବ୍ରତ ମହାପାତ୍ର ଜନ୍ମରୁ ଭିନ୍ନକ୍ଷମ। ସେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଅର୍ଥ ଅଭାବରୁ ଆଗକୁ ପଢ଼ି ପାରିନଥିଲେ। କିନ୍ତୁ ପରିବାର ଉପରେ ବୋଝ ନ ହୋଇ ନିଜକୁ ସ୍ୱାବଲମ୍ବୀ କରିବାକୁ ସେ ସରକାରଙ୍କ ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ବାରମ୍ବାର ଗୁହାରି କରିଥିଲେ। ତାଙ୍କୁ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦେଶ ଦେଇଥିଲେ। କିନ୍ତୁ ତାଙ୍କୁ ଚାକିରି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଏହାର ପ୍ରତିବାଦରେ ଜ୍ୟୋତିବ୍ରତ ଆଜିଠାରୁ ବିଧାନସଭା ଆଗରେ ଆମରଣ ଅନଶନରେ ବସିଛନ୍ତି।

ଜ୍ୟୋତିବ୍ରତଙ୍କ ଅଭିଯୋଗ, ସେ ବାରମ୍ବାର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କିଛି ଟଙ୍କାର ସାହାଯ୍ୟ ପାଇଥିଲେ। କିନ୍ତୁ ପୂର୍ବତନ ନାଏବ ସରପଞ୍ଚ ଦେବେନ୍ଦ୍ର ମଲ୍ଲିକ ତାଙ୍କ ଏହି ଟଙ୍କାରେ ଭାଗ ବସାଇଥିଲେ। କହିଥିଲେ ଯଦି ମତେ ଟଙ୍କା ଦବ ତାହାଲେ ମୁଁ ତମକୁ ମୋ କୁଡ଼ିଆ କରାଇଦେବି। ଆଉ ଟଙ୍କା ନେଇ ଦେବେନ୍ଦ୍ର ତାଙ୍କୁ ମୋ କୁଡ଼ିଆ ପାଇଁ ମାତ୍ର ୪୦ହଜାର ଟଙ୍କା ମଞ୍ଜୁର କରାଇ ଦେଇଥିଲେ। ଏତିକି ଟଙ୍କାରେ ଘରଟି ତାଙ୍କର ସଂପୂର୍ଣ୍ଣ ହୋଇପାରିନଥିଲା। ତେଣୁ ୨୦୧୦ ଜୁଲାଇରେ ଜ୍ୟୋତିଙ୍କୁ ଏକ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦେଶ ଦେଇଥିଲେ। କିନ୍ତୁ କିଛି ନିଷ୍ପତ୍ତି ନିଆ ନଯିବାରୁ ଜ୍ୟୋତି ଆମରଣ ଅନଶନ କରିବେ ବୋଲି ଧମକ ଦେଇଥିଲେ। ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଝାଡ଼ୁ ମାରିବା କାର୍ଯ୍ୟରେ ଜ୍ୟୋତିଙ୍କୁ ରଖାଗଲା। ଦୀର୍ଘ ତିନି ମାସ କାମ କରିବା ପରେ ମଧ୍ୟ ଦରମା ମିଳିଲାନି। ସେ ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଲେ। ମାତ୍ର ସେ ଅଫିସରେ କୌଣସି ପଦବି ଖାଲି ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ତିନି ମାସ କାମ କରିଥିଲେ ବି ତାଙ୍କୁ କିଛି ଟଙ୍କା ମିଳି ନଥିଲା। ଏହା ପରେ ଜ୍ୟୋତି ବାରମ୍ବାର ସରକାରଙ୍କ ନିକଟକୁ ଆସିଥିଲେ। ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ ନ୍ୟାୟ ନ ମିଳିବାରୁ ଶେଷରେ ଆଜି ସେ ଆମରଣ ଅନଶନରେ ବସିଛନ୍ତି। ସରକାର ତାଙ୍କ କଥା ନ ଶୁଣିଲେ, ସେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର