ଭୁବନେଶ୍ବର : କର୍ପୋରେଟ୍‌ ମିଟିଂ, ବିବାହ ଭୋଜି, ଜନ୍ମଦିନ ପାର୍ଟି, ପିକ୍‌ନିକ୍‌ ଓ ଅଫିସ ପାଇଁ ଏବେ ସବୁଠି ହସ୍ତତନ୍ତ ପୋଷାକର ଆଦର ବଢ଼ିଛି। ଅତ୍ୟାଧୁନିକ ମଣିଷ ଏବେ ହାତବୁଣା ପୋଷାକମୁହାଁ ହୋଇଛି। ନିଜକୁ ସମ୍ଭ୍ରାନ୍ତ, ଷ୍ଟାଇଲିସ୍ ଓ ଫେସନେବୁଲ୍‌ ଦେଖାଇବା ପାଇଁ ଏବେ ହସ୍ତତନ୍ତ ପୋଷାକ ମୁଖ୍ୟ ମାଧ୍ୟମ ପାଲଟିଛି। ସମ୍ବଲପୁରୀ, ପଶାପାଲି, ଇକ୍କତ ଓ ବାନ୍ଧ ଶାଢ଼ିର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହସ୍ତତନ୍ତ ଭିତରେ ସମ୍ବଲପୁରୀ ପୋଷାକର ଚାହିଦା ବଢ଼ିଛି। ପୂର୍ବରୁ ସମ୍ବଲପୁରୀ ଶାଢ଼ିର ଚାହିଦା ଥିଲା। କିନ୍ତୁ ଏବେ କୁର୍ତି, ସା‌ଲ୍‌ୱାରଠାରୁ ଆରମ୍ଭ କରି ୱାନ୍‌ ପିସ୍‌, ପାଲାଜୋ, ଡଙ୍ଗରି, ଜମ୍ପସୁଟ୍‌ ଓ ଟପ୍‌ସ୍‌ ଆଦିରେ ବି ସମ୍ପଲପୁରୀ ଓ ପଶାପାଲିର ଆଦର ରହୁଛି। ଏମିତିକି ଲେହେଙ୍ଗାଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପୋଷାକ ବି ସମ୍ବଲପୁରୀର କାରୁକାର୍ଯ୍ୟପୂର୍ଣ୍ଣ ସ୍ପର୍ଶ ଦେଖିବାକୁ ମିଳୁଛି।

Advertisment

ତେବେ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି, ବଜାର ଚାହିଦାକୁ ଦେଖି ବିକ୍ରି ତରିକା ମଧ୍ୟ ବଦଳି ଗଲାଣି। ଏବେ ଏହି ପୋଷାକର ବଜାର ଡିଜିଟାଲ୍‌ ଦୁନିଆରେ ପାଦ ଥାପିଛି। ଅନ୍‌ଲାଇନ୍‌ ବଜାର ଜରିଆରେ ହସ୍ତତନ୍ତ ଉତ୍ପାଦ ଗ୍ରାହକମାନଙ୍କ ନିକଟରେ ପହଞ୍ଚି ପାରୁଛି। ପୂର୍ବରୁ ବୁଣାକାରମାନେ ଗ୍ରାହକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀକୁ ଅପେକ୍ଷା କରୁଥିଲେ। ଏବେ ମଧ୍ୟ ହେଉଛି। କିନ୍ତୁ ଏବେ ସେମାନଙ୍କୁ ଅନ୍‌ଲାଇନ୍‌ ବ୍ୟବସାୟ ଅଧିକ ସହଯୋଗ କରୁଛି। ଗତ ୨ ବର୍ଷ ହେଲା ସମ୍ବଲପୁରୀ ପୋଷାକର ଅନ୍‌ଲାଇନ୍‌ ବିକ୍ରି ବଢ଼ିଛି। ବ୍ୟବସାୟୀ ଓ ବୁଣାକାରମାନେ ଫେସ୍‌ପୁକ୍‌ ବା ହ୍ବାଟ୍‌ସଆପ୍‌ ଜରିଆରେ ଏହି ପୋଷାକ ବିକ୍ରି କରୁଛନ୍ତି। ମାର୍କେଟ ଅପେକ୍ଷା ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଦାମ୍‌ କମ୍ ରହୁଥିବାରୁ ଗ୍ରାହକମାନେ ବି ଆଗ୍ରହ କରୁଛନ୍ତି। ବୁଣାକାର କିମ୍ବା ବ୍ୟବସାୟୀମାନେ ପ୍ରଥମେ ଫେସ୍‌ବୁକ୍‌ ବା ହ୍ବାଟ୍‌ସ୍‌ଆପ୍‌ରେ ଉତ୍ପାଦଗୁଡ଼ିକର ଫଟୋ ବା ଭିଡିଓ ଜାରି କରି ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛନ୍ତି। ଏବେ ଆମାଜନ୍‌, ମିନ୍ତ୍ରା ଓ ଫ୍ଲିପ୍‌କାର୍ଟ ଭଳି କର୍ପୋରେଟ୍‌ ସଂସ୍ଥା ମଧ୍ୟ ହସ୍ତତନ୍ତ ସାମଗ୍ରୀ ବଜାରକୁ କବ୍‌ଜା କରିସାରିଲେଣି। ସମ୍ବଲପୁରୀ, ଇକ୍କତ, ସିଙ୍ଗଲ ୱେଭ୍‌ ଇକ୍କତ, ଡବଲ୍‌ ୱେଭ୍ ଇକ୍କତ, ଇକ୍କତ ସିକୋ, ଇକ୍କତ ହାଇକୋ, ପଶାପାଲି ସହିତ ପଚୋମ୍‌ପାଲ୍ଲୀ, କାଞ୍ଜିବରମ୍‌, ବାନ୍ଧିନୀ, ଟସର୍‌ ସିଲ୍କ, କାନ୍ତା ଷ୍ଟିଚ୍‌, ଲକ୍ଷ୍ନୌ ଷ୍ଟିଚ୍‌ ଓ ବନାରସ ସିଲ୍କ ଆଦି ଅନ୍‌ଲାଇନ୍‌ ବିକ୍ରି ପ୍ରକ୍ରିୟାରେ ଉପଲବ୍ଧ। କିନ୍ତୁ ସମ୍ବଲପୁରୀ ଓ ଇକ୍କତ ଉତ୍ପାଦର ଚାହିଦା ଆକାଶଛୁଆଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ସିଧାସଳଖ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, କଟକ ଆଦି ଅଞ୍ଚଳର ବୁଣାକାରମାନେ ଏହି ଅନ୍‌ଲାଇନ୍‌ ବ୍ୟବସାୟରେ ଯୋଡ଼ି ହୋଇଛନ୍ତି। ପ୍ରତି ସପ୍ତାହରେ ଏହି ବୁଣାକାର ସଂଘମାନଙ୍କର ହାଟ ବସେ। ଏହି ହାଟରେ ହିଁ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଏ ଓ ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଏ।

publive-image Odisha Sun Times

ବୁଣାକାର ଓ ଗ୍ରାହକ ଫାଇଦାରେ
ଆଗରୁ ବୁଣାକାରମାନେ ବ୍ୟବସାୟୀମାନଙ୍କ ଜରିଆରେ ସେମାନଙ୍କ ଉତ୍ପାଦ ଗ୍ରାହକଙ୍କ ନିକଟରେ ପହଞ୍ଚାଉଥିଲେ। ଫଳରେ ବୁଣାକାର ଉଚିତ ମୂଲ୍ୟ ପାଉନଥିଲେ କି ଗ୍ରାହକ ଠିକ୍‌ ଦାମ୍‌ରେ ଜିନିଷ କିଣି ପାରୁନଥିଲେ। କିନ୍ତୁ ଏବେ ଡିଜିଟାଲ୍‌ ବଜାରରେ ସେ ସମସ୍ୟା ନାହିଁ। ଉଭୟ ବୁଣାକାର ଓ ଗ୍ରାହକ ଫାଇଦାରେ ରହୁଛନ୍ତି। ତେଣୁ ଆଜି ଅନେକ ଗୃହିଣୀ, ବେକାର ଯୁବକଯୁବତୀ ଏହି ବ୍ୟବସ୍ଥାରେ ରୋଜଗାର ପାଇପାରୁଛନ୍ତି। ଦୋକାନରେ ସୀମିତ ପରିମାଣର ଜିନିଷ ରହୁଥିବା ବେଳେ ଅନ୍‌ଲାଇନ୍‌ ବିକ୍ରି ପ୍ରକ୍ରିୟାରେ ଗ୍ରାହକ ଘରେ ବସି ବହୁ ପ୍ରକାର ଡିଜାଇନ୍‌ ଓ ପୁରୁଣା ନୂଆ କଲେକ୍‌ସନ୍ ଦେଖିପାରୁଛି ଓ ବରାଦ କରିପାରୁଛି। ଫଳରେ ଗାଁ ଗହଳିର ଲୋକମାନେ ଆଉ ସହରର ଦୋକାନ ଉପରେ ନିର୍ଭର ନ କରି ଘରେ ବସି ମନ ପସନ୍ଦର ବସ୍ତ୍ର ପାଇପାରୁଛନ୍ତି। ମୁଁ ପ୍ରାୟ ୩ ମାସ ହେଲା ଏହି ଅନ୍‌ଲାଇନ୍‌ ହସ୍ତତନ୍ତ ବ୍ୟବସ‌ାୟରେ ରହିଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଟକର ବୁଣାକାରମାନେ ମୋତେ ସେମାନଙ୍କ ଉତ୍ପାଦ ଯୋଗାଉଛନ୍ତି। ଗତ ୨ ମାସରେ ମୁଁ ପ୍ରାୟ ୪୦ ହଜାର ଟଙ୍କାର ସମ୍ବଲପୁରୀ ଉତ୍ପାଦ ବିକ୍ରି କରିଛି। ଏମିତି ଅନେକ ଅଛନ୍ତି ଯେଉଁମାନେ ମାସକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଛନ୍ତି।

- ପ୍ରିୟଦର୍ଶନୀ ପୃଷ୍ଟି, ଅନ୍‌ଲାଇନ୍‌ ବ୍ୟବସାୟୀ

ନୂଆ ଡିଜାଇନ୍‌ ବୁଣୁଛନ୍ତି ବୁଣାକାର
ଚାହିଦା ବୃଦ୍ଧିକୁ ଦେଖି ବୁଣାକାରମାନେ ମଧ୍ୟ ନୂଆ ନୂଆ ଡିଜାଇନ୍‌ର ଉତ୍ପାଦ ତିଆରି କଲେଣି। ଏବେ ବର ଓ କନ୍ୟା ଉଭୟ ସମ୍ବଲପୁରୀ ନୂଆ ଡିଜାଇନ୍‌ ପୋଷାକକୁ ପ୍ରାଧାନ୍ୟ ଦେଉଛନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳିଛି। ମୁଁ ଜଣେ ଇଂଜିନିୟର୍‌। ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି ଦେଖି ମୁଁ ବି ଅନ୍‌ଲାଇନ୍‌ରେ ଏହି ବ୍ୟବସାୟ କରୁଛି। ପରିଚିତ ବୁଣାକାରଙ୍କୁ ନେଇ ଉତ୍ପାଦର ମାନ ଉପରେ ମୁଁ ଗ୍ୟାରେଣ୍ଟି ଦେଉଛି। ମୋ ଗ୍ରାହକ ନିଜ ବରାଦର ଉତ୍ପାଦ ଗ୍ରହଣ କରିବା ପରେ ଖୋଲିଲା ବେଳର ଭିଡିଓ କରି ମୋତେ ପଠାଉଛନ୍ତି। ଯଦି ଉତ୍ପାଦରେ କିଛି ସମସ୍ୟା ଥାଏ, ତେବେ ମୁଁ ତାହାକୁ ତୁରନ୍ତ ବଦଳାଇ ଦେବାର ସୁବିଧା ବି ରଖିଛି।

-ପ୍ରିୟଙ୍କା ମୁନି, ଇଂଜିନିୟର୍‌ ତଥା ଅନ୍‌ଲାଇନ୍‌ ବ୍ୟବସାୟୀ

ଅଧିକ ଲାଭ ପାଇପାରୁଛୁ
ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ କାରବାର ଆମ ପାଇଁ ନୂଆ ସୁଯୋଗ ସୃଷ୍ଟି କଲା। ଦୋକାନ ଓ ବ୍ୟବସାୟୀମାନଙ୍କୁ ଜିନିଷ ବିକ୍ରି କରି ନପାରି ବେଶ୍ କିଛି ଦିନ ଘରେ ବସିବା ପରେ ଏହି ଅନ୍‌ଲାଇନ୍‌ ବିକ୍ରି କଥା ମୁଣ୍ଡକୁ ଜୁଟିଥିଲା। ଫେସ୍‌ବୁକ୍‌ରେ ଆମର ସମସ୍ତ ଉତ୍ପାଦର ଭିଡିଓ ଓ ଫଟୋ ଛା‌ଡ଼ିବା ପରେ ଗ୍ରାହକମାନେ ଆମକୁ ଯୋଗାଯୋଗ କରିଥିଲେ। ଫଳରେ ରଜ, ଦଶହରା, କୁମାର ପୂର୍ଣ୍ଣମୀ, ଦୀପାବଳି ଭଳି ପର୍ବପର୍ବାଣୀରେ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିଥିଲୁ। ବେପାରୀଙ୍କୁ ଦେବା ଅପେକ୍ଷା ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରିବାରେ ଆମେ ୫% ପର୍ଯ୍ୟନ୍ତ ଅଧିକା ଲାଭ ପାଇପାରୁଛୁ। ଅନ୍ୟପଟେ ଗ୍ରାହକମାନେ ମଧ୍ୟ ବଜାର ଦରଠାରୁ କମ୍‌ରେ ପାଇ ଖୁସି। ବଡ଼ କଥା ହେଉଛି, ଗ୍ରାହକଙ୍କ ବରାଦ ମୁତାବକ ଜିନିଷ ବୁଣି ସେମାନଙ୍କୁ ଦେଇପାରୁଥିବାରୁ ଗ୍ରାହକମାନେ ଖୁସିରେ ଅନ୍‌ଲାଇନ୍‌ ସପିଂ ମୁହାଁ ହୋଇଛନ୍ତି।

-ସନତ ମେହେର, ବୁଣାକାର, ସୋନପୁର